କରଡ଼ି ବେପାର ଲାଗି ଜଙ୍ଗଲରୁ ହ୍ରାସ ପାଉଛି ବାଉଁଶ, ଭୋକିଲା ରହୁଛନ୍ତି  ହାତୀ 

ବିଶେଷ ରିପୋର୍ଟ/ ମହେନ୍ଦ୍ର ସାହୁ

ଭୁବନେଶ୍ୱର (ମହେନ୍ଦ୍ର ସାହୁ): ବର୍ତ୍ତମାନ ହାତୀ-ମଣିଷ ସଂଘର୍ଷ ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳୁଛି। ହାତୀମାନେ ଜଙ୍ଗଲ ଛାଡ଼ି ଜନବସତିକୁ ପଶି ଆସି ଧନଜୀବନ ନଷ୍ଟ କରୁଛନ୍ତି। ବିଶେଷଜ୍ଞମାନଙ୍କ ଅନୁଯାୟୀ, ହାତୀମାନେ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ପାଉ ନ ଥିବାରୁ ବାହାରକୁ ଚାଲି ଆସୁଛନ୍ତି। ଆଉ ଏଥି ପାଇଁ ଏକପ୍ରକାର ମଣିଷ ଦାୟୀ। ହାତୀ ଖାଉଥିବା ଖାଦ୍ୟ ଉପରେ ମଣିଷର ନଜର ପଡ଼ିଛି। ହାତୀଙ୍କ ପ୍ରିୟ ଖାଦ୍ୟ ବାଉଁଶ ପତ୍ର, ମାତ୍ର କ୍ରମଶଃ ବଢ଼ୁଥିବା ବାଉଁଶ କରଡି ବ୍ୟବସାୟ ଯୋଗୁଁ ଏହା ହାତୀଙ୍କ ଲାଗି ଦୁଷ୍ପାପ୍ର୍ୟ ହୋଇପଡ଼ିଛି। ଏହା ବଣ୍ୟପ୍ରାଣୀ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି।

ଓଡ଼ିଶାର ଛୋଟ ବଡ଼  ସହର ଓ ବଜାରରେ ଆଜିକାଲି  ବାଉଁଶ କରଡ଼ି ବିକ୍ରି ହେଉଛି। ପାଟିକୁ ଖଟା ଲାଗୁଥିବା କରଡି ବେଶ ସୁଆଦିଆ । କରଡିରୁ ତରକାରୀ, ଭଜା ଓ ପିଠା ମଧ୍ୟ ପ୍ରସ୍ତୁତ କରାଯାଇଥାଏ। କରଡିରୁ ଆଚାର ମଧ୍ୟ ତିଆରି ହୋଇଥାଏ।  କରଡି ହେଉଛି ପାହାଡି ବାଉଁଶର ପ୍ରାଥମିକ ରୂପ। କଅଁଳ ବାଉଁଶ ବିକଶିତ ହେବା ପୂର୍ବରୁ ଜଙ୍ଗଲ ନିକଟରେ ଥିବା ଗାଁର ଲୋକମାନେ ଏହାକୁ ଉପାଡି ଆଣିଥାନ୍ତି। ତାକୁ ଘରେ ପ୍ରସ୍ତୁତ କରି ବଜାରରେ ବିକ୍ରି କରିଥାନ୍ତି। ଏବେ କରଡି କିଲୋ ବଜାରରେ ୪୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଏହି କାମରେ ନିୟୋଜିତ ଥିବା ଲୋକେ ଦିନକୁ ପ୍ରାୟ ୨୦ କିଲୋ କରଡି ସଂଗ୍ରହ କରିଥାନ୍ତି। ଏଥି ପାଇଁ ସେମାନେ ଶତାଧିକ ବାଉଁଶ ଗଛ ନଷ୍ଟ କରିଥାନ୍ତି।

ଓଡ଼ିଶାର ପ୍ରାୟ ସବୁ ଜଙ୍ଗଲରେ କରଡି ମିଳିଥାଏ। କୋରାପୁଟ, ମୟୂରଭଂଜ, ସମ୍ବଲପୁର, ସୋନପୁର, କଳାହାଣ୍ଡି, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ବଜାର ଗୁଡ଼ିକରେ କରଡ଼ି ବିକ୍ରି ହୋଇଥାଏ। ଜଙ୍ଗଲରୁ କରଡ଼ି କଟାଯିବା ଫଳରେ ବାଉଁଶ ବଣ ସୃଷ୍ଟି ହେବାରେ ବାଧା ପହଂଚୁଛି। କାରଣ ବାଉଁଶ ଗଛ ବିକଶିତ ହେବା ପୂର୍ବରୁ ଅସାଧୁ ଲୋକେ ବେଆଇନ ଭାବେ ତାକୁ ଉପାଡି ଆଣୁଛନ୍ତି।

ନଷ୍ଟ ହେଉଛି ବାଉଁଶ

ପାହାଡି ବାଉଁଶରୁ ପ୍ରସ୍ତୁତ କରଡ଼ି ସ୍ୱାଦିଷ୍ଟ ଲାଗିଥାଏ। ଗୋଟିଏ କିଲୋ କରଡି ପ୍ରସ୍ତୁତ ହେବା ପାଇଁ ପାଖାପାଖି ୧୦ରୁ ଅଧିକ କଅଁଳ ବାଉଁଶ ନଷ୍ଟ ହେଉଛି। ଏଥିରୁ ଅନୁମାନ କରାଯାଇପାରିବ ଯେ, କରଡି କଟାଯିବା ଦ୍ୱାରା ପରିବେଶ କେତେ କ୍ଷତି ହେଉଛି। ପାହାଡି ବାଉଁଶ ହାତୀର ପ୍ରିୟ ଖାଦ୍ୟ। ହାତୀ ବାଉଁଶ ଅପେକ୍ଷା ଏହାର ପତ୍ର ଓ କରଡି ଖାଇବାକୁ ଭଲ ପାଇଥାଏ।

ପାହାଡି ବାଉଁଶ ଅଧିକ ମଜବୁତ

ଦେଶୀ ବାଉଁଶ ତୁଳନାରେ ପାହାଡି ବାଉଁଶ ଗୋଟାଲିଆ ଓ ଶକ୍ତ ମଧ୍ୟ ହୋଇଥାଏ। ଏଥି ପାଇଁ ଗ୍ରାହକମାନଙ୍କର ପ୍ରଥମ ପସନ୍ଦ ପାହାଡି ବାଉଁଶ। ଏହି ପ୍ରଜାତିର ବାଉଁଶ ଗୋଟିକର ମୂଲ୍ୟ ୨୦୦ ଟଙ୍କା ରହୁଥିବା ବେଳେ ଭଲ ଦେଶୀ ବାଉଁଶ ୧୫୦ ଟଙ୍କାରେ ବିକ୍ରି ହେଉଛି। ପାହାଡି ବାଉଁଶ ବ୍ୟବସାୟ ପାଇଁ ଅନୁମତି ନାହିଁ। ତଥାପି ବିଭାଗୀୟ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଏହାର ଚୋରାଚାଲାଣ ହେଉଛି। ବଜାରରେ ବିକ୍ରି ହେଉଛି। ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ଦେଶୀ ବାଉଁଶ ଫାର୍ମ କରିବାକୁ ସୁବିଧା ପ୍ରଦାନ କରୁଛନ୍ତି।

ଓଡ଼ିଶା ଜଙ୍ଗଲ ଆଇନ-୧୯୭୨ ପରିବର୍ତ୍ତନ ହେବା ଦରକାର: ଭାନୁମିତ୍ର

ପ୍ରାଣୀ ସୁରକ୍ଷା ପାଇଁ ପ୍ରଯୁଜ୍ୟ ୧୯୭୨ ଜଙ୍ଗଲ ଆଇନ ସଂଶୋଧନ ହେବା ଦରକାର ବୋଲି ଭାନୁମିତ୍ର ଆଚାର୍ଯ୍ୟ ମତ ଦିଅନ୍ତି। ଏହି ନିୟମରେ ସଂଶୋଧନ କରାଗଲେ ପ୍ରାଣୀ ସୁରକ୍ଷା ପାଇଁ ଉପାୟ ଅଣାଯାଇ ପାରିବ। ଅଭୟାରଣ୍ୟ ମଧ୍ୟରେ ଅନ୍ୟ କୌଣସି ଗଛ ଲଗାଇବାକୁ ଅନୁମତି ଦିଆ ନଯିବା ଦରକାର। ହାତୀଙ୍କ ପାଇଁ ପାହାଡି ବାଉଁଶର ସୁରକ୍ଷା କରାଯିବା ଦରକାର। ଏହା ଦ୍ୱାରା ହାତୀମାନେ ନିଜର ଖାଦ୍ୟ ପାଇପାରିବେ ଏବଂ ହାତୀଜନିତ ମନୁଷ୍ୟଙ୍କ ମୃତ୍ୟୁ ହ୍ରାସ ପାଇପାରିବ।

ସରକାର ଲୋକଙ୍କ ସୁରକ୍ଷା ପାଇଁ ଜୀବଜନ୍ତୁଙ୍କ ଖାଦ୍ୟ-ପାନୀୟ ପ୍ରତି ଦୃଷ୍ଟି ଦେଲେ ଧନ-ଜୀବନ ସୁରକ୍ଷିତ ହୋଇପାରିବ। ହାତୀ ମାନେ ଭୋକିଲା ହୋଇ ପାହାଡ଼ରୁ ଗାଁ ଓ ସହରାଭିମୁଖୀ ହେଉଛନ୍ତି। ପାହାଡରେ ପ୍ରଚୁର ପରିମାଣରେ ବାଉଁଶ ଲଗାଇବା ସହ ପାହାଡ଼ର ପାଦଦେଶ ଠାରୁ ପାଖାପାଖି ୧୦ କିଲୋମିଟର  ଯାଏଁ ବାଉଁଶ ବଣ ଲଗାଇଲେ, ହାତୀମାନେ ଜଙ୍ଗଲରୁ ପଦାକୁ ଏତେ ପରିମାଣରେ ଆସିବେ ନାହିଁ। କାରଣ ସେମାନେ ନିଜ ପରିବେଶରେ ପ୍ରଚୁର ଖାଦ୍ୟ ଖାଇପାରିବେ।

 

 

 

ସମ୍ବନ୍ଧିତ ଖବର