ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ୧୮ ଟିକିଆ ହାତୀପଲଙ୍କ ଆତଙ୍କକୁ ଦେଖି ଚାଷୀ ଓ ଜନସାଧାରଣଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ମୁଜାଗଡ଼, ଜଗନ୍ନାଥପ୍ରସାଦ ଓ ତାରସିଂ ବନାଞ୍ଚଳ ସମେତ ଗାଲେରି ବନାଞ୍ଚଳର ଦୋମୁହାଣି, ହରିଗଡ଼, ରାଇଗୋଚ୍ଛା, କୁରାଢ଼ିଆ,ନୂଆପଲ୍ଲୀ ଓ ଚଢ଼ିଆପଲ୍ଲୀ ଗ୍ରାମ ନିକଟରେ କିଛିଦିନ ହେଲା ହାତୀପଲଙ୍କ ଗତିବିଧି ଲକ୍ଷ୍ୟ ରଖାଯାଉଥିଲା। ସଞ୍ଜ ନଇଁବା କ୍ଷଣି ହାତୀପଲ ଗାଲେରୀ ନିକଟ ଶୁଳାବଣି ଜଙ୍ଗଲରୁ ବାହାରି କ୍ଷେତରେ ପଶୁଥିଲେ। ପାଚିଲା ଧାନ ଖାଇବା ସହ ଦଳିଚକଟି ଫସଲ ନଷ୍ଟ କରୁଥିଲେ। ବର୍ତ୍ତମାନ ଚନ୍ଦ୍ରଗିରି ଜଙ୍ଗଲ ଦେଇ କୁଲାଡ଼ ସେକ୍ସନ୍ରେ ପଶି ଉପଦ୍ରବ ଚଳାଇଛନ୍ତି। ଏହି ପଲରେ ୪ଟି ଦନ୍ତା ଏବଂ ୯ଟି ମାଈ ହାତୀ ସମେତ ଛୁଆ ହାତୀ ଅଛନ୍ତି। ପାଚିଲା ଧାନର ବାସ୍ନାରେ ଜନବସତିମୁହାଁ ହୋଇ କ୍ଷେତରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି।
ଶନିବାର ସକାଳେ ଏହି ହାତୀପଲ କୋକଳବା ନାଳ ପାର୍ କରି କଳାଧାର ପାହାଡ଼ ନିକଟକୁ ପଳାଇଥିଲେ। ତେବେ ପାର୍ ହେବା ସମୟରେ ଗୋଟିଏ ହାତୀଛୁଆ ପାଣିରେ କିଛି ସମୟ ଧରି ଫସିଯାଇଥିଲା। ଶେଷରେ ଗୋଟିଏ ଦନ୍ତାହାତୀର ପ୍ରୟାସରେ ଛୁଆଟି ପାଣି ଭିତରୁ ବାହାରିବା ପରେ ପଲ ନାଳ ପାର୍ ହୋଇଥିଲେ। ଏହି ସମୟରେ କିଛି ଗ୍ରାମବାସୀ ଏହାର ଭିଡ଼ିଓ ରେକର୍ଡ଼ିଂ କରିଥିଲେ।
ତେବେ ହାତୀପଲଙ୍କ ଗତିବିଧି ଯୋଗୁଁ ମଣ୍ଡିରେ ଧାନ ବିକ୍ରି ପୂର୍ବରୁ ଏହାର ସୁରକ୍ଷା ପାଇଁ ଚାଷୀ ମୁଣ୍ଡରେ ଚିନ୍ତାରେ ପଶିଛି। ସେପଟେ ହାତୀର ସୁରକ୍ଷା ଏବଂ ହାତୀଠାରୁ ମଣିଷର ସୁରକ୍ଷା ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି। ଫଳରେ କିଛି ଚାଷୀ ଧାନଫସଲକୁ କାଟି ଖଳାକୁ ବୋହି ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ତଥାପି ହାତୀପଲର ଭୟ ଘାରୁଛି। କାରଣ ଚଳିତବର୍ଷ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭଲ ଧାନ ଅମଳ ହୋଇଛି।
ଅନ୍ୟପକ୍ଷରେ ହାତୀ ଭୟରେ ସନ୍ଧ୍ୟା ହେଲେ ଗ୍ରାମବାସୀ ବାହାରକୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି। କେବଳ ଏତିକି ନୁହେଁ, ଦିନରେ ବି ହାତୀପଲ ମୁଖ୍ୟରାସ୍ତାକୁ ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରାଯାଉଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବନ ବିଭାଗ ପକ୍ଷରୁ ହାତୀପଲକୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ଏବଂ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।