ଘୁ.ଉଦୟଗିରି: ଗତ ଏକ ମାସ କଳିଙ୍ଗା ପଞ୍ଚାୟତର ବିଭିନ୍ନ ସ୍ଥାନରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଲୋକଙ୍କ ନିଦ ହଜି ଯାଇଛି। ସଞ୍ଜ ନଇଁଲେ ହାତୀ ଭୟ ସାଙ୍ଗକୁ ବିଦ୍ୟୁତ କାଟ। ପ୍ରବଳ ଗରମ ରେ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ହାତୀପଲଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟକ ରାତିରେ ବିଭିନ୍ନ ସ୍ଥାନରେ ଆମ୍ବ, ପଣସ, ଲିଚୁ, କଦଳୀ ବାଡ଼ ନଷ୍ଟ କରିବାରେ ଲାଗିବା ସହ ଘର ଗୁଡିକ ଭାଙ୍ଗୁଛନ୍ତି।
Advertisment
ହାତୀପଲଙ୍କ ଉପଦ୍ରବକୁ ଆଖିଆଗରେ ରଖି ଗତକାଲି କଳିଙ୍ଗା ପଞ୍ଚାୟତର କୁରୁମିଙ୍ଗିଆ ଗ୍ରାମରେ ବନବିଭାଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଏକ ମିଳିତ ବୈଠକ ରେଞ୍ଜର କାଜଲ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯେଉଁଠି ହାତୀପଲଙ୍କ ଦାଉରୁ ରକ୍ଷା ପାଇବା ପାଇଁ କଣ ଉପାୟ ଅବଲମ୍ବନ କରିବେ, ହାତୀ କ୍ଷତି କରିଥିବା ଲୋକମାନେ କିଭଳି କ୍ଷତି ପୁରଣ ପାଇବେ ତା ଉପରେ ଆଲୋଚନା ହେବା ସହ ହାତୀଙ୍କୁ ଘୋଡେଇବା ପାଇଁ ବ୍ୟବସ୍ଥା କରିବାକୁ ଲୋକ ଅନୁରୋଧ କରିଥିଲେ। ଗତକାଲି ବୈଠକ ହେଲା ହେଲେ ଗତ ରାତିରେ ହାତୀପଲ ନିଜ ଗତିପଥ ବଦଳେଇ କୁରୁମିଙ୍ଗିଆ ଅଞ୍ଚଳ ଛାଡି କଳିଙ୍ଗା ମୁଁହେଇଛନ୍ତି। କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ରାସ୍ତା ପାର ହୋଇ କଳିଙ୍ଗାର ୨ ନମ୍ୱର୍ ୱାର୍ଡ କୁନ୍ଦାସାହିରେ ପସି ହାତୀପଲ ଅନେକ କ୍ଷୟକ୍ଷତି କରିଥିବା ଦେଖୁବାକୁ ମିଳିଛି।
publive-image
ପ୍ରାପ୍ତ ସୂଚନାନୁସାରେ ରୁନିମା ବିନ୍ଧାଣିଙ୍କ ଏକ ଘର ଭାଙ୍ଗିଥିବା ବେଳେ  ବିଏମ ପ୍ରଧାନ ଓ  ଲକ୍ଷ୍ମଣ ପ୍ରଧାନଙ୍କ କଦଳୀ ବଗିଚା, ମୋତିରାମ ପ୍ରଧାନଙ୍କ କଦଳୀ ଗଛ, ଆମ୍ବ ବଗିଚା ନଷ୍ଟ କରିଛନ୍ତି, ଭୂମାନନ୍ଦ ପ୍ରଧାନଙ୍କ ପଣସ ଖାଇ ଗଛ ନଷ୍ଟ କରିଛନ୍ତି, ଅମିତା ବଚନ ମଲ୍ଲିକ ଓ ସୁକାନ୍ତ ପ୍ରଧାନଙ୍କ ତାର ବାଡ଼ ନଷ୍ଟ କରିଛନ୍ତି। ଏହି ଅଞ୍ଚଳରେ ନଷ୍ଟ କରିବା ପରେ ହାତୀପଲ କଳିଙ୍ଗା ଫୁଲବାଣୀ ମୁଖ୍ୟ ସଡ଼କ ଜାତୀୟ ରାଜପଥ ୧୫୭ପାର ହୋଇ ଗଦିଙ୍ଗିଆ ଅଭିମୁଖେ ଯାଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ହେଲା ହାତୀଙ୍କ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିଦ ହଜିଗଲାଣି ହାତୀ ଭୟରେ ରାତି ସାରା ଉଜାଗର ରହୁଥିବା ବେଳେ ଗତ ସପ୍ତାହେ ହେଲା ହାତୀଙ୍କୁ ବିଦ୍ୟୁତରୁ ରକ୍ଷା କରିବା ନିମନ୍ତେ ସଞ୍ଜ ନଇଁଲେ ବିଦ୍ୟୁତ କାଟ ହେଉଛି।ପ୍ରବଳ ଗରମରେ ଲୋକ ଆଉଟୁ ପାଉଟୁ ହେଉଛନ୍ତି। ହାତୀମାନଙ୍କର ଗତିବିଧିକୁ ଲକ୍ଷକରି ବନବିଭାଗ ସୂଚନା ପ୍ରକାରେ ବିଦ୍ୟୁତ ବିଭାଗ ବିଦ୍ୟୁତ କାଟ କରୁଥିବା ବେଳେ ବନବିଭାଗ,ବିଦ୍ୟୁତ କର୍ମଚାରୀ ଏବଂ ସଧାରଣ ଜନତାଙ୍କ ନିଦ ହଜେଇ ଦେଲାଣି ହାତୀପଲ। ହାତୀପଲ କେବେ ଏହି ଅଞ୍ଚଳ ଛାଡି ଯିବେ ସମସ୍ତେ ଚିନ୍ତାରେ ଅଛନ୍ତି। ବିଶେଷ କରି ଚାଷୀ ମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ପ୍ରଚୁର କ୍ଷତି ସହୁଛନ୍ତି ଚାଷୀକୁଳ। ହାତୀପଲ ଙ୍କ ଉପଦ୍ରବ ରେ ସ୍ଥାନୀୟ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। କ୍ଷତି ପୂରଣ ପାଇବେ କେତେ ଏବଂ କେବେ ପାଇବେ ତାର ହିସାବ ନାହିଁ।