ସ୍କୁଲ ଭାଙ୍ଗିଦେଲେ ହାତୀପଲ, ଶିଶୁଦିବସ କାର୍ଯ୍ୟକ୍ରମ ବନ୍ଦ

ବେତନଟୀ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ନଡ଼ପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ଭାଙ୍ଗି ନାରଖାର୍ କରିଛନ୍ତି ୬୪ଟି ହାତୀ। ଫଳରେ, ଶିଶୁଦିବସ କାର୍ଯ୍ୟକ୍ରମ ପାଳିତ ହୋଇନଥିବା ଜଣାପଡ଼ିଛି।

ରବିବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ପଳାଇ ଆସିଥିବା ହାତୀପଲ ସ୍କୁଲ୍‌ ହତାରେ ପ୍ରବେଶ କରିଥିଲେ ଏବଂ ସୋମବାର ସକାଳ ପର୍ଯ୍ୟନ୍ତ ତାଣ୍ଡବଲୀଳା ରଚିଥିଲେ। ସ୍କୁଲ କାର୍ଯ୍ୟାଳୟ, ଶ୍ରେଣୀଗୃହ ସବୁକିଛି ଭାଙ୍ଗି ପକାଇଥିଲେ। ସୋମବାର ଦିନ ଶିଶୁଦିବସ ପାଇଁ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଥିବାରୁ ସକାଳେ ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀ ପହଞ୍ଚିବା ବେଳକୁ ବିଦ୍ୟାଳୟ ପରିସର ଶ୍ରୀହୀନ ହୋଇ ପଡ଼ିଥିଲା। ଏମିତିକି ପିଲାମାନେ ବସିବା ପାଇଁ ବି ଘର ନଥିଲା। ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍‌ ହାତୀପଲଙ୍କ ଉପରେ ଅହରହ ନଜର ରଖିବା ସତ୍ତ୍ବେ ହାତୀପଲ ସ୍କୁଲ ଘର ଭାଙ୍ଗି ପକାଇବା ନେଇ ଗ୍ରାମବାସୀ ଓ ଅଭିଭାବକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଘଟଣାସ୍ଥଳରେ ବଡ଼ସାହି ବିଧାୟକ ସନାତନ ବିଜୁଳି ପହଞ୍ଚି ହାତୀ ନିୟନ୍ତ୍ରଣରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଇ ବିଭାଗୀୟ ଅଧିକାରୀଙ୍କ ଉପରେ ଭୀଷଣ ବିରକ୍ତ ହୋଇଥିଲେ। ସେପଟେ ହାତୀ ସୁରକ୍ଷା ଆଳରେ ବିଦ୍ୟୁତ୍‌ ବିଭାଗ ମଧ୍ୟ ଅଘୋଷିତ ବିଜୁଳି କାଟ୍‌ କରି ଲୋକଙ୍କୁ ହଇରାଣ ହରକତ କରୁଥିବାରୁ ଏ ନେଇ ଆସନ୍ତା‌ ବିଧାନସଭା ଅଧିବେଶନରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ। ବନ ବିଭାଗ ଅଧିକାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ ସହିତ ସ୍କୁଲ କର୍ତ୍ତୃପକ୍ଷ, ପରିଚାଳନା କମିଟି, ଅଭିଭାବକ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର