ଉପରମୁଣ୍ଡରେ ଅଜାଡ଼ିଲା ବର୍ଷା: ସତର୍କ ସଙ୍କେତ ଉପରେ ବଂଶଧାରା, ଭାସିଗଲେ ହାତୀପଲ

ପାଚେରୀ ଭାଙ୍ଗି ସ୍କୁଲରେ ପଶିଲା ପାଣି, ଅନ୍ତେବାସୀ ଉଦ୍ଧାର

ରାୟଗଡ଼ା/ଗୁଣପୁର: ଲଗାଣ ବର୍ଷା ପ୍ରଭାବରେ ଫୁଲିଛି ବଂଶଧାରା। ଜଳସ୍ତର ଆଜି ସତର୍କ ସଙ୍କେତ ଟିପିଛି। ଅପରାହଣରେ ବର୍ଷା କମିବା ପରେ ସଂଧ୍ୟାରେ ବଂଶଧାରା ଜଳସ୍ତର ସ୍ଥିର ରହିଛି। ସାନ ନଦୀ (ମହେନ୍ଦ୍ରତନୟା) ସମେତ ଶାଖା ନଦୀ, ନାଳ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ରାତିରେ ବଂଶଧାରା ଜଳସ୍ତର ପୁଣି ବଢ଼ିବାର ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନ, କେନ୍ଦ୍ରୀୟ ଜଳ ଆୟୋଗ କମିସନ୍ କର୍ତ୍ତୃପକ୍ଷ ବଂଶଧାରା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।

ଗୁଣପୁର ଉପରମୁଣ୍ଡରେ ଗତ ଦୁଇ ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି। ଗଜପତି ଜିଲ୍ଲାର ତଳି ଅଞ୍ଚଳ ମୋହନା, ଅଡବାରେ ବର୍ଷା ଲାଗି ରହିଥିବାରୁ ସାନ ନଦୀ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସାନନଦୀ ଇଲାକାର ଫୁଲପୁଟି ଅଞ୍ଚଳରେ ରହୁଥିବା ୬ଟିକିଆ ହାତୀପଲ ମଧ୍ୟରୁ ତିନୋଟି ହାତୀ ନଦୀଜଳରେ ଭାସି ଯାଇଥିଲେ। କିଛି ଦୂର ଅତିକ୍ରମ ପରେ ହାତୀମାନେ ବହୁ କଷ୍ଟରେ ଭରାନଈରୁ ଉଦ୍ଧାର ହୋଇ ପୁଣି ଜଙ୍ଗଲକୁ ଚାଲି ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଶାଖା ନଦୀ, ନାଳ ଜଳସ୍ତର ବଢ଼ିବା ପରେ ଭୀମପୁର ହାଇସ୍କୁଲ୍ ପାଚେରୀ ଭାଙ୍ଗି ସ୍କୁଲ୍ ଭିତରେ ପାଣି ପଶିଛି। ୧୪୦ ଅନ୍ତେବାସୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଶ୍ରେଣୀ ଗୃହରେ ପାଣି ଜମି ରହିଥିବାରୁ ସ୍କୁଲକୁ ବନ୍ଦ ଘୋଷଣା କରାଯିବା ସହ ଅତିରିକ୍ତ ଶ୍ରେଣୀ ଗୃହରେ ଅନ୍ତେବାସୀଙ୍କୁ ଥଇଥାନ କରାଯାଇଛି।

ଗୋଦାମ ଗୃହରେ ମଧ୍ୟ ପାଣି ପଶିବା କାରଣରୁ ମଧ୍ୟାହଣ୍ ଭ‌ୋଜନ ପାଇଁ ଥିବା ଚାଉଳ ନଷ୍ଟ ହୋଇଛି। ବର୍ଷା ପ୍ରଭାବରେ ଗୁଣପୁର ତହସିଲ ଜଲତାର ରାଜସ୍ବ ସର୍କଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାହାଡ଼ ଧସି ପାଣି ବହି ଆସିବା ଯୋଗୁ ତଳି ଅଞ୍ଚଳରେ ଥିବା ଜମିରେ ବାଲିଚର ମାଡ଼ି ଯାଇଛି। ଆବଡ଼ା, ଶଗଡ଼ା, ତାରବେଲ୍, କେରେବା ଗ୍ରାମର ୧୫୦ରୁ ଉର୍ଧ୍ବ ଏକର ଜମିରେ ପାହାଡ଼ରୁ ବହି ଆସିଥିବା ପଥର, ମାଟି, ଗୁଡ଼ି, ବାଲି ପଡି ଯାଇଛି। ବର୍ଷା ଜଳ କ୍ରମାଗତ ଜମି ଦେଇ ପ୍ରବାହିତ ହେଉଥିବାରୁ ଜମି ମଧ୍ୟ ନଷ୍ଟ ହୋଇଛି। ଯାହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି।

ସେହିପରି ପ୍ରବଳ ବର୍ଷା ଯୋଗୁ ତିତିମେରି ରାଜସ୍ବ ସର୍କଲର ତିତିମେରି, ଭୀମପୁର, ଝୁମ୍ଫାପୁର, ଲକ୍ଷ୍ମୀପୁର, ମୁଣ୍ଡା, ସୀମା, ସୀମାଗୁଡ଼ା ଗ୍ରାମର ୧୧୫ ଏକର ଜମିରେ ଲାଗିଥିବା ବିଭିନ୍ନ ଫସଲ ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣା ପଡ଼ିଥିବା ଗୁଣପୁର ତହସିଲଦାର ଶରତ ନାୟକ ସୂଚନା ଦେଇଛନ୍ତି। ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନ, ତହସିଲଦାର ଶରତ ଚନ୍ଦ୍ର ନାୟକ, ପିଇଓ ଶିବ ପ୍ରସାଦ ରଥ, ମଙ୍ଗଳ ଅଧିକାରୀ ସସ୍ମିତା ରଥ, ଆଇଟିଡିଏ କର୍ତ୍ତୃପକ୍ଷ, ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ଚୈତନ୍ୟ ମାଝୀ, ମୋହିତ ସେନାପତି, ଯଶୋବନ୍ତ ନାୟକ, କୃଷି ବିଭାଗ ଅଧିକାରୀ ସନ୍ତୋଷ ରଥ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ପିଙ୍କୁ ପଣ୍ଡା ପ୍ରମୁଖ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।  ଆସନ୍ତାକାଲି ରାଜସ୍ୱ ବିଭାଗର ସ୍ବତନ୍ତ୍ର ଟିମ୍ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି। ଗୁଣପୁର କେନ୍ଦ୍ରୀୟ ଜଳ ଆୟୋଗ ସଂସ୍ଥା (ସିଡ଼ବ୍ଲୁସି) ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆଜି ସକାଳେ ବଂଶଧାରା ଜଳସ୍ତର ସତର୍କ ସଙ୍କେତ ଉପରେ ୮୨.୫୫ ମିଟରରେ ପ୍ରବାହିତ ହେଉଥିଲା। ସଂଧ୍ୟାରେ ହ୍ରାସ ପାଇ ୮୨.୦୩ ମିଟର ରହିଛି।

 

 

ସମ୍ବନ୍ଧିତ ଖବର