ନିରାକାରପୁର : ଗତ ୩ଦିନ ବ୍ୟାପୀ ଲଘୁଚାପଜନିତ ଲଗାଣ ବର୍ଷା ସାଙ୍ଗକୁ ଜଙ୍କିଆ ଓ ଗୋଳବାଇ ଅଞ୍ଚଳରେ ହାତୀପଲ୍ଲଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଜମିବାଡ଼ିରେ ପାଣି ଭର୍ତ୍ତି ଥିଲେ ସୁଦ୍ଧା ହାତୀପଲ୍ଲ ଏହାକୁ ଖାତିରି ନକରି ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ପ୍ରାୟ ୧୫ରୁ ଊର୍ଦ୍ଧ୍ବ ହାତୀ ଗୟାବନ୍ଧ ଓ ଡମଣଭୂଇଁ କାଜୁଜଙ୍ଗଲ ଓ ଗୋଳବାଇ ଶ୍ୟାମକଳସ ମୁଣ୍ତିଆରେ ଦିନବେଳେ ଆତ୍ମଗୋପନ କରୁଛନ୍ତି। ଠିକ୍ ସଞ୍ଜ ନଇଁଲେ ବାଡ଼ିବଗିଚାରେ ଥିବା କଦଳୀ ଭଣ୍ତାଠାରୁ ଆରମ୍ଭ କରି ବିଭିନ୍ନ ଫସଲ ନଷ୍ଟକରିବା ସହିତ ଧାନ ଚାଷଜମିକୁ ଦଳିଚକଟି ନଷ୍ଟକରୁଛନ୍ତି। ଖାଲିସେତିକି ନୁହେଁ ଏମାନଙ୍କ ଭୟରେ ଗ୍ରାମର ମୁଖ୍ୟ ରାସ୍ତା ଏକପ୍ରକାର ଶୁନ୍ ଶାନ ହେବାସହ ଗାଁ ଗାଁ ରେ ତାଟି କବାଟ ପଡିଯାଉଛି। ଚାଷଜମି ବ୍ୟତୀତ ଅନେକ ସମୟରେ ଗାଁ ଦାଣ୍ତରେ ପଶି ହାତୀପଲ୍ଲ ଆତଙ୍କ ସୃଷ୍ଟି କରୁଛନ୍ତି। ଏମାନଙ୍କୁ ଘଉଡ଼ାଇବା ପାଇଁ ବିଭାଗୀୟ କର୍ମଚାରୀଙ୍କୁ ଯୋଗାଯୋଗ କଲେ ମଧ୍ୟ ସହଯୋଗ ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ହାତୀମାନଙ୍କୁ ଘଉଡ଼ାଇବା ସହ ଚାଷୀଙ୍କ କ୍ଷୟକ୍ଷତି ଦିଗରେ ଦୃଷ୍ଟିଦେବାକୁ ଚାଷୀ ମହଲରେ ଦାବି ହେଉଛି।
ଜଙ୍କିଆ ଓ ଗୋଳବାଇ ଅଞ୍ଚଳରେ ହାତୀ ଉପଦ୍ରବ, ଲୋକେ ଆତଙ୍କିତ
/sambad/media/post_attachments/wp-content/uploads/2019/10/ele-1.jpg)