ଲେଉଟିଲେ ଝାଡ଼ଖଣ୍ଡି ହାତୀ ଦଳ: ଦୁୁଇ ଦଳରେ ଅଛନ୍ତି ୩୪ ହାତୀ, ଘର ଭାଙ୍ଗିଲେ, ଫସଲ ନଷ୍ଟକଲେ

ଜଂଗଲ ସଂଲଗ୍ନ ଗ୍ରାମରେ ଆତଙ୍କ

କେନ୍ଦୁଝର/ବାସୁଦେବପୁର : ଦୀର୍ଘଦିନ ବ୍ୟବଧାନରେ ପୁଣି ଝାଡଖଣ୍ଡି ହାତୀପଲ କେନ୍ଦୁଝର ମୁହାଁ ହୋଇଛନ୍ତି। ଜିଲ୍ଲାର ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଅଞ୍ଚଳକୁ ବର୍ତ୍ତମାନ ୩୪ଟି ହାତୀ ଆସିଛନ୍ତି। ଗୋଟିଏ ଦଳରେ ୧୩ଟି ହାତୀ ଥିବା ବେଳେ ଅନ୍ୟ ଏକ ଦଳରେ ୨୧ଟି ହାତୀ ଅଛନ୍ତି। ଏହି ଝାଡ଼ଖଣ୍ଡି ହାତୀପଲ ବାଲିବନ୍ଧ ସେକ୍ସନ ଅଞ୍ଚଳରେ ଉତ୍ପାତ ଆରମ୍ଭ ରଖିଛନ୍ତି। ୬ ଜଣ ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ପରେ ଗାଁ ନିକଟ ଜଙ୍ଗଲରେ ଅଛନ୍ତି। ଫଳରେ ଜଂଗଲ ନିକଟ ଗ୍ରାମଗୁଡିକରେ ଆତଙ୍କ ଖେଳି ଯାଇଛି।

ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ଯେ, ୨୧ ଟିକିଆ ହାତୀପଲ ଗତକାଲି ସଂଧ୍ୟାରେ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ବାହାରି ବୁଡିଆମ୍ ସାହି, ରାଣୀପୁର, ଗୋପିନାଥପୁର, ମଣଦା, ମଧୁପୁର ଗ୍ରାମ ଧାନବିଲରେ ପଶି ବ୍ୟାପକ ଧାନ ଫସଲ ଖାଇ ନ‌ଷ୍ଟ କରିଛନ୍ତି। ଗୋପୀନାଥପୁର ଗ୍ରାମରେ ପଶି ଅଇବନ ମୁଣ୍ଡା, ସୋମବାରୀ ମୁଣ୍ଡା, ଚନ୍ଦ୍ର ମୁଣ୍ଡା, ଚେତାଉ ମୁଣ୍ଡା, ବ୍ରଜ ମୁଣ୍ଡା, ଡଲି ମୁଣ୍ଡାଙ୍କ ଘରକୁ ଭାଙ୍ଗି ଦେଇଛନ୍ତି। ଆଜି ଏହି ହାତୀପଲ ଲକ୍ଷ୍ମୀପଶି ବିଟ୍‌ର ସୁଲୁଗୁଡା ଜଙ୍ଗଲରେ ରହିଥିବା ଦେଖିବାକୁ ମିଳିଛି । ୨୧ ହାତୀ ମଧ୍ୟରେ ୯ଦନ୍ତା, ୬ମାଈ ଓ ୬ ଛୁଆ ହାତୀ ଅଛନ୍ତି।

ସେହିପରି ମୀରିଗିଶିଙ୍ଗା ଗାଁ ଜଙ୍ଗଲରୁ ୧୩ ଟି ହାତୀ ରାତିରେ ବାହାରି ରାମଚନ୍ଦ୍ରପୁର, ରଘୁଆଳ ସାହି, ବାସୁଦେବପୁର, ଶଙ୍କରପୁର, ହରିହରପୁର ଗାଁ ଦେଇ ଆଜି ଗୁମୁରା ବିଟର ଧୋବାକୁଚୁଡ଼ା ଗାଁ ଜଙ୍ଗଲରେ ରହିଥିବା ଜଣାପଡିଛି । ସେଥିମଧ୍ୟରେ ୨ଦନ୍ତା, ୬ ମାଈ ଓ ୫ ଛୁଆ ହାତୀ ରହିଥିବା ଜଣାପଡିଛି। ହାତୀପଲ ଝାଡ଼ଖଣ୍ଡରୁ ବୈତରଣୀ ନଦୀ ପାର ହୋଇ ଆସିଥିବା ବେଳେ ହାତୀ ଗତିବିଧି ଉପରେ ନଜର ରଖା ଯାଇଥିବା ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର