ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଚାରିଦିନ ହେଲା ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଗତକାଲି ସକାଳେ ଶିଲିପଦା ଗ୍ରାମ ଜାଙ୍ଗଲରେ ହାତୀପଲ ମହୁଲପୋଚ ଖାଇ ଦୀର୍ଘସମୟ ପର୍ଯ୍ୟନ୍ତ ଶୋଇ ପଡ଼ିଥିଲେ। କିଛିଘଣ୍ଟା ପରେ ସ୍ବାଭାବିକ ଅବସ୍ଥାକୁ ଫେରିବା ପରେ ହାତୀପଲ ପୁଣି ଉତ୍ପାତ ଆରମ୍ଭ କରିଛନ୍ତି। ଲୋକଙ୍କ କଦଳୀ ବଗିଚା ଉଜାଡ଼ିବା ସହ ପୋଖରୀରେ ପଶି ଜଳକ୍ରୀଡ଼ା କରିଛନ୍ତି।
/sambad/media/post_attachments/wp-content/uploads/2022/11/kkk-750x430.jpg)
ଗତକାଲି ପୂର୍ବାହ୍ନ ହାତୀପଲ ସ୍ବାଭାବିକ ଅବସ୍ଥାକୁ ଆସିବା ପରେ ବୈତରଣୀ ନଦୀ ପାର ହୋଇ ପାଟଣାରେ ଡେରା ପକାଇଥିଲେ। ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦମ୍ୟ କରି ବିଫଳ ହୋଇଥିଲେ। ସ୍ଥାନୀୟ ଲୋକେ ମଧ୍ୟ ବାଜା ବଜାଇ, ବାଣ ଫୁଟାଇ ହାତୀପଲଙ୍କୁ ଘଉଡ଼ାଉଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ଲୋକଙ୍କ କୋଳାହଳ ଭିତରେ ହାତୀପଲ ପାଟଣା ନିକଟସ୍ଥ ବିଷ୍ଣୁପୁର ଗ୍ରାମର ଦୀନବନ୍ଧୁ ମିଶ୍ରଙ୍କ ଘର ପାଖ ଆକାଶିଆ ଜଙ୍ଗଲରେ ରାତିସାରା ରହିଥିଲେ। ରାତିରେ ହାତୀପଲ ଉଦୟନାଥ ମିଶ୍ରଙ୍କ କଦଳୀ ବଗିଚାରେ ପଶି କଦଳୀଗଛ ଗୁଡ଼ିକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି। ତାଙ୍କ ଘର ନିକଟରେ ଥିବା ଏକ ପୋଖରୀରେ ହାତୀପଲ ଆଜି ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା।
ହାତୀପଲଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। କିଛି ଅମାନିଆ ଲୋକ ହାତୀଙ୍କୁ ବିରକ୍ତ କରୁଥିବାରୁ ଅଘଟଣ ଘଟିବାର ଭୟ ରହିଛି। ସନ୍ଧ୍ୟାରେ ହାତୀପଲ ଏହି ସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ଚାହୁଁଥିଲେ ମଧ୍ୟ ଲୋକଙ୍କ ଗହଳି ଦେଖି ସେମାନେ ଏଣେତେଣେ ବୁଲି ବାଟବଣା ହୋଇଯାଉଛନ୍ତି। ଯାହା ବନ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପାଟଣାରେ ହିଁ ହାତୀପଲ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/elephant-keon.jpg)