ଓଲମରା: ବହୁଦିନ ଧରି ଝାଡ଼ଖଣ୍ଡି ହାତୀପଲ ମୟୂରଭଞ୍ଜ ବେତନଟୀ ରେଞ୍ଜରେ ତାଣ୍ଡବ ରଚାଇଛନ୍ତି। ଗତକାଲି ଏହି ହାତୀପଲ ରାସଗୋବିନ୍ଦପୁର ରେଞ୍ଜର ନଳଗଜା ହୋଇ ପଶ୍ଚିମବଙ୍ଗ କେଶରେଖା ରେଞ୍ଜର ସାଳଗଡ଼ିଆ ଦେଇ ଆଜି ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ଖୁଆଡ଼ ପଂଚାୟତ କେନ୍ଦୁଖୁଣ୍ଟା ଜଙ୍ଗଲରେ ପ୍ରବେଶ କରିଛନ୍ତି।

Advertisment

ପ୍ରାୟ ୪୦ରୁ ଅଧିକ ହାତୀ ଆସିଥିବା ଜଣାପଡ଼ିଛି। ବିଲରେ ଖାଦ୍ୟ ନଥିବାରୁ ହାତୀଗୁଡ଼ିକ ଗାଁରେ ପଶିବା ସମ୍ଭାବନା ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ହାତୀଗୁଡ଼ିକ ନୂଆଗାଁରେ ଥିବା ଈଶ୍ୱର ଦାସଙ୍କ ଛେଳି ଫାର୍ମ ହାଉସ୍‌ ଭିତରେ ପଶିଛନ୍ତି। ଏତେ ହାତୀକୁ ବନ ବିଭାଗର ଅଳ୍ପ ସଂଖ୍ୟକ କର୍ମଚାରୀ ସମ୍ଭାଳିବା କଷ୍ଟକର ହୋଇପଡ଼ିବ।

ଅଧିକ ପ୍ରଭାବିତ ହେବାକୁ ଥିବା ରାଇବଣିଆ, ପାରୁଳିଆ ସାହି, କେନ୍ଦୁଖୁଣ୍ଟା, ହଳଦିଗୁଣ୍ଡି, ନୂଆଗାଁ, ଖୁଆଡ଼ ଆଦି ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।  କିଛିଦିନ ଆଗରୁ ଉକ୍ତ ଅଞ୍ଚଳରେ ଗୋଟିଏ ଦନ୍ତା ପଶି ପରିବା ଚାଷ ନଷ୍ଟ କରି ଫେରିଥିଲା। ଖବରପାଇ ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତି କର୍ମଚାରୀଙ୍କ ସହ ହାତୀ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।