ଭଞ୍ଜନଗର: ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳରେ ଉପଦ୍ରବ କରୁଛନ୍ତି ୧୭ ଟିକିଆ ହାତୀପଲ। ପ୍ରତିଦିନ ହାତୀପଲକୁ ଜଙ୍ଗଲକୁ ଘଉଡାଇବାକୁ ନୟାନ୍ତ ହେଉଛନ୍ତି ବନ ବିଭାଗ କର୍ମଚାରୀ। ସଂନ୍ଧ୍ୟା ନହେଉଣୁ ହାତୀଙ୍କ ଗତି ବିଧି ଲକ୍ଷ୍ୟ କରି ସ୍ଥାନୀୟ ଲୋକଙ୍କ ସୂଚନା ପ୍ରକାରେ ହାତୀ ଘଉଡାଇବା ପାଇଁ ପହଁଞ୍ଚି ଯାଉଛନ୍ତି। ଗତ ଦୁଇ ସପ୍ତାହ ଧରି ଏହି ହାତୀ ପଲ ବିଭିନ୍ନ ଧାନ ଖେତରେ ପଶିଥିବା ବେଳେ ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି। ଧାନ ଫସଲକୁ ସୁରକ୍ଷା ଦେବା ପ‌ାଇଁ ରାତିରେ କିଛି ଚାଷୀ ଗଛ ଉପରେ ମଞ୍ଚା କରି କ୍ଷେତକୁ ଜଗୁଥିବା ମଧ୍ୟ ଦେଖିବାକୁ ମିଳୁଛି। ପରିବା ଚାଷ ପାଇଁ କରାଯାଇଥିବା ବାଡକୁ ଭାଙ୍ଗିବା ସହ ଅନେକ କ୍ଷେତକୁ ହାତୀ ପଲ ଦଳି ଦେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ହାତୀକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ଦେଖିବାକୁ ମିଳିଛି। ବନପାଳ,ବନରଖି ଠାରୁ ଆରମ୍ଭ କରି ସ୍କ୍ବାର୍ଡ ଦଳ ଏହି ହାତୀପଲକୁ ଜଙ୍ଗଲକୁ ଘଉଡାଉଥିବା ନେଇ ସୂଚନା ମିଳିଛି। ଏହି ହାତୀପଲ କିଛି ଦିନ ହେବ ମୁଜାଗଡ ସେକ୍‌ସନରୁ ଗାଲେରୀ ସେକ୍‌ସନ୍‌କୁ ଯାଇଥିବା ବେଳେ ପୁଣି ତିନି ଦିନ ତଳେ ଫେରିଥିବା ଜଣାପଡିଛି।

Advertisment

ମୁଜାଗଡ଼ ବନାଞ୍ଚଳରେ ଗତକିଛି ଦିନ ହେବ ହାତୀ ପଲ ସେମାନଙ୍କ ସ୍ଥିତି ଜାହିର କରିଥିବା ବେଳେ ଏହି ଅଞ୍ଚଳର ବିଭିନ୍ନ ଅଞ୍ଚଳକୁ ବର୍ତ୍ତମାନ ବୁଲି ଧାନକ୍ଷେତ ନଷ୍ଠ କରୁଛନ୍ତି। ଆଉ କିଛି ଦିନ ଗଲେ ଫସଲ ଅମଳ ହେବାକୁ ଥିବା ବେଳେ ହାତୀ ମାନଙ୍କ ଉପଦ୍ରବରୁ କ୍ଷେତକୁ ସରୁକ୍ଷିତ ରଖିବା ପାଇଁ ଚାଷୀ ମାନେ ଚିନ୍ତିତ ହୋଇପଡିଛନ୍ତି। ଏମାନଙ୍କ ମଧ୍ୟରେ ମାଇ ହାତୀ ଓ ଛୁଆ ‌ହାତୀକୁ ମିଶାଇ ୧୬ ଟି ହାତୀ ରହିଥିବା ବେଳେ ଗୋଟିଏ ଦନ୍ତା ହାତୀ ଏକାକୀ ବୁଦୁଲି ଅଞ୍ଚଳ‌ରେ ଘୂରି ବୁଲୁଛି। ଏହି ହାତୀପଲ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଚାଷ ଜମିକୁ ଆସି ଧାନ ଫଲସ ନଷ୍ଟ କରି ଦେଉଛନ୍ତି। ଗତମାସରେ ଏହି ବନାଞ୍ଚଳର ଦଦରଲୁଣ୍ଡା,ରମ୍ଭା ଆଦି ଇଲାକାରେ ବିଚରଣ କରୁଥିବ‌ା ବେଳେ କିଛିଦିନ ହେବ ମୁଜାଗଡ,ବୁଦୁଲି,ଜୟମଙ୍ଗଳ,ବ୍ରାହ୍ମଣପଦର ଆଦି ଅଞ୍ଚଳରେ ବୁଲି ଗତ ସପ୍ତାହରେ ଗାଲେରୀ ସେକସନ୍‌ ଆଡକୁ ପଳ‌ାଇଥିଲେ। ତିନିଦିନ ତଳେ ଏହି ହାତୀପଲ ବୁଦୁଲି ଓ ମୁଜାଗଡ ମଧ୍ୟରେ ଥିବା ପୋଲ୍‌ ‌ଫ୍ୟାକ୍ଟ୍ରି ନିକଟରେ ଜାତୀୟ ରାଜପଥ ପାର ହୋଇଛନ୍ତି। କିଛି ବ୍ୟକ୍ତି ଏହି ସମୟରେ ଭଞ୍ଜନଗରୁ ଫୁଲବାଣୀ ଯାଉଥିବା ବେଳେ ହଟାତ୍‌ ହାତୀପଲ ସାମ୍ନାକୁ ପଳାଇ ଆସିଥିଲେ। ସେମାନ‌େ ଗାଡି ଲାଇଟ୍‌ ବନ୍ଦ କରି ଅଟକି ଯାଇଥିଲେ। ଏଥିସହ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟକିଛି ବ୍ୟକ୍ତି ମଧ୍ୟ ଅଟକି ଯାଇଥିଲେ। କିନ୍ତୁ ଏଥିରେ ହାତୀମାନେ କାହାରି କିଛି କ୍ଷତି କରିନଥିବା ସେମାନ‌େ ପ୍ରକାଶ କରିଛନ୍ତି।

publive-image

ବର୍ତ୍ତମାନ ହାତୀପଲ ମୁଜାଗଡ ସେକ୍‌ସନ୍‌ର ସମାପଲ୍ଲୀ ଓ ବରୁଣପୁର ଗ୍ରାମ ନିକଟ ଜଙ୍ଗଲରେ ରହିଥିବା ବେଳେ ସଂନ୍ଧ୍ୟା ହେବା କ୍ଷଣି ଜଙ୍ଗଲ ବାହାରକୁ ଚାଲି ଆସୁଥିବାରୁ ତାହା ବନ ବିଭାଗର ଚିନ୍ତାର କାରଣ ପାଲଟିଛି। ହାତୀକୁ ଦେଇ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯିବା ପାଇଁ ଭୟଭୀତ ହୋଇ ପଡିଛନ୍ତି। ବନବିଭାଗ ପକ୍ଷରୁ ଦୁଇଟି ଟିମ ଗୋଟିଏ ଟିମ୍‌ ଦଦରାଲଣ୍ଡା ପଟୁ ଅନ୍ୟ ଟିମ୍‌ ବ୍ରାହ୍ମଣପଦର ଆଡୁ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଉ ଥିଲେ। ପ୍ରତ୍ୟେକ ସନ୍ଧ୍ୟାରେ ସେହି ଅଞ୍ଚଳରେ ପେ‌ଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଉଛି। ଲାଇଟ ଦେଖାଇବା ସହ,ବାଣ ଫୁଟାଇ ହାତୀପଲକୁ ଜଙ୍ଗଲକୁ ଘଉଡା ଯାଉଛି। ଆଗକୁ ଫସଲ ଅମଳ ସମୟରେ ଧାନର ବାସ୍ନା ପାଇ ହାତୀ ପଲ ଗାଁ ମୁହାଁ ହେବାର ସମ୍ଭାବନା ରହିଛି। ହାତୀପଲ ଫସଲ ଖାଇବା ଅପେକ୍ଷା‌ ଦଳି ନଷ୍ଠ ଅଧିକା କରୁଛନ୍ତି। ହାତୀ ଦ୍ବାରା ଫସଲ ନଷ୍ଠ ହେଲେ ବନ ବିଭାଗ ପକ୍ଷରୁ ସର୍ଭେ କରାଯାଇ କ୍ଷତି ପୂରଣ ଦିଆଯାଉଛି। କିନ୍ତୁ ଅମଳ ଫସଲରୁ ଯାହା ଲାଭ ଚାଷୀର ହୋଇ ପାରନ୍ତା ବନ ବିଭାଗ ସେହି ପରିମାଣର କ୍ଷତି ପୂରଣ ଦେଇପାରୁନାହିଁ। କଷ୍ଟାର୍ଜିତ ଫସଲକୁ ସୁରକ୍ଷା ଦେବା ପାଇଁ ଚ‌ାଷୀ ଦିନ ରାତି‌ କ୍ଷେତ ନିକଟରେ ଜଗି ରହୁଥିବା ବେଳେ ରାତିରେ ସୁରକ୍ଷା ଦୃଷ୍ଟିରୁ ବଡ ଗଛ ଉପରେ ମଞ୍ଚା ତିଆରି କରି କ୍ଷେତର ସୁରକ୍ଷାରେ ରହୁଥିବା ଦେଖିବାକୁ ମିଳିଛି।