ବଂଶଧାରା ତଟରେ ହାତୀ ଉପଦ୍ରବ, କାଶୀନଗରରେ ଆତଙ୍କ

 

କାଶୀନଗର : ବଂଶଧାରା ନଦୀତଟରେ ୪ ଟିକିଆ ହାତୀପଲ ଗତ ୪ ଦିନ ଧରି ଉପଦ୍ରବ ଚଳାଇଛନ୍ତି। ଏହି  ହାତୀପଲ ଆନ୍ଧ୍ର ସୀମାନ୍ତବର୍ତ୍ତୀ ତାଲଡା ଓ କସଲି ଗ୍ରାମର ବିଭିନ୍ନ ତୋଟାରେ ଗଛ ଭାଙ୍ଗି ଡାଳପତ୍ର ଖାଇବା ସହ କେତେକଙ୍କ ଆଖୁବାଡ଼ରେ ପଶି ବ୍ୟାପକ କ୍ଷତି ଘଟାଇଲେଣି। ବଂଶଧାରା ନଦୀକୁ ପାଣି ପିଇବା ପାଇଁ ଆସୁଥିବା ବେଳେ ନଦୀର ଅପରପାର୍ଶ୍ବରେ ଗଜପତି ଜିଲ୍ଲାର କାଶୀନଗର ଏନ୍‌ଏସି ରହିଛି। ନଦୀତଟକୁ ଲାଗି ଏନ୍‌ଏସିର ୧୦ନମ୍ବର ୱାର୍ଡ ଓ ବ୍ରାହ୍ମଣସାହି, ନୂଆ କାଶୀନଗର ଆଦି ଅତି ନିକଟରେ ରହିଛି। କାଶୀନଗର ଅଞ୍ଚଳରେ ମଧ୍ୟ ଆମ୍ବ, କଦଳୀ, ପଣସ, କାଜୁତୋଟା ସହ ବହୁଳ ଆଖୁ ଚାଷ ହୋଇଛି। ମାତ୍ର ଆଣ୍ଠୁଏ ପାଣି ଥିବାରୁ ବଂଶଧାରା ନଦୀ ଅତିକ୍ରମ କଲେ କାଶୀନଗର ଏନ୍‌ଏସିରେ ହାତୀ ପଶିଯିବା ସମ୍ଭାବନା ରହିଛି। ଯେ କୌଣସି ମୁହୂର୍ତ୍ତରେ ହାତୀପଲ କାଶୀନଗର ଏନ୍‌ଏସିରେ ପଶିଲେ ଧନଜୀବନ ବିପନ୍ନ ହେବା ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରଶାସନ ଓ ବନବିଭାଗ ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ଲୋକେ ଦାବି କରିଛନ୍ତି।
ଏ ନେଇ କାଶୀନଗର ବନାଞ୍ଚଳ ଅଧିକାରୀ ଅରୁଣ କୁମାର ସାହୁ କହିଛନ୍ତି, ସମ୍ପୂର୍ଣ୍ଣ ସଜାଗ ଥିବା କହିଛନ୍ତି। ହାତୀପଲର ଗତିବିଧି ଜିପିଏସ୍‌ ଦ୍ୱାରା ଟ୍ରାକ୍‌ କରାଯାଉଛି। ହାତୀ ବର୍ତ୍ତମାନ ଆନ୍ଧ୍ର ପରିସୀମା ପଲାଭରମ ରିଜର୍ଭରେ ଅଛନ୍ତି। ଆନ୍ଧ୍ର ବନ କର୍ମଚାରୀ ଏବଂ କାଶୀନଗର ବନବିଭାଗ ମିଳିତ ଭାବେ ଲୋକଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି। କାଶୀନଗରବାସୀ ତଥାପି ବଣୁଆ ହାତୀଙ୍କ ଗତିବିଧି ନେଇ କିମ୍ବା କାଶୀନଗର ମଧ୍ୟରେ ପ୍ରବେଶ କଲେ ବନ ବିଭାଗକୁ ତୁରନ୍ତ ସୂଚନା ଦେଇ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।
ସମ୍ବନ୍ଧିତ ଖବର