ଚିତ୍ରଡ଼ା: ମୋରଡ଼ା ବ୍ଲକ୍‌ ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି। ନା ହାତୀ ଏ ଅଞ୍ଚଳ ଛାଡ଼ି ଯାଉଛନ୍ତି ନା ବନବିଭାଗ ସେମାନଙ୍କୁ ଘଉଡ଼ାଇ ପାରୁଛି। ଆଉ ଏବେ ୭୦ଟି ଝାଡ଼ଖଣ୍ଡୀ ହାତୀ ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଏହି ବ୍ଲକ୍‌ ଅଞ୍ଚଳକୁ ପ୍ରବେଶ କରିବା ପରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment

ଏହି ହାତୀପଲ ପ୍ରଥମେ ଶୁଖିଲାଖାଳି ଜଙ୍ଗଲରେ ପଶିଥିଲେ। ପରେ ହାଣ୍ଡିଭଙ୍ଗା ଅଞ୍ଚଳକୁ ଆସିଥିଲେ। ଆଜି ଦିନତମାମ ଅସନବଣି ଜଙ୍ଗଲରେ ରହିବା ପରେ ସନ୍ଧ୍ୟାରେ ଜନବସତି ମୁହାଁ ହୋଇଛନ୍ତି। ହାତୀପଲ ଉପରେ ସତର୍କ ନଜର ରଖିଛି ବନ ବିଭାଗ। ତଥାପି କ୍ଷୟକ୍ଷତି ରୋକିପାରୁନି। ଆଜି ଏକ ଦନ୍ତା ହାଣ୍ଡିଭଙ୍ଗା ଗ୍ରାମର ନଳିନୀ ପରମାଣିକଙ୍କ ଘର ଭାଙ୍ଗି ଦେଇଥିଲା। ଗାଁରେ ହାତୀ ପଶିବା ପରଠାରୁ ଲୋକଙ୍କ ନିଦ ହଜିଯାଇଛି। ଏଠାରେ ଲୋକେ ମୁଖ୍ୟତଃ ଝାଟିମାଟି ଘରେ ରହୁଥିବାରୁ କେ‌ତେବେଳେ ହାତୀପଲ ପଶି ସେମାନଙ୍କ ଧନଜୀବନ ଉଜାଡ଼ିବ, ସେ ଭୟରେ ରହୁଛନ୍ତି ଲୋକେ।