ମହାନଦୀ ପାଣିରେ ଦିନସାରା ଦୁଇ ହାତୀ

ଖୁଣ୍ଟୁଣୀ : କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳରେ ବିଚରଣ କରୁଥିବା ଏକ ଦନ୍ତା ଓ ମାଈ ହାତୀ ନୂଆଶାସନସ୍ଥିତ ସର୍ପେଶ୍ବର ପାସେଞ୍ଜର ହଲ୍‌ଟ୍‌ ପାର୍ଶ୍ୱ ବୁଦା ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ମହାନଦୀ ଭିତରକୁ ଚାଲିଯାଇଥିଲେ।  ହାତୀ ଦୁଇଟି ଦିନସାରା ମହାନଦୀ ପାଣିରେ ରହିଥିଲେ। ଖବର ପାଇ ଆଠଗଡ଼, ଖୁଣ୍ଟୁଣୀ ଓ କଟକ ସଦର ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ ଓ ହାତୀ ଘଉଡ଼ାଳି ଦଳ ଦୁଇହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି।

ପ୍ରକାଶଥାଉ କି, ବହୁଦିନ ହେଲା ଦୁଇ ହାତୀ ଆଠଗଡ଼ ଓ ଖୁଣ୍ଟୁଣୀ ଅଞ୍ଚଳରେ ବିଚରଣ କରୁଥିଲେ। ଗତକାଲି ରାତିରେ ଖଳଖଳା ସଂରକ୍ଷିତ ଜଙ୍ଗଲରୁ ଦୁଇ ହାତୀ ବାହାରି ଗ୍ରାମାଭିମୁଖୀ ହୋଇଥିଲେ। ତେବେ ସକାଳ ହୋଇଯିବାରୁ ହାତୀଦ୍ବୟ ଜଙ୍ଗଲକୁ ଯାଇ ନ ପାରି ନୂଆଶାସନ-ଅନନ୍ତପୁରସ୍ଥିତ ସର୍ପେଶ୍ବର ପାସେଞ୍ଜର୍‌ ହଲ୍‌ଟ୍‌ ରେଳଧାରଣା କଡ଼ ବୁଦା ଜଙ୍ଗଲରେ ଅଟକି ରହିଥିଲେ। ଏହା ଜଣାପଡ଼ିବା ପରେ ହାତୀଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି ହୋଇଥିଲା। ଜନସାଧାରଣଙ୍କ କୋଳାହଳ ଏବଂ ରେଳଧାରଣା ଦେଇ ଯାଉଥିବା ଟ୍ରେନ୍‌ଗୁଡ଼ିକର ହର୍ଣ୍ଣ ଓ ଶବ୍ଦ ଯୋଗୁଁ ହାତୀ ଦୁଇଟି ବିବ୍ରତ ଓ ଇତଃସ୍ତତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବନ ବିଭାଗର ଅଳ୍ପ କର୍ମଚାରୀ ହାତୀଙ୍କୁ ଘଉଡ଼ାଇବାରେ ବିଫଳ ହୋଇଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟାରେ ଦୁଇ ହାତୀ ବୁଦା ଜଙ୍ଗଲରୁ ବାହାରି ନିକଟରେ ଥିବା ମହାନଦୀ ଭିତରେ ପଶି ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ହାତୀଦ୍ବୟ ସ୍ଥଳପଥକୁ ନ ଆସି ମହାନଦୀ ପାଣିରେ ଧୀରେ ଧୀରେ ନରାଜ ପଟକୁ ଯାଇଥିଲେ।

କଟକ ଓ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁଙ୍କ ସମେତ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ ଏବଂ କଟକ ସଦର, ଖୁଣ୍ଟୁଣୀ ଓ ଆଠଗଡ଼ ଫରେଷ୍ଟ ରେଞ୍ଜର ଅଧିକାରୀ, ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍‌ ପହଞ୍ଚି ନଦୀର ଉଭୟ ପଟେ ପଇଁତରା ଦେବା ସହ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ହାତୀଦ୍ବୟଙ୍କ ଉପରେ କୌଣସି ବିପଦ ନ ଥିବା ଏବଂ ବିଳମ୍ବିତ ରାତିରେ ସେମାନେ ନଦୀରୁ ବାହାରି ଗନ୍ତବ୍ୟ ପଥରେ ଚାଲିଯିବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ, ରାତି ପ୍ରାୟ ୧୦ଟାରେ ମିଳିଥିବା ସୂଚନା ମୁତାବକ ଦନ୍ତା ଓ ମାଈ ହାତୀ ମହାନଦୀ ଗର୍ଭରେ ଥିବା ବ୍ରଜବିହାରୀପୁର ପଠାରେ ରହିଛନ୍ତି। ସେମାନଙ୍କୁ ବନ ବିଭାଗର ୧୧୪ଜଣ ଅଧିକାରୀ ଓ କର୍ମଚାରୀ ଜଗି ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର