କାଳିଆପାଣି : କଟକ ଓ ଢେଙ୍କାନାଳ ବନଖଣ୍ଡ ସୀମାନ୍ତ ଇଲାକାରେ ଗତକାଲି ରାତିରୁ ୧୧ ଟିକିଆ ହାତୀପଲର ତାଣ୍ଡବ ଦେଖିବାକୁ ମିଳିଛି। ଏହି ଦଳରେ ୨ଟି ଦନ୍ତା, ୫ଟି ମାଈ ଓ ୪ଟି ଛୁଆ ହାତୀ ଅଛନ୍ତି। ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଓ ଭୁବନ ରେଞ୍ଜ୍ ମଧ୍ୟବର୍ତ୍ତୀ ଭାଲୁକିପାତଳା ଓ ଅନଳ ଗାଁ ମଝି ବୁଦୁବୁଦୁକିଆ ଜଙ୍ଗଲ ଏବଂ ଆମ୍ବତୋଟାରେ ଗୁରୁବାର ଦିନସାରା ହାତୀପଲ ଲୁଚିଥିଲେ। ପାଚିଲା ଧାନକ୍ଷେତ ପାଖରେ ହାତୀପଲ ଉପସ୍ଥିତିକୁ ନେଇ ସ୍ଥାନୀୟ ଚାଷୀକୁଳ ଓ ସାଧାରଣରେ ଆତଙ୍କ ଖେଳି ଯାଇଛି। ସୁକିନ୍ଦ‌ା ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ନିର୍ଦ୍ଦେଶରେ ବନପାଳ ନରେଶ କୁମାର ଟୁଡ଼ୁ ଓ ମହମ୍ମଦ ଜାକିର ହୁସେନ, ବନରକ୍ଷୀ ଇପସିତ୍ ରାୟନାୟକ, ଗୌରାଙ୍ଗ ଜାରିକା ଓ ନବ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୫ ଜଣିଆ ପ୍ରୋଟେକ୍ସନ ସ୍କ୍ବାଡ୍‌ ଏବଂ ଭୁବନ ରେଞ୍ଜର ଅନିତା ସେଠୀ ଓ ବନପାଳ କବିତା ବିଶ୍ବାଳଙ୍କ ନେତୃତ୍ବରେ ୨୦ ଜଣିଆ ବନ କର୍ମଚାରୀ ଘଟଣାସ୍ଥଳର ଉଭୟ ପଟୁ ଉପସ୍ଥିତ ରହି ହାତୀପଲର ଗତିବିଧି ଉପରେ ନଜର ରଖିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Advertisment

ସୂଚନା ଯୋଗ୍ୟ ଯେ, ସପ୍ତାହ ପୂର୍ବରୁ ହାତୀପଲ କାମାକ୍ଷାନଗର ପୂର୍ବ ରେଞ୍ଜ୍ ବାରୁଆ ଓ ଜିରାଳ ହୋଇ ଭୁବନ ରେଞ୍ଜ୍ ମଠକରଗୋଳା ଇଲାକା‌ରେ ପଶିଥିଲେ। ପରେ ମୁରୁଗା, ଶାମଳ, ଧଳପଡ଼ା ଓ କନ୍ଦରସିଂହା ହୋଇ ଅନଳରେ ପଶିଥିଲେ। ଅନଳରୁ ରେଙ୍ଗାଲି ବାମ କେନାଲ ପାର ହେବା ଉଦ୍ୟମ କରିଥିଲେ। ହେଲେ ଦଳରେ ଥିବା ୪ଟି ଛୁଆ ହାତୀଙ୍କ ନିରାପତ୍ତା ଦୃଷ୍ଟିରୁ ହାତୀପଲ ଏଠାରୁ ପଛଘୁଞ୍ଚା ଦେଇ କାଳିଆପାଣି ଥାନା ଅନ୍ତର୍ଗତ ଭାଲୁକିପାତଳା ମୁହାଁଇଥିଲେ। ଏଠାରେ ସଜାଗ ଥିବା ସୁକିନ୍ଦା ବନ ବାହିନୀ ସେମାନଙ୍କୁ ଖେଦିବାରେ ସଫଳ ହୋଇଥିଲେ। ଏକାଧିକ ଘର ଭାଙ୍ଗିବା ସହ ବହୁ ଧାନକ୍ଷେତକୁ ଖାଇ ଦଳିମକଚି ବ୍ୟାପକ କ୍ଷତି କରିଥିବା ଅଭିଯୋଗ ହୋଇଛି। ଭୁବନ ବନ ବିଭାଗ ପକ୍ଷରୁ ହାତୀପଲକୁ ତାଙ୍କ ବାସସ୍ଥାନ ପର୍ଯ୍ୟନ୍ତ ଘଉଡ଼ାଇବା ଉଦ୍ୟମ ଜାରି ରହିଛି।