କଳାବାଡ଼ିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ଭୁଆଶୁଣି ଗ୍ରାମ ନିକଟରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଧାନଜମିକୁ ମାଡ଼ିଦଳି ପକାଇଛନ୍ତି। ଫଳରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି ଓ ଫସଲ ଅମଳ ଆଶା ହରାଇଛନ୍ତି। ୯ଟି ହାତୀ ଆସି ଏ ଇଲାକାରେ ଉପଦ୍ରବ ଚଳାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇଦିନ ତଳେ ୭ ଏକରରୁ ଅଧିକ ଅଧାପାଚିଲା ଧାନ ଫସଲ ଖାଇ ଓ ଦଳିଚକଟି ନଷ୍ଟ କରିଥିଲେ। ଗତକାଲି ରାତିରେ ଧୋବଣିଶୋଳ ପଞ୍ଚାୟତର ବାଲିଖଣି ଓ କୁଆବସା ଅଞ୍ଚଳରେ ୧୫ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ବଣୁଆ ହାତୀପଲ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି। ଏହି ପଲରେ ୬ଟି ବଡ଼, ୩ଟି ଛୁଆ ହାତୀ ଅଛନ୍ତି। ହାତୀପଲଙ୍କ ପ୍ରାଦୁର୍ଭାବରେ ବାଲିଖଣି ଅଞ୍ଚଳରେ ସୁରେଶ ଚନ୍ଦ୍ର ବାସ୍କେ, ଶଙ୍କର ହାଁସଦା, ନବ ହାଁସଦା, ଜୟରାମ ହାଁସଦାଙ୍କର ୫ ଏକର ପାଚିଲା ଧାନ ଫସଲ ନଷ୍ଟ ହୋଇଛି।
ସେହିପରି କୁଆବସା ଅଞ୍ଚଳରେ ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ କରିଛନ୍ତି ହାତୀପଲ। ହାତୀପଲଙ୍କ ପାଇଁ ସୁନାରାମ ଚାପିୟାର, ଚୈତନ୍ୟ ପ୍ରସାଦ ଚାପିୟାର, ଚୁନୁ ସୋରନେ, କିଶୁନ ହାଁସଦା, ଅନନ୍ତ ହାଁସଦା, ସନାତନ ସୋରେନ, ଲକ୍ଷୀ ହାଁସଦା, ରମି ହେମ୍ବ୍ରମ, ଦୁବାଇ ମାଝୀଙ୍କ ଏକର ଏକର ପାଚିଲାଧାନ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀମାନେ ବନ ଅଧିକାରୀଙ୍କୁ ଏନେଇ ଅବଗତ କରାଇଛନ୍ତି। ହେଲେ ବନ କର୍ମଚାରୀ ଗ୍ରାମକୁ ଯାଇ ନିଜେ ହାତୀ ଘଉଡ଼ାଇବା ପାଇଁ ଚାଷୀଙ୍କୁ କହି ଫେରିଯିବା ଘଟଣା ଅସନ୍ତୋଷ ସୃଷ୍ଟି କରିଛି।
ଧୋବଣୀଶୋଳ ସରପଞ୍ଚ ଯାଦବ ମୁର୍ମୁ ଏ ବିଷୟରେ ବନ ବିଭାଗକୁ ଅବଗତ କରାଇବା ସହ ତୁରନ୍ତ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏବେ ଟୁଲିଆ ଜଙ୍ଗଲରେ ୯ଟି ହାତୀ ଥିବା ଜଣାପଡ଼ିଛି। ଫସଲ ଜଗିବାକୁ ଚାଷୀ ମଞ୍ଚା ବାନ୍ଧି ପାଳି କରି ବସି ରହୁଛନ୍ତି। ହାତୀ ଘଉଡ଼ାଇବା ପାଇଁ ପର୍ଯ୍ୟାପ୍ତ ବାଣ ଯୋଗାଇବାକୁ ଦାବି ହୋଇଛି। ବାଙ୍ଗିରିପୋଷି ରେଞ୍ଜର ତପନ କୁମାର ଦାସଙ୍କୁ ପଚାରିବାରେ ହାତୀଙ୍କ ଗତିବିଧି ଉପରେ ବନ ବିଭାଗ ନଜର ରଖିଛି। ବଡ଼ଗାଁ ଫରେଷ୍ଟରଙ୍କ ସହ ମୁଁ ନିଜେ ଏହାର ତଦାରଖ କରୁଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।