ଭୁବନେଶ୍ବର: ଗତ ୩ ବର୍ଷରେ ହାତୀଙ୍କ ଦ୍ବାରା ରାଜ୍ୟରେ ୬୬୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୫୦୯ଜଣ ଆହତ ହୋଇଛନ୍ତି। ୧୩୯ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ୧୦ ହଜାର ୨୫୯ଟି ଘର ଭାଙ୍ଗିଛି। ୭୩ ହଜାର ୬୨୦ ଏକର ଫସଲ ନଷ୍ଟ ହୋଇଛି। ରାଜ୍ୟରେ ୧୪ଟି ପାରମ୍ପରିକ ହାତୀ କରିଡର ଚିହ୍ନଟ କରାଯାଇଛି। ୮୬ଟି ହାତୀ ଚଳପ୍ରଚଳ ବନାଞ୍ଚଳରେ ହାତୀଙ୍କ ପାଇଁ ଖାଦ୍ୟ ଅନୁକୂଳ ଚାରା ଲଗାଇବାକୁ ୨୦୨୧ରେ ପିସିସିଏଫ୍‌ଙ୍କ ପକ୍ଷରୁ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୪ ମେ’ ଗଣନା ଅନୁଯାୟୀ ଓଡ଼ିଶା ଜଙ୍ଗଲରେ ୨୦୯୮ ହାତୀ ରହିଛନ୍ତି। ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର ହାତୀଗୁଡ଼ିକ ଖାଦ୍ୟ ସନ୍ଧାନରେ ଓଡ଼ିଶାକୁ ଆସିବା ସହ ପରବର୍ତ୍ତୀ ସମୟରେ ଫେରିଯାଇଥାନ୍ତି ବୋଲି ବିଧାୟକ ସନାତନ ମହାକୁଡ଼ଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବିଧାନସଭାରେ ଉତ୍ତର ରଖିଛନ୍ତି।

Advertisment

୩୦ ମହାବଳ, ୬୯୬ କଲରାପତରିଆ
୨୦୨୪ ରାଜ୍ୟସ୍ତରୀୟ ବାଘ ଗଣନା ଅନୁଯାୟୀ ଏବେ ରାଜ୍ୟରେ ୩୦ଟି ମହାବଳ ବାଘ ରହିଛନ୍ତି। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ୨୭ଟି, କେନ୍ଦୁଝର ଓ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ, ପାରଳାଖେମୁଣ୍ଡିରେ ଗୋଟିଏ ଓ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ମହାବଳ ରହିଛି। ଏହାବ୍ୟତୀତ ଗଣନା ସମୟରେ ଶିମିଳିପାଳରେ ୮ଟି ମହାବଳ ଶବକ ଥିବା ଜଣାପଡ଼ିଛି। ‌ଏଥିସହ ରାଜ୍ୟର ବିଭିନ୍ନ ବନଖଣ୍ଡରେ ୬୯୬ଟି କଲରାପତରିଆ ବାଘ ରହିଛନ୍ତି। ୨୦୧୮ରେ ମଧ୍ୟପ୍ରଦେଶରୁ ଅଣାଯାଇଥିବା ଦୁଇଟି ମହାବଳଙ୍କୁ ସାତକୋଶିଆ ବ୍ୟାଘ୍ର ପ୍ରଳକ୍ପରେ ଛଡ଼ାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ମହାବଳର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଟିକୁ ମଧ୍ୟପ୍ରଦେଶକୁ ଫେରାଇ ଦିଆଯାଇଥିଲା। ଏବେ ରାଜ୍ୟରେ ମହାବଳ ବାଘ ବଂଶ ବୃଦ୍ଧି କରିବାକୁ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ଶିମିଳିପାଳ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଓ ଦେବ୍ରିଗଡ଼ ଅଭୟାରଣ୍ୟକୁ ମହାବଳ ଆଣିବାକୁ ଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ଅନୁମୋଦନ କରିଛି। ପ୍ରଥମ ପର୍ଯ୍ୟାୟରେ ମହାରାଷ୍ଟ୍ରର ତଡ଼ୋବା ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପର ଦୁଇଟି ମାଈ ମହାବଳକୁ ଶିମିଳିପାଳକୁ ଅଣାଯାଇଛି ବୋଲି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଏହା କହିଛନ୍ତି।

୨୩ ହଜାର ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ମଞ୍ଜୁରି
ବନ(ସଂରକ୍ଷଣ ଓ ସମ୍ବର୍ଦ୍ଧନ) ଅଧିନିୟମ ୧୯୮୦ ଅନୁଯାୟୀ ୨୦୧୪-୧୫ରୁ ୨୦୨୩-୨୪ ମଧ୍ୟରେ ରାସ୍ତା ନିର୍ମାଣ, ଶିଳ୍ପ କାରଖାନା ପ୍ରତିଷ୍ଠା, ଖଣି ଖାଦନ, ବିଦ୍ୟୁତ୍‌ ସଂଯୋଗୀକରଣ, ଜଳସେଚନ, ମେଡିକାଲ ପ୍ରତିଷ୍ଠା, ନଦୀବନ୍ଧ ନିର୍ମାଣ, ଏୟାରଷ୍ଟ୍ରିପ୍‌ ଓ ଅନ୍ୟାନ୍ୟ ପ୍ରକଳ୍ପ ପ୍ରସ୍ତାବ ପାଇଁ ମୋଟ ୨୨ ହଜାର ୯୭୨ ହେକ୍ଟର ଜଙ୍ଗଲ ଜମିକୁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି। ଏଥିସହ ୪୩ଟି ପ୍ରକଳ୍ପ ପ୍ରସ୍ତାବ ବିଚାରାଧୀନ ରହିଛି। ବସ୍ତା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡଗରା ବେଳାଭୂମି ବିକାଶ ପାଇଁ ଜଙ୍ଗଲ ଓ ପରିବେଶ ମଞ୍ଜୁରି ନିମନ୍ତେ କୌଣସି ବ୍ୟବସାୟିକ ସଂସ୍ଥା ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ବୋଲି ବିଧାୟିକ ସୁବାସିନୀ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ାରେ କୁମ୍ଭୀର ନେଇଛି ୨୨ ଜୀବନ 
୨୦୧୯-୨୦ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀରେ କୁମ୍ଭୀର ଆକ୍ରମଣରେ ୨୨ଜଣ ଲୋକଙ୍କ ଜୀବନ ଯାଇଛି। ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି କାରଣରୁ କୁମ୍ଭୀରମାନେ ସାମୟିକ ଭାବେ ନଦୀର ଉପରମୁହାଁ ହୋଇଥାନ୍ତି ବୋଲି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଉତ୍ତର ରଖିଛନ୍ତି।