ରାଉରକେଲା: ଖାଦ୍ୟ ଅନ୍ବେଷଣରେ ସହରମୁହାଁ ଜଙ୍ଗଲି ହାତୀ। ବରକାନୀ ଜଙ୍ଗଲରୁ ୧୩ ଟିକିଆ ହାତୀପଲ ବନ୍ଧମୁଣ୍ଡା ଭିତରକୁ ପଶି ଆସିଥିଲେ। ପ୍ରଥମେ ଶୀତଳନଗର ଭିତରକୁ ପଶିଥିଲେ। ଜୀବନ ବଞ୍ଚାଇବା ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ। ବନ ବିଭାଗ, ସ୍ଥାନୀୟଲୋକ ନିଆଁ ହୁଳା ଜଳାଇ ହାତୀପଲକୁ ବାରକାନି ନିକଟ ଝରିଆଟୋଲି ଜଙ୍ଗଲକୁ ଘୋଡାଇ ଦେଇଥିଲେ। କିଛି ସମୟ ପରେ ପୁଣି ହାତୀପଲ ବନ୍ଧମୁଣ୍ଡା ଆଡକୁ ଚାଲି ଆସିଥିଲେ। ହାତୀପଲକୁ ଘୋଇବାକୁ ବନ ବିଭାଗକୁ ରାତି ତମାମ କଠିନ ପରିଶ୍ରମ କରିବାକୁ ପଡିଥିଲା। ଶେଷରେ ହାତୀପଲ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ସାଢ଼େ ୧୧ଟାରେ ହାତୀପଲ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟ ପଛ ରାସ୍ତା ଦେଇ ବନ୍ଧମୁଣ୍ଡା ଶୀତଳନଗର ଭିତରକୁ ପଶିଥିଲେ। ଖାଦ୍ୟ ଖାଇବାକୁ ବିଚା ଓରାମ ନାମକ ଜଣେ ଚାଷୀଙ୍କ ଘରେ ପଶିଥିଲେ। ବିଚା ଶୋଇଥିବାରୁ କିଛି ଜାଣି ପାରି ନଥିଲେ। ଗ୍ରାମବାସୀଙ୍କ ପାଟି ଶୁଣିବା ପରେ ବିଚା ବାହାରକୁ ଦୌଡି ପଳାଇ ଆସିଥିଲେ। ହାତୀମାନେ ବିଚା ଓରାମଙ୍କ ଘରକୁ ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ। ବନ୍ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ଧରି କଠିନ ପରିଶ୍ରମ କରିବା ପରେ ଜଙ୍ଗଲିହାତୀ ପଲକୁ ବାରକାନି ଗ୍ରାମ ନିକଟସ୍ଥ ଝାରୀୟା ଟୋଲି ଜଙ୍ଗଲକୁ ପଠାଇ ଦେଇଥିଲା। ଜଙ୍ଗଲ ହାତୀଙ୍କ ଉତ୍ପାତ ଦେଖି ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇ ପଡିଥିଲେ। ରାତି ତମାମ ଉଜାଗର ହୋଇ ରହିଥିଲେ।
ଉଲ୍ଲେଯୋଗ୍ୟ, ୨୦୧୩ରେ ୧୧ଟିକିଆ ହାତୀପଲ ଜଙ୍ଗଲରୁ ବାହାରି କୋଏଲ ନଦୀ ଦେଇ ରାଉରକେଲା ସହରକୁ ପଶି ଆସିଥିଲେ। ବର୍ତ୍ତମାନ ଜଙ୍ଗଲର ସେହି ରାସ୍ତା ଚାରିପାଖରେ ସୌର ବାଡ ଘେରାଯାଇଛି। ଫଳରେ ହାତୀ ସେହି ପଥ ସହର ଭିତରକୁ ପଶି ପାରୁ ନାହାନ୍ତି। କିନ୍ତୁ ଗତକାଲି ରାତିରେ ହାତୀମାନେ ଅନ୍ୟ ଏକ ରାସ୍ତା ଦେଇ ବନ୍ଧମୁଣ୍ଡାର ସହରକୁ ପଶିଥିଲେ। ସେପଟେ ହାତୀମାନଙ୍କ ସୂଚନା ପରେ ଟ୍ରେନର ଗତି ମନ୍ଥର ହୋଇଥିଲା। ରେଳ ପ୍ରଶାସନ ରେଳବାଇ ଏ-କ୍ୟାବିନରୁ ରାଉରକେଲା ରେଳ ଷ୍ଟେସନ ଏବଂ ବନ୍ଧମୁଣ୍ଡା ଠାରୁ ଡୁମର୍ତା ଓ ଲାଠିକଟା ରେଳବାଇ ଷ୍ଟେସନ ପର୍ଯ୍ୟନ୍ତ ଟ୍ରେନର ଗତି ହ୍ରାସ କରି ଦେଇଥିଲେ। ଏହି ରୁଟଗୁଡିକର ସମସ୍ତ ଟ୍ରେନ ଗତକାଲି ରାତି ୧୧ ଟାରୁ ରାତି ଦେଢ଼ଟା ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/4921b692-4c0c-47fe-a5d0-71508cb9197e.jpg)