ଭୋକିଲା ହାତୀପଲ ଘରେ ପଶିଲେ, ଟାଣି ନେଲେ ଧାନବସ୍ତା

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ ହାତୀପଲ ଉପଦ୍ରବ କରିଛନ୍ତି। ପ୍ରତିଦିନ ହାତୀପଲକୁ ଜଙ୍ଗଲକୁ ଘଉଡାଇବାକୁ ନୟାନ୍ତ ହେଉଛନ୍ତି ବନ ବିଭାଗ କର୍ମଚାରୀ। ସଂନ୍ଧ୍ୟା ନହେଉଣୁ ହାତୀଙ୍କ ଗତି ବିଧି ଲକ୍ଷ୍ୟ କରି ସ୍ଥାନୀୟ ଲୋକଙ୍କ ସୂଚନା ପ୍ରକାରେ ହାତୀ ଘଉଡାଇବା ପାଇଁ ପହଁଞ୍ଚି ଯାଉଛନ୍ତି। ଧାନ ଫସଲକୁ ସୁରକ୍ଷା ଦେବା ପାାଇଁ ରାତିରେ କିଛି ଚାଷୀ ଗଛ ଉପରେ ମଞ୍ଚା କରି କ୍ଷେତକୁ ଜଗୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଗୁରୁବାର ରାତିରେ ତାରସିଂ ବନାଞ୍ଚଳ ଅଧୀନ ଚନ୍ଦ୍ରଗିରି ଜଙ୍ଗଲରୁ ହାତୀପଲ ବାହାରି ଲେମ୍ଭାଇ ଗ୍ରାମରେ ପଶିଥିଲେ। ଗ୍ରାମର କିଛି ଘରୁ ସାମ୍ନାରେ ଧାନ ବସ୍ତା ରଖାଯାଇଥିବା ବେଳେ ହାତୀପଲ ତାକୁ ଟାଣି ଖାଇବା ସହ ନଷ୍ଟ କରିଛନ୍ତି। ଏଥିସହ ଜମିରେ ପଶି ଫସଲ ଦଳି ଚକଡି ନଷ୍ଟ କରିବା ସହ ଲେମ୍ଭାଇ ଉଚ୍ଚ ବିଦ୍ୟାଳୟ ଭିତରେ ପଶି ଗଛ ଭାଙ୍ଗିଛନ୍ତି। ପରିବା ଚାଷ ପାଇଁ କରାଯାଇଥିବା ବାଡକୁ ଭାଙ୍ଗିବା ସହ ଅନେକ କ୍ଷେତକୁ ହାତୀ ପଲ ଦଳି ଦେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। କିଛି ଦିନ ହେବ ୨୦ ରୁ ୨୫ ପଲ ହାତୀ ତିନି ଭାଗରେ ଅଲଗା ହୋଇ ବିଭିନ୍ନ ଇଲାକା ଘୂରି ବୁଲୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି।

ଉତ୍ତର ଘୁମୁସର ବନଖଣ୍ଡର ତାରସିଂ,ଗାଲେରୀ,ଜଗନ୍ନାଥପ୍ରସାଦ ଓ ମୁଜାଗଡ ବନାଞ୍ଚଳରେ ହାତୀ ମାନଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। ଧାନ ଅମଳ ସମୟ ହୋଇଥିବା ବେଳେ ସଂନ୍ଧ୍ୟା ହେବା କ୍ଷଣି ପାଚିଲା ଧାନ ବାସ୍ନାରେ ହାତୀପଲ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଗାଲେରୀ ବନାଞ୍ଚଳର ଦୋମୁହାଁଣି ନୂଆପଲ୍ଲି ନିକଟରେ କିଛି ଦିନ ହାତୀପଲ ରହିବା ପରେ ବର୍ତ୍ତମାନ ନିକଟ ଜଙ୍ଗଲକୁ ଚାଲି ଆସିଛନ୍ତି। ଜଗନ୍ନାଥପ୍ରସାଦ ରେଞ୍ଜର ଗେରେଡା ବନାଞ୍ଚଳରେ ହାତୀପଲ ରହିଥିବା ବେଳେ ପ୍ରତିଦିନ ରାତିରେ ସେମାନଙ୍କୁ ଜନବସତିରୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ମାନେ ନୟାନ୍ତ ହେଉଥିବା ଜଣାପଡିଛି।

ସେହିପରି ତାରସିଂ ବନାଞ୍ଚଳର ଚନ୍ଦ୍ରଗିରି ଭାଗ ୯ରେ ହାତୀପଲ ରହିଥିବା ବେଳେ ଆଖପାଖ ଗାଁରେ ପଶି ଧାନ ଫସଲ ନଷ୍ଟ କରୁଥିଲେ ଗତକାଲି ମାଙ୍କଡକୁମ୍ପା ଗ୍ରାମ ଦେଇ ଭଞ୍ଜନଗର-ଦଶପଲ୍ଲା ରାଜପଥ ଅତିକ୍ରମ କରି ଲେମ୍ଭାଇ ଗ୍ରାମ ନିକଟକୁ ଆସଥିଲେ। ସେଠାରେ ହରିବନ୍ଧୁ ପ୍ରଧାନ,ଜଗନ୍ନାଥ ପ୍ରଧାନ,ଜୟ ନାୟକ ଘର ବାହାରେ ଅମଳ ଧାନକୁ ବସ୍ତାରେ ରଖିଥିବା ବେଳେ ତାକୁ ହାତୀପଲ ଟାଣି ଖାଇବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏଥିସହ ପାଖରେ ଏକ ଜମିରେ ପଶି ଫସଲ ନଷ୍ଟ କରିଛନ୍ତି। ଏହାପରେ ହାଇସ୍କୁଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ସ୍କୁଲ ଭିତରେ ଲାଗିଥିବା ନଡିଆ ଗଛ,କଦଳୀ ଗଛ ଆଦିକୁ ଉପାଡି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ହାତୀପଲ ଫସଲ ଖାଇବା ଅପେକ୍ଷା ଦଳି ନଷ୍ଠ ଅଧିକା କରୁଛନ୍ତି। ହାତୀ ଦ୍ବାରା ଫସଲ ନଷ୍ଠ ହେଲେ ବନ ବିଭାଗ ପକ୍ଷରୁ ସର୍ଭେ କରାଯାଇ କ୍ଷତି ପୂରଣ ଦିଆଯାଉଛି। କିନ୍ତୁ ଅମଳ ଫସଲରୁ ଯାହା ଲାଭ ଚାଷୀର ହୋଇ ପାରନ୍ତା ବନ ବିଭାଗ ସେହି ପରିମାଣର କ୍ଷତି ପୂରଣ ଦେଇପାରୁନାହିଁ। କଷ୍ଟାର୍ଜିତ ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ଦିନ-ରାତି କ୍ଷେତ ନିକଟରେ ଜଗି ରହୁଥିବା ବେଳେ ରାତିରେ ସୁରକ୍ଷା ଦୃଷ୍ଟିରୁ ବଡ ଗଛ ଉପରେ ମଞ୍ଚା ତିଆରି କରି କ୍ଷେତର ସୁରକ୍ଷାରେ ରହୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର