ଦେବଗଡ଼: ଦେବଗଡ଼ ବନଖଣ୍ଡର ବାରକୋଟ ବନାଞ୍ଚଳ ଅନ୍ତର୍ଗତ ବଡ଼ତଇଲା ସଂରକ୍ଷିତ ଜଙ୍ଗଲରେ ଆଜି ଏକ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ, ବଣାଇ ବନଖଣ୍ଡ ଅଞ୍ଚଳରୁ ଗୁରୁବାର ସକାଳେ ଏକ ଦନ୍ତାହାତୀ ବାରକୋଟ ବନାଞ୍ଚଳ ଅନ୍ତର୍ଗତ ମରଡ଼ଙ୍ଗ ଗ୍ରାମ ନିକଟସ୍ଥ ବଡ଼ତଇଲା ସଂରକ୍ଷିତ ଜଙ୍ଗଲକୁ ଚାଲି ଆସିଥିବା ବନ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ତେବେ ହାତୀଟିର ପାଟିରୁ ଲାଳ ବାହାରିବା ସହ ସେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ପଡ଼ିଥିଲା।
ଏ ସମ୍ପର୍କରେ ସୂଚନା ପାଇ ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ ଭୁବନେଶ୍ୱରସ୍ଥିତ ପ୍ରାଣୀ ସମ୍ପଦ ବିଭାଗର ବିଶେଷଜ୍ଞ ଡା. ନିରଞ୍ଜନ ସାହୁଙ୍କ ସହ ଯୋଗାଯୋଗ କରି ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମଧ୍ୟାହ୍ନରେ ହାତୀଟିର ମୃତ୍ୟୁ ଘଟିଥିଲା। ବାରକୋଟ ରେଂଜର ଜୟଶ୍ରୀ ମୁର୍ମୁ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ପ୍ରାଣୀ ବିଭାଗ ଡା.ଦୀପକ ଷଡ଼ଙ୍ଗୀଙ୍କ ଦ୍ୱାରା ହାତୀଟିର ମୃତଦେହ ବ୍ୟବଚ୍ଛେଦ କରାଯାଇ ଜଙ୍ଗଲ ମଧ୍ୟରେ ପୋତି ଦିଆଯାଇଥିଲା। ହାତୀର ପାଟିରେ ଏକ ଟ୍ୟୁମର ହୋଇଥିବା କାରଣରୁ ସେ ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହୋଇପଡ଼ି ଅନାହାରରେ ପ୍ରାଣ ହରାଇଥିବା ବନ ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/elephant-6.jpg)