ଭୁବନେଶ୍ୱର : ଜାତୀୟ ଐତିହ୍ୟ ହେଉଛି ହାତୀ। ତାହାର ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ବ୍ୟାପକ ବୃକ୍ଷରୋପଣ, ଜଙ୍ଗଲ ସୃଷ୍ଟି, ହାତୀଙ୍କ ପାଇଁ ବାସସ୍ଥାନ ପ୍ରସ୍ତୁତ, ମଣିଷ-ହାତୀ ସଂଘର୍ଷକୁ ରୋକିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ‘ଗ୍ରୋ ଉଇଥ ନେଚର’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ୭ ଦିନିଆ ୱେବିନାର କର୍ମଶାଳାରେ ‘ଜାତୀୟ ଐତିହ୍ୟ ହାତୀଙ୍କ ସଂରକ୍ଷଣ’ ଉପରେ ଆଲୋଚନା ହୋଇଥିଲା।
ଅବସରପ୍ରାପ୍ତ ଆଇଏଫଏସ୍ ଅଜୟ କୁମାର ଜେନା ଯୋଗଦେଇ ବିଶ୍ୱରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ହାତୀ, ହାତୀ-ମଣିଷ ଲଢ଼େଇ, ହାତୀଙ୍କୁ କିଭଳି ବୁଝିପାରିବା ସେନେଇ ଆଲୋଚନା କରିଥିଲେ। ମହାନଦୀ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ହର୍ଷବର୍ଦ୍ଧନ ଉଦଗାତା ଯୋଗଦେଇ ଝାଡ଼ଖଣ୍ଡରୁ ନୀଳଗିରି, ବାଲେଶ୍ୱର ଅଞ୍ଚଳକୁ ଆସୁଥିବା ହାତୀଙ୍କ ପରିଚାଳନା, ଏ ଦିଗରେ ସାଧାରଣ ଲୋକଙ୍କ ସହଯୋଗ ବିଷୟରେ ମତପ୍ରକାଶ କରିଥିଲେ। ଲୋକାୟୁକ୍ତ ଦେବବ୍ରତ ସ୍ୱାଇଁ କର୍ମଶାଳାରେ ଭାଗନେଇ ଓଡ଼ିଶାରେ ଥିବା ହାତୀ କରିଡର, ସେମାନଙ୍କ ବାସସ୍ଥାନର ପୁନରୁଦ୍ଧାର, କରିଡରକୁ ସଂଯୋଗ କରିବା ପାଇଁ ଅଧିକ ବନ୍ୟପ୍ରାଣୀ ଅଭୟାରଣ୍ୟ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏଥିସହ ଗ୍ରାମବାସୀ ଓ ବନ କର୍ମଚାରୀଙ୍କ ଦକ୍ଷତା ବିକାଶ, କରିଡର ଉପରେ ଅଧିକ ଗବେଷଣା, ହାତୀ ଗଣନା ବିଷୟରେ ମତ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଡିଏଫଓ ଅରୁଣ କୁମାର ମିଶ୍ର, କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ଡିଏଫଓ ଅଜିତ ଶତପଥୀ, ପ୍ରଫେସର ଡା. ନିରଞ୍ଜନ ସାହୁ, ଅବସରପ୍ରାପ୍ତ ଡେପୁଟି କଞ୍ଜରଭେଟର ଅଫ ଫରେଷ୍ଟ କମଳଲୋଚନ ପୁରୋହିତ, ନନ୍ଦନକାନନର ଭେଟେରନାରି ଅଫିସର ଶରତ କୁମାର ସାହୁ, ଡବ୍ଲୁଟିଆଇ ପ୍ରକଳ୍ପର ଆଞ୍ଚଳିକ ମୁଖ୍ୟ ରୁଦ୍ରପ୍ରସନ୍ନ ମହାପାତ୍ର, ପିଏଫଏର ପ୍ରତିଷ୍ଠାତା ସମ୍ପାଦକ ଜୀବନ ବଲ୍ଲଭ ଦାସ, ଖୋର୍ଦ୍ଧା ଡିଏଫଓ ସମ୍ୟକ ସାମନ୍ତରା, ସେଭ ଏଲିଫାଣ୍ଟ ଫୋଉଣ୍ଡସନର ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ଜେନା, ଭାନୋ ମିତ୍ର ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ହାତୀଙ୍କ ସୁରକ୍ଷା, ରୋଗ, ଚିକିତ୍ସା, ଜଙ୍ଗଲର ବିକାଶ ଆଦି ଉପରେ ଆଲୋକପାତ କରିଥିଲେ। ‘ଗ୍ରୋ ଉଇଥ ନେଚର’ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଗାୟତ୍ରୀ ଦେବୀ ୭ ଦିନିଆ କର୍ମଶାଳାକୁ ପରିଚାଳନା କରି କହିଥିଲେ ହାତୀଙ୍କ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଓଡ଼ିଶାରେ ସେମାନଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଥିରେ ଜଙ୍ଗଲ ବିଭାଗ ଅଧିକାରୀ, ବନ୍ୟପ୍ରାଣୀ ଗବେଷକ ଓ କର୍ମୀ, ସାମାଜିକ କର୍ମୀ, ସାମ୍ବାଦିକ, ଛାତ୍ରଛାତ୍ରୀ ଆଦି ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/RKL-KUTRA-ELEPHANT-1.jpg)