ବଅଁରପାଳ : ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଏବେ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ହାତୀମାନେ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଅଁରପାଳ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ୪୨ଟି ହାତୀ ପ୍ରାୟ ବ‌ର୍ଷେହେଲା ଉପଦ୍ରବ ଚଳାଇଛନ୍ତି। ଘରଦ୍ବାର ଭାଙ୍ଗିବା ସହ ଫସଲ ନଷ୍ଟକରି ଆତଙ୍କ ମଚାଇଛନ୍ତି। ଏଥିଯୋଗୁଁ ଚାଷୀ ମହଲରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହାକୁ ନେଇ ଫୁଲପଡ଼ା ନିକଟ ପଣ୍ଡପୁର ଗାଁ ନିକଟରେ ଗ୍ରାମବାସୀମାନେ ଆଜି ବନ ବିଭାଗର ୩ଟି ଗାଡ଼ି ସହିତ ଅନୁଗୁଳ ଏସିଏଫ୍‌ ଓ ୬ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ। ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

Advertisment

ସୂଚନା ଅନୁଯାୟୀ, ପାଖାପାଖି ବର୍ଷେହେଲ‌ା ବ୍ଲକ୍‌ର ବିଭିନ୍ନ ଗାଁରେ ହାତୀପଲ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ଅଞ୍ଚଳରେ ୪ଟି ରେଞ୍ଜ ଥିବାବେଳେ ବିଭାଗର ହାତୀଙ୍କୁ ଘଉଡ଼ିବା ପାଇଁ ବିଭାଗ ପକ୍ଷରୁ ମିଳିତ ଉଦ୍ୟମ ହେଉନାହିଁ। ଗୋଟିଏ ରେଞ୍ଜରୁ ହାତୀଙ୍କୁ ଘଉଡ଼ିଲେ ସେମାନେ ଅନ୍ୟ ରେଞ୍ଜ୍‌ରେ ପଶୁଛନ୍ତି। ସେହି ରେଞ୍ଜର କର୍ମଚାରୀ ସେମାନଙ୍କୁ ପୁଣି ପୂର୍ବରେଞ୍ଜକୁ ଘଉଡ଼ାଇ ଦେଉଛି। ଫଳରେ ହାତୀ ପଲ ଗାଁ ନିକଟରେ ରହି ଧନ ଜୀବନ ହାନି କରୁଛନ୍ତି। ହାତୀଙ୍କ ଯୋଗୁଁ ବାରମ୍ବାର ଫସଲନଷ୍ଟହେବାରୁ ଅନେକ ଚାଷୀ ଚାଷକାମ ଛାଡ଼ି ଅନ୍ୟରାଜ୍ୟରେ ଦାଦନ ଶ୍ରମିକ ଭାବେ ଇଟାଭାଟିରେ ଖଟୁଛନ୍ତି। କ୍ଷତିପୂରଣ ପାଇଁ ଏକ ଆପ୍‌ରେ ଆବେଦନ କରିବା ବ୍ୟବସ୍ଥା‌ କରାଯାଇଛି। ଅନେକ ଚାଷୀ ଆପ୍‌ର ବ୍ୟବହାର ଜାଣି ନଥିବାରୁ ସେମାନେ ଆବେଦନ କରିପାରୁନାହାନ୍ତି। ତେଣୁ କ୍ଷତିଗ୍ରସ୍ତ ଚାଷୀ କ୍ଷତିପୂରଣ ପାଇପାରୁନାହାନ୍ତି। ଫଳରେ ଆଜି ପଣ୍ଡପୁର ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ବନ ବିଭାଗର ୩ଟି ବଲେରୋ ସହିତ ୬ ଜଣ କର୍ମଚାରୀ ଓ ଅନୁଗୁଳ ଏସିଏଫ୍‌ ରଞ୍ଜନ କୁମାର ବେହେରାଙ୍କୁ ସକାଳ ୭ଟାରୁ ଅଟକ ରଖିଥିଲେ। ହାତୀ କ୍ଷୟକ୍ଷତି ଜନିତ କ୍ଷତିପୂରଣ ନମିଳିବାରୁ ଅସନ୍ତୋ‌ଷ ଝାଡ଼ିଥିଲେ।

ସେମାନଙ୍କ କହିବା କଥା, ହାତୀପଲ ଫୁଲପଡ଼ା, ଆଦିଆଘାଇ, ପଣ୍ଡପୁର, ବସଲା, ତଳମୂଳ, ବଉଳିଗଡ଼, ତିଳପଙ୍ଗା, ଅଙ୍ଗାରବନ୍ଧ, ମହୀଧରପୁର, କଂସରା, ସାନ୍ତରାପୁର, ଇଙ୍କରବନ୍ଧ ପ୍ରଭୃତି ଗାଁରେ ୩୦୦ ଏକରରୁ ଅଧିକ ଜମିର ଫସଲ ନଷ୍ଟ କରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ। ତୁରନ୍ତ କ୍ଷତିପୂରଣ ଦିଆଯିବା ସହ ବିଭାଗ ପକ୍ଷରୁ ମିଳିତ ଭାବେ ହାତୀପଲକୁ ଘଞ୍ଚ ଜଙ୍ଗଲକୁ ଘଉଡ଼ାଇ ଦିଆଯାଉ। ଅନୁଗୁଳ ସଦର ଥାନା ଓ ବଅଁରପାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା। ଆସନ୍ତା ୧୦ ଦିନ ମଧ୍ୟରେ ଘଟଣାର ତଦନ୍ତକରି କ୍ଷତିପୂରଣ ଦିଆଯିବା ସହ ହାତୀପଲକୁ ଘଉଡ଼ାଯିବ ବୋଲି ବନ ବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେବାରୁ ଦିନ ୨ଟାବେଳେ ଗ୍ରାମବାସୀ ତାଙ୍କୁ ଛାଡ଼ିଥିଲେ। ସୂଚନାଯୋଗ୍ୟ, ଏହି ହାତୀପଲ ୧୦ଦିନ ତଳେ ବଉଳିଗଡ଼ ଅଞ୍ଚଳରେ ସୁବଳ ଗଡ଼ନାୟକ, କ୍ଷୀରୋଦ ଭୁକ୍ତା, ଅଜିତ ପଣ୍ଡା, ସରୋଜ ପଣ୍ଡା, ରବି ଭୁକ୍ତା ପ୍ରମୁଖଙ୍କ ଧାନ ଫସଲ ନଷ୍ଟକରିଛନ୍ତି। କ୍ଷତିପୂରଣ ତ ଦୂରକଥା, ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ ବୋଲି ସେମାନେ କହିଛନ୍ତି।