ବ୍ୟାପକ ଫସଲ ନଷ୍ଟକଲେ ହାତୀପଲ, ଘର ଭାଙ୍ଗି ଧାନଚାଉଳ ଖାଇଲେ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ବଣୁଆ ହାତୀ ପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ବିମଳା ଓ ତେଲକୋଇ ଫରେଷ୍ଟ ସେକ୍ସନରେ ୨୯ଟି ହାତୀ ରହି ଉତ୍ପାତ ଜାରି ରଖିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ସନ୍ଧ୍ୟା ହେଲେ ଲୋକେ ଭୟରେ ତାଟିକବାଟ କିଳି ଦେଉଛନ୍ତି। ସଂଜ ନଇଁଲେ ହାତୀପଲ ଗାଁ ମୁହାଁ ହେବା ସହିତ ଜନବସତିରେ ଉତ୍ପାତ କରୁଛନ୍ତି। ଧାନ ବିଲରେ ପଶି ଧାନ ଫସଲ ଖାଇବା ସହିତ ଦଳିଚକଟି ନଷ୍ଟ କରୁଛନ୍ତି। ବିଳମ୍ବିତ ରାତିରେ ଗାଁରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇଯାଉଛନ୍ତି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନ ବଭାଗ ହାତୀ ଘଉଡାଇବା ପାଇଁ କୌଣସି ଆନ୍ତରିକତା ଦେଖାଉ ନାହିଁ ବୋଲି ଚାଷୀକୁଳ ଅଭିଯୋଗ କରିଛି।

ଦୁଇତିନିଦିନ ହେବ ଦିନ ହେଲା ଏହି ହାତୀପଲ କୁଲାଡେରା, କନ୍ତଲେଇ, ବନବିହାରୀପୁର, ଖଜୁରିଆ, ମଲଣ୍ଡା, ବାଲେଶ୍ଵର, ଦୁଲ୍ଲଭପୁର ପ୍ରଭୃତି ସ୍ଥାନରେ ଉପଦ୍ରବ ଜାରି ରଖିଛନ୍ତି। ଗତକାଲି ବିଳମ୍ବିତ ରାତିରେ କୁଲାଡେରା ଗ୍ରାମର ବାଇଧର ନାଏକ, ଶ୍ରୀଧର ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି। ସେହିଭଳି ଅନ୍ୟ ଗାଁ ଗୁଡିକର ଚାଷ ଜମିରେ ପଶି ଅରକ୍ଷିତ ସାହୁ, ଲମ୍ବୋଦର ପରିଡା, ମଦନମୋହନ ସାହୁ, କାଳିଆ ସାହୁ, ତପନ ସାହୁ, ବାଇଧର ନାଏକ ପ୍ରମୁଖଙ୍କ ୧୫ ଏକରରୁ ଊର୍ଦ୍ଧ୍ବ ଧାନ ଫସଲ ନଷ୍ଟ କରିଦେଇଛନ୍ତି। ହାତୀ ପଲ ଏବେ ବାଉଁଶିଆ ହୁଳି ଠାରେ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ସରକାର କ୍ଷତିପୂରଣ ସହାୟତା ବୃଦ୍ଧି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର