ହାତୀ ମୃତ୍ୟୁର କାରଣ ଜଣାପଡ଼ିଲାନି, ୨ ବର୍ଷରେ ମଲେଣି ୬

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତର ବଡ଼ବାହାଳ ରେଂଜ ଅନ୍ତର୍ଗତ କୁକୁଡ଼ାବାହାଳି ପଞ୍ଚାୟତ କରଡ଼ରପାଳ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶନିବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ରବିବାର ହାତୀର ଶବ ବ୍ୟବଚ୍ଛେଦ କରି ପୋତି ଦିଆ ଯାଇଛି। ହେଲେ ହାତୀ ମୃତ୍ୟୁର କାରଣ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଘଟଣାକୁ ନେଇ ଜଙ୍ଗଲ ବିଭାଗର  ଡିଏଫ୍‌ଓ ରମାକାନ୍ତ ନାଏକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ହାତୀର ଯକୃତ, ପାକସ୍ଥଳୀ, ହୃତ୍‌ପିଣ୍ତ ସମେତ ବିଭିନ୍ନ ଅଂଶରୁ ନମୁନା ସଂଗ୍ରହ କରାଯାଇ ଆଜି ଭୁବନେଶ୍ବେର ପଠାଯାଇଛି। ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣା ପଡ଼ିବ। ଗତକାଲି ମଧ୍ୟ ହାତୀର ରକ୍ତ ନମୁନା ସଂଗ୍ରହ କରି ଭୁନନେଶ୍ବର ପଠା ଯାଇଥିଲା। ଆଜି ରିପୋର୍ଟ ପହଞ୍ଚିଛି। ତେବେ ଆନ୍ଥ୍ରାକ୍ସରେ ହାତୀର ମୃତ୍ୟୁ ହୋଇ ନଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଡିଏଫଓ ସ୍ପଷ୍ଟ କରିଥିଲେ।

ଉଲ୍ଲେଖନୀୟ ଯେ ଗତ ଦୁଇ ବର୍ଷରେ ରେଢ଼ାଖୋଲ ବନଖଣ୍ତ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ପ୍ରାୟ ୬ଟି ହାତୀଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର