ଯଶିପୁର: ଯଶିପୁର ବ୍ଲକର ବେଗୁନିଆ ଓ ମଉଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ୨୨ଟି ହାତୀଙ୍କ ଉପଦ୍ରବ ଜାରି ରହିଛି। ଗତକାଲି ରାତିରେ ଓ ଆଜି ଦିନବେଳା ହାତୀପଲ ବିଭିନ୍ନ ଦଳରେ ଭାଗ ହୋଇ ୪ଟି ଗାଁରେ ପଶି ତାଣ୍ଡବଳୀଳା ରଚିଛନ୍ତି। ୧୫ଟି ଘର ଭାଙ୍ଗି ଧାନଚାଉଳ ଖାଇବା ସହିତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଥିସହିତ ୨ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ କବାଟ, ଝରକା ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗି ନଷ୍ଟ କରିଥିବା ଜଣାପଡ଼ିଛି। ହାତୀ ଯୋଗୁଁ ବାସହରା ପରିବାର ପର ଘରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି।
ଗତକାଲି ରାତିରେ ମହୁଲପଦା ଗାଁରେ ପଶି ଉପଦ୍ରବ ଆରମ୍ଭ କରିଥିଲେ ହାତୀପଲ। ଗ୍ରାମର ଲାଲମୋହନ ହୋଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲେ। ଗୃହଶୂନ୍ୟ ହୋଇ ସ୍ୱାମୀ ସ୍ତ୍ରୀ ଓ ଦୁଇ ସନ୍ତାନ ବେସାହାରା ହୋଇ ପଡ଼ିଛନ୍ତି। ଏଥିସହିତ ସେହି ଗ୍ରାମର ଗୁରା ମହାରଣା, ଲାଲଟୁ ହୋ ଓ ସାଧୁ ହୋଙ୍କ ଘରକାନ୍ଥ କଣା କରିବା ସହିତ କବାଟ, ଝରକା ଭାଙ୍ଗି ପକାଇଛନ୍ତି ହାତୀପଲ।
ସେହିଭଳି ନେବଦା ଗାଁ ନାଏକ ସାହିର ବିଜୁ ନାଏକ, କୌଶଲ୍ୟା ନାଏକ ସଂଯୁକ୍ତା ନାଏକ, ଶାନ୍ତିଲତା ନାଏକ ଓ ରମା ପାତ୍ରଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଛନ୍ତି। ନେବଦା ବନ୍ଧସାହିର କାନ୍ଦୁରୁ ବାଦିଆ ଓ ବଇଦୁ ମହାନ୍ତଙ୍କ ଘର ମଧ୍ୟ ହାତୀ ଉପଦ୍ରବରୁ ବାଦ୍ ପଡ଼ିନି। ଆଜି ଦିନବେଳା ଜିଆଣି ଗ୍ରାମର ମଣ୍ଟୁ ହୋଙ୍କ ଘର ଭଙ୍ଗାରୁଜା କରି ହାତୀପଲ ଧାନଚାଉଳ ଖାଇ ଯାଇଛନ୍ତି। ରଙ୍ଗାମାଟିଆ ଗ୍ରାମର ରାମ ହୋ ଓ ହର ମହାନ୍ତଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କେବଳ ସେତିକି ନୁହେଁ, ଚାଉଳ ଖାଇବା ଆଶାରେ ହାତୀପଲ ଜିଆଣି ସାହି ପ୍ରାଥମିକ ସ୍କୁଲର ପାଚେରୀ, ଗେଟ୍, ଶ୍ରେଣୀଗୃହରେ ଚେୟାର, ଟେବୁଲ, ଆଲମାରି ଆଦିକୁ ଭାଙ୍ଗିରୁଜି ଦେଇଛନ୍ତି। ବେଗୁନିଆ ପଞ୍ଚାୟତ ସରପଞ୍ଚ ରୂପଶ୍ରୀ ନାଏକ ଓ ବନ କର୍ମଚାରୀ କ୍ଷତିଗ୍ରସ୍ତ ଘର ବୁଲି ସ୍ଥିତି ଆକଳନ କରିଛନ୍ତି। ଆଜି ସନ୍ଧ୍ୟାରେ ହାତୀପଲ କୁଦରବିଶଦା ଜଙ୍ଗଲରେ ଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ହାତୀ ଭୟରେ ଆଖପାଖ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/mue2.jpg)