କୁଞ୍ଜାପାଲି ଗ୍ରାମ୍ୟ ଜଙ୍ଗଲରେ ହାତୀ ପଲ, ଗ୍ରାମବାସୀ ଆତଙ୍କିତ

ଉଲୁଣ୍ଡା : ରେଢ଼ାଖୋଲ ଜଙ୍ଗଲରୁ କିଛିଦିନ ହେଲା ୧୦ଟି ହାତୀ ଆସି ବୀରମହାରାଜପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଏଥିଯୋଗୁଁ ଗ୍ରାମବାସୀଙ୍କ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ହାତୀ ପଲ ରଜାବନ୍ଧ ଦେଇ ଝାଙ୍କରପାଲି, ଉଫୁଲା ଗାଁ ନିକଟରେ ଥିବା ଫାର୍ମ ହାଉସ ପାଚେରି ଭାଙ୍ଗି ଦେଇଥିଲେ। ପରେ ହାତୀ ପଲ ଜବଲପାଲି କାଜୁ ବଗିଚାରେ ଗତକାଲି ରହି ଯାଇଥିଲେ। ବନ ବିଭାଗ ହାତୀଙ୍କୁ ସେଠାରେ ଘଉଡ଼ାଇବାରୁ ସେମାନେ ଯାଲୋଏ-ଲମ୍ବପାଲି ଗାଁ ଅତିକ୍ରମ କରି ଜାମଗାଁ ଜଙ୍ଗଲ ମଝିରେ ଥିବା ହର୍ଣ୍ଣପାଲି ଜଙ୍ଗଲକୁ ଚାଲି ଯାଇଥିଲେ। ମଙ୍ଗଳବାର କୋଟସମଲାଇ ଗାଁର ଜନ୍ମେଜୟ ବାରକୁଟିଆଙ୍କ ଫସଲ ନଷ୍ଟ କରି ଦେଇଥିଲେ। ଏହି ହାତୀ ପଲ ବୁଧବାର ଦୁର୍ଜନତୈଳା ପଞ୍ଚାୟତ କୁଞ୍ଜାପାଲି ଗ୍ରାମ୍ୟ ଜଙ୍ଗଲରେ ରହିଛନ୍ତି। ବନ ବିଭାଗ ହାତୀ ପଲ ପ୍ରତି ନଜର ରଖିଛି।

ଅନ୍ୟପକ୍ଷେ ୨୦ଟି ହାତୀ ବଡାରି, ମାଙ୍କଡ଼ବାହାଲ, ମେଘନାଦ, ପିପଲକଟା, ପଣ୍ଡକିଟାଲ ଅଞ୍ଚଳରେ ଉପଦ୍ରବ କରି ବିନିକା ଅଞ୍ଚଳକୁ ମହାନଦୀ ପାର ହୋଇ ଚାଲି ଯାଇଛନ୍ତି। ଏହି ହାତୀ ପଲ ବର୍ତ୍ତମାନ ସୁଲିଆ ଜଙ୍ଗଲରେ ରହିଥିବା ଜଙ୍ଗଲ ବିଭାଗ ପ୍ରକାଶ କରିଛି। ଉଲୁଣ୍ଡା ବ୍ଲକ୍‌ରେ ବର୍ଷା ତଥା ଚକଡ଼ା ପୋକ ଯୋଗୁଁ ବ୍ୟାପକ ଫସଲ ହାନି ଘଟିଥିଲା। ଯାହା କିଛି ରହିଥିଲା ଏବେ ହାତୀ ପଲ ତାକୁ ଖାଇଯିବା ସହ ମାଡ଼ି ଦଳି ନଷ୍ଟ କରି ଦେଉଛନ୍ତି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷେ ହାତୀ ଯୋଗୁଁ କୋଟସମଲାଇ, ଯଉଁରାଭଉଁରା, ମେଘନାଦ, ସୁଲିଆ ଅଞ୍ଚଳର ଲୋକେ ଦିନ ବେଳା ମଧ୍ୟ ଭୟଭୀତ ଅବସ୍ଥାରେ ଯାତାୟତ କରୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର