ଭୁବନେଶ୍ବର : ଢେଙ୍କାନାଳରେ ୭ଟି ହାତୀ ଶୋଚନୀୟ ଭାବେ ପ୍ରାଣ ହରାଇଲା ପରେ ସନ୍ଧ୍ୟାରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଶକ୍ତି ବିଭାଗ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବେଳେ ଜଙ୍ଗଲ ବିଭାଗ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ଦିନତମାମ ଜଙ୍ଗଲ ଓ ଶକ୍ତି ବିଭାଗ ପରସ୍ପର ବିରୋଧରେ ଦୋଷାରୋପ କଲା ପରେ ସନ୍ଧ୍ୟାରେ ନିଲମ୍ବନ ଆଦେଶ ବାହାର କରିଛନ୍ତି। କିନ୍ତୁ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପ୍ରତିକ୍ରିୟାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଦୁଇଟି ବିଭାଗ ମଧ୍ୟରେ ସମନ୍ବୟର ଘୋର ଅଭାବ ରହିଛି। ଉପର ସ୍ତରରେ ଏହି ସମନ୍ବୟ କିପରି ପ୍ରତିଷ୍ଠା ହେବ, ତାହା ଏବେ ବିରାଟ ପ୍ରଶ୍ନବାଚୀ ସ୍ୃଷ୍ଟି କରିଛି। ନଚେତ ଆଗକୁ ଏମିତି ଅଘଟଣର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।
ଢେଙ୍କାନାଳ ସର୍କଲର ସୁପରିନ୍ଟେଣ୍ଡେଣ୍ଟ୍ ଇଞ୍ଜିନିୟର୍ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ଚାଇଁପାଳ ସହକାରୀ ଯନ୍ତ୍ରୀ ଆର୍ତତ୍ରାଣ ନାୟକଙ୍କୁ ନିଲମ୍ବନ କରାଯାଇଛି। ମେରାମୁଣ୍ଡଳି ଇଲେକ୍ଟ୍ରିକାଲ ସେକ୍ସନ୍ର ଲାଇନ୍ମ୍ୟାନ୍-ବି ଫିରୋଜ ପଣ୍ଡା ମଧ୍ୟ ନିଲମ୍ବିତ ହୋଇଛନ୍ତି। ମେରାମୁଣ୍ଡଳି ଇଲେକ୍ଟ୍ରିକାଲ ସେକ୍ସନ୍େର ଠିକା ଭିତ୍ତିରେ କାର୍ଯ୍ୟରତ ଜୁନିୟର୍ ମ୍ୟାନେଜର୍ ସଞ୍ଜୟ କୁମାର ମହାନ୍ତିଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେହିପରି ଜଙ୍ଗଲ ବିଭାଗ ପକ୍ଷରୁ ସଦର ରେଞ୍ଜର ପ୍ରସନ୍ନ କୁମାର ବିଶ୍ବାଳ, ମେରାମୁଣ୍ଡଳି ସେକ୍ସନ୍ ଫରେଷ୍ଟର୍ ପ୍ରଭାକର ରଣା ଓ ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି।
ଆଜିର ଘଟଣା ପରେ ସେସୁର ଦାୟିତ୍ବହୀନତାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ପିସିସିଏଫ୍ ଅଙ୍ଗୁଳି ନିେର୍ଦ୍ଦଶ କରିଥିଲେ। ଶକ୍ତି ବିଭାଗ ସିଧାସଳଖ ନିଜ ଉପରକୁ ଦାୟିତ୍ବ ନ ନେଇ ତଦନ୍ତକୁ ଆଳ କରି ସମୟ ଗଡ଼ାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଅତ୍ୟନ୍ତ ଚଢ଼ା ଗଳାରେ ଶକ୍ତି ବିଭାଗକୁ ଆକ୍ଷେପ କରି କହିଛନ୍ତି, ହାତୀର ମୃତ୍ୟୁ ପାଇଁ ସେସୁ ସମ୍ପୂର୍ଣ୍ଣ ଭାବେ ଦାୟୀ। ସେଠାରେ ବିପଜ୍ଜନକ ଭାବେ ତାର ଝୁଲୁଥିବା ନେଇ ଜଙ୍ଗଲ ବିଭାଗ ଓ ସ୍ଥାନୀୟ ଲୋକ ମଧ୍ୟ ସେସୁକୁ ଅବଗତ କରାଇଥିଲେ। ଉଭୟ ମଣିଷ ଓ ହାତୀଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଥିଲା। କିନ୍ତୁ ସେସୁ ଅଧିକାରୀମାନେ କୌଣସି ପଦକ୍ଷେପ ନେଲେ ନାହିଁ। ଶକ୍ତି ବିଭାଗ ଅଧିକାରୀଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି ଯେ ଏହି ଘଟଣା ଯେମିତି ସେମାନଙ୍କ ପାଇଁ ବଡ଼ କଥା ନୁହେଁ। ଏହି ଘଟଣାର ନିଶ୍ଚିତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପିସିସିଏଫ୍(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ ଏକ ପ୍ରେସ୍ ବିବୃତି ଜାରି କରି ସିଧାସଳଖ ସେସୁର ଦାୟିତ୍ବହୀନତା ପାଇଁ ହାତୀଙ୍କ ଜୀବନ ଗଲା ବୋଲି ଜଣାଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ୨୦୧୮ ମାର୍ଚ୍ଚ ୨୯ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ହାତୀ ଚଳାଚଳ କରୁଥିବା ଅଞ୍ଚଳ ଦେଇ ଯାଇଥିବା ବିଦ୍ୟୁତ ସରବରାହ ଲାଇନ୍ ପର୍ଯ୍ୟାୟକ୍ରମେ ବଦଳାଯିବ ଓ ନିରାପଦ ଦୂରତ୍ବରେ ରହିବ। ସେହି ଅନୁଯାୟୀ ଡିଏଫ୍ଓମାନେ ପ୍ରସ୍ତାବ ଦାଖଲ କରିଥିଲେ। ଶକ୍ତି ବିଭାଗକୁ ଦୁଇଟି ପର୍ଯ୍ୟାୟରେ ଏହା ଦିଆଯାଇଥିଲା।
ଢେଙ୍କାନାଳ ଡିଏଫ୍ଓ ୧୩୬.୫୭ କିମିର ଏଲ୍ଟି ଲାଇନ୍କୁ କେବଲିଂ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଗତ ସେପ୍ଟମ୍ବର ୨୪ ତାରିଖରେ ଶକ୍ତି ବିଭାଗ ସହ ହୋଇଥିବା ସମନ୍ବୟ ବୈଠକରେ ସେସୁ ଅଧିକାରୀମାନଙ୍କୁ ମଧ୍ୟ ଏ ନେଇ ଅବଗତ କରାଯାଇଥିଲା। କିନ୍ତୁ ସେମାନେ କୌଣସି ପଦେକ୍ଷପ ନେଇ ନ ଥିଲେ। ଏପରିକି ଗତ ବର୍ଷ ନଭେମ୍ବର ମାସରେ ଢେଙ୍କାନାଳ ଡିଏଫ୍ଓ ସେସୁର ନିର୍ବାହୀ ଯନ୍ତ୍ରୀଙ୍କୁ ପତ୍ର ଲେଖି କମଳାଙ୍ଗରୁ ମେରାମୁଣ୍ଡଳୀ ସେକ୍ସନ ଅନ୍ତର୍ଗତ କାଳିଆତୈଳ ଯାଏ ୧୧ କେଭି ତାର ଓହଳି ପଡ଼ିଥିବା ଜଣାଇଥିଲେ। କମଳାଙ୍ଗ ଅଞ୍ଚଳରେ ବିଦ୍ୟୁତ ତାରକୁ କେବଲିଂ କରିବା ପାଇଁ ଡିଏଫ୍ଓ ମଧ୍ୟ ବିଧିବଦ୍ଧ ପ୍ରସ୍ତାବ ସେସୁ ନିକଟରେ ଦାଖଲକରିଥିଲେ। କିନ୍ତୁ େସସୁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ୭ଟି ହାତୀର ପ୍ରାଣ ଚାଲିଗଲା ବୋଲି ପିସିସିଏଫ୍ ଆରୋପ ଲଗାଇଛନ୍ତି।
ଶକ୍ତି ବିଭାଗର ସଚିବ ହେମନ୍ତ ଶର୍ମା ଜଙ୍ଗଲ ବିଭାଗର ଆରୋପକୁ ସିଧାସଳଖ ଖଣ୍ଡନ କରି ନ ଥିଲେ ବି ତାହାକୁ ଗ୍ରହଣ କରି ନ ଥିଲେ। ପୂର୍ବାହ୍ନରେ ସେ ସଚିବାଳୟରେ କହିଥିଲେ, ଘଟଣାର ଅନୁଧ୍ୟାନ କରିବା ପାଇଁ ଶକ୍ତି ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଜଙ୍ଗଲ ବିଭାଗ ସହ ଶକ୍ତି ବିଭାଗର ନିୟମିତ ସମନ୍ବୟ ବୈଠକ କରାଯାଇ ଆବଶ୍ୟକ କାର୍ଯ୍ୟ ହାତକୁ ନିଆଯାଉଛି ବୋଲି ସେ ସଫେଇ ଦେଇଥିଲେ।
୮ ବର୍ଷରେ ମଲେଣି ୯୦ ହାତୀ
ଭୁବନେଶ୍ବର : ଢେଙ୍କାନାଳରେ ବିଦ୍ୟୁତ ତାର ଲାଗି ୭ ହାତୀ ମୃତ୍ୟୁବରଣ କରିବା ପରେ ରାଜ୍ୟରେ ହଇଚଇ ହୋଇଛି। ମୃତ୍ୟୁକୁ ଦାୟୀ କରି ଦୁଇଟି ସରକାରୀ ବିଭାଗରୁ ୭ ଅଧିକାରୀଙ୍କ ମୁଣ୍ଡ ଗଡ଼ି ଥିବା ବେଳେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୁଣା ଅଧିକାରୀଙ୍କୁ ଖୋଜା ଚାଲିଛି। ଏଭଳି ସ୍ଥିତିରେ ହାତୀ ମୃତ୍ୟୁକୁ ନେଇ ରହିଥିବା ପରିସଂଖ୍ୟାନ ପରିବେଶବିଦ୍ଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି। କେବଳ ବିଦ୍ୟୁତ ତାର ଲାଗି ୮ ବର୍ଷରେ ୯୦ ଟି ହାତୀ ମରିଛନ୍ତି। ଏହି ବିଦ୍ୟୁତ ତାର ଯେମିତି ହାତୀଙ୍କ ପାଇଁ ମହାମାରୀ ପାଲଟିଛି। ୨୦୦୦ ରୁ ୨୦୧୦ ପର୍ଯ୍ୟନ୍ତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ୧୬୭ ଥିବା ବେଳେ ୮ ବର୍ଷରେ ୯୦ ହାତୀ ମରିବା ପରିବେଶ ପାଇଁ ବିପଜ୍ଜନକ ବୋଲି କୁହାଯାଉଛି। ବନବିଭାଗ ଝୁଲି ରହିଥିବା ତାରର ସ୍ଥିତି ଅନୁଧ୍ୟାନ କରୁନଥିବା ବେଳେ ଶକ୍ତି ବିଭାଗ ମଧ୍ୟ ଆଖି ବୁଜି ଦେଇଛି। ଫଳରେ ଏହି ବରଳ ଜୀବଙ୍କର ଜୀବନ ଯାଉଥିବା କୁହାଯାଉଛି।
ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି
ଭୁବନେଶ୍ବର : ହାତୀ ମୃତ୍ୟୁ ଘଟଣାରେ ଜଙ୍ଗଲ ଓ ଶକ୍ତି ବିଭାଗ ଦୋଷ ଲଦାଲଦି ହେବା ଘଟଣାକୁ ସମାଲୋଚନା କରିଛି ବିଜେପି। ରାଜ୍ୟ ସରକାର କିପରି ଦେବାଳିଆ ହୋଇଗଲେଣି, ଏହା ତାହାର ପ୍ରମାଣ ବୋଲି ବିଜେପି କହିଛି। ଏହା ସହ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ।
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ପାଣି କହିଛନ୍ତି, ଶକ୍ତି ବିଭାଗ ହେଉଛି ରାଜ୍ୟ ସରକାରଙ୍କ ଅଧୀନସ୍ଥ ଏକ ସଂସ୍ଥା। ବାରମ୍ବାର ଅଭିଯୋଗ ପରେ ବି ୧୧ କେଭି ତାରକୁ ବିଦ୍ୟୁତ ବିଭାଗ ଦାୟିତ୍ବହୀନତା ଭାବେ ଛାଡ଼ିଦେବା ବିଭାଗର ପାରିଦର୍ଶିତା ଉପରେ ପ୍ରଶ୍ନବାଚୀ ଲଗାଇଛି। ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ତାର ଝୁଲିକି ରହିଛି। ରାଜ୍ୟ ସରକାର ଏହାର ସମାଧାନ ନ କରି ବନ୍ୟଜନ୍ତୁ ଓ ସାଧାରଣ ଲୋକଙ୍କ ଜୀବନକୁ ମରଣ ମୁହଁକୁ ଠେଲି ଚାଲିଛନ୍ତି। ଏହି ସମସ୍ତ ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି। ତେଣୁ ଶକ୍ତି ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା କଥା। ଅନ୍ୟ ପଟେ ହାତୀମାନଙ୍କ ଗତିବିଧିକୁ ନୀରିକ୍ଷଣ କରିବା ଦାୟିତ୍ବ ବନ ବିଭାଗର। କିନ୍ତୁ ଏହି ବିଭାଗ ବି ତା’ର କାର୍ଯ୍ୟ ଠିକ୍ ଭାବେ କରୁ ନାହିଁ। ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ୍ରେ ବିଗତ ୪ ଦିନରେ ହାତୀ ଦ୍ବାରା ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ହିନ୍ଦୋଳ ରେଞ୍ଜ୍ରେ ଜଣଙ୍କ ମୃତ୍ୟୁ ଘଟିଛି। ବନ୍ୟଜନ୍ତୁଙ୍କ ଦ୍ବାରା ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଜଙ୍ଗଲ ଓ ପରିବେଶ ବିଭାଗ ଠୋସ୍ ପଦେକ୍ଷପ ନ ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛି। ତେଣୁ ନୈତିକତା ଦୃଷ୍ଟିରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବି ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ପାଣି ଦାବି କରିଛନ୍ତି।