ଓଡ଼ିଶାରେ କେତେ ହାତୀ?

ଦ୍ବିବାର୍ଷିକ ଗଣନା କରିବାକୁ ଭୁଲିଗଲେ, ସନ୍ଦେହ ପ୍ରକାଶ କଲେ ବନ୍ୟପ୍ରାଣୀ ବିଶେଷଜ୍ଞ

ଭୁବନେଶ୍ବର : ଓଡ଼ିଶାରେ କେତେ ହାତୀ? ୨୦୧୭ ତୁଳନାରେ ବଢ଼ିଛନ୍ତି ନା କମିଛନ୍ତି? ନିୟମ ଅନୁଯାୟୀ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ରାଜ୍ୟରେ ହାତୀ ଗଣନା କରାଯିବା କଥା। ଏଥିରେ ହାତୀଙ୍କ ସଂଖ୍ୟା, କେଉଁ ବନଖଣ୍ଡରେ କେତେ ହାତୀ ରହିଛନ୍ତି, କେଉଁ ବର୍ଗର କେତେ ହାତୀ ରହିଛନ୍ତି ତାହାର ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଥାଏ। ଶେଷ ଥର ପାଇଁ ୨୦୧୭ ମେ’ରୁ ଜୁଲାଇ ମାସ ମଧ୍ୟରେ ହାତୀ ଗଣନା ହୋଇଥିଲା। ନିୟମ ଅନୁଯାୟୀ ଚଳିତବର୍ଷ ଅର୍ଥାତ୍‌ ୨୦୧୯ ମେ’ ମାସରେ ହାତୀ ଗଣନା ହେବା କଥା। ତେବେ ଅଗଷ୍ଟ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ହାତୀ ଗଣନାର ନାଁ ଧରୁନି ଜଙ୍ଗଲ ଓ ପରିବେଶ ବିଭାଗ। ଏବର୍ଷ ହାତୀ ଗଣନା ହେବ କି ନାହିଁ ସେନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ବନ୍ୟପ୍ରାଣୀ ଅଜୟ କୁମାର ମହାପାତ୍ର ମୁହଁ ଖୋଲୁନାହାନ୍ତି କି କୌଣସି ଉତ୍ତର ଦେଉନାହାନ୍ତି। ଗୋଟିଏ ପଟେ ହାତୀଙ୍କ ମୃତ୍ୟୁ ଦିନକୁ ଦିନ ବଢ଼ୁଥିବା ବେଳେ ଅନ୍ୟପଟେ ସରକାରୀ ବାବୁମାନଙ୍କ ନିରବତା ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୫‌ରେ ରାଜ୍ୟରେ ୧୯୫୪ଟି ହାତୀ ଥିଲେ। ଏହାର ଦୁଇ ବର୍ଷ ପରେ ଅର୍ଥାତ୍‌ ୨୦୧୭ରେ ଗଣନା ସମୟରେ ହାତୀଙ୍କ ସଂଖ୍ୟା ୧୯୭୬କୁ ବୃଦ୍ଧି ପାଇଥିଲା। ରାଜ୍ୟର ୪୩ ବନ୍ୟପ୍ରାଣୀ ଡିଭିଜନରେ ହାତୀ ଗଣନା କରାଯାଇଥିଲା। ତିନୋଟି ହାତୀ ସଂରକ୍ଷିତ ଅଞ୍ଚଳ ଯଥା ମୟୂରଭଞ୍ଜ, ମହାନଦୀ ଓ ସମ୍ବଲପୁରରେ ୧୫୩୬ ହାତୀ ରହିଥିଲେ। ଏଥିସହ ୫ଟି ଅଭୟାରଣ୍ୟରେ ୭୯ ହାତୀ, ବିଭିନ୍ନ ହାତୀ ସଂରକ୍ଷିତ ଅଞ୍ଚଳ ଓ ଅଭୟାରଣ୍ୟ ବାହାରେ ୩୬୧ ହାତୀ ରହିଥିବା ଗଣନାରୁ ସୂଚନା ମିଳିଥିଲା। ୧୯୭୬ ହାତୀଙ୍କ ମଧ୍ୟରୁ ୩୪୪ଟି ଅଣ୍ଡିରା, ୧୦୯୨ ମାଈ ଓ ୫୦୨ଟି ଛୁଆ ହାତୀ ରହିଥିଲେ। ୩୮ଟି ହାତୀଙ୍କର ଲିଙ୍ଗ ନିରୂପଣ ହୋଇ ପାରି ନଥିଲା। ଶିମିଳିପାଳ ବନଖଣ୍ଡରେ ସର୍ବାଧିକ ୩୩୦ ହାତୀ ରହିଥିବା ଗଣନାରୁ ଜଣାପଡ଼ିଥିଲା।

ମିଳିଥିବା ସୂଚନା ଅନୁଯାୟୀ ୨୦୦୬-୦୭ରୁ ୨୦୧୬-୧୭ ମଧ୍ୟରେ ପ୍ରାୟ ୬୯୯ ହାତୀଙ୍କର ଜୀବନ ଯାଇଛି। ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୮୮ ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଠଗଡ଼ରେ ୭୨, ଶିମିଳିପାଳରେ ୬୦ ଓ କେନ୍ଦୁଝର ଡିଭିଜନରେ ୫୮ ହାତୀ ମୃତ୍ୟୁ ହୋଇଥିଲା। ବର୍ଷକୁ ହାରାହାରି ୭୪ଟି ହାତୀଙ୍କର ମୃତ୍ୟୁ ହେଉଛି। ଏଭଳି ସମୟରେ ହାତୀ ଗଣନା କରା ନଯିବା ପଛର କାରଣ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ୨୦୧୭ ପରଠାରୁ ରାଜ୍ୟରେ ପ୍ରତି ମାସରେ ହାରାହାରି ୫ଟି ଲେଖାଏଁ ହାତୀଙ୍କର ମୃତ୍ୟୁ ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଆଘାତ, ଟ୍ରେନ୍‌ ଧକ୍କା, ‌ଟ୍ରକ୍‌ ଓ ବସ୍‌ ଧକ୍କାରେ ବହୁ ହାତୀଙ୍କ ଜୀବନ ଯାଇଛି। ସେହି ଦୃଷ୍ଟିରୁ ଦେଖିଲେ ୨୦୧୯ରେ ହାତୀ ସଂଖ୍ୟା ବଢ଼ିଥିବା ନେଇ ଆଶଙ୍କା‌ ପ୍ରକାଶ ପାଇଛି। ଯଦି ହାତୀ ଗଣନା କରାଯାଏ ତେବେ ରାଜ୍ୟ ସରକାରଙ୍କ ହାତୀ ସୁରକ୍ଷା ନେଇ ପ୍ରକୃତ ଚିତ୍ର ପଦାକୁ ଆସିବ। ସେଥିପାଇଁ ବୋଧ ହୁଏ ଏଥର ହାତୀ ଗଣନା ନ କରି ଏଡ଼ାଇ ଦେଇଛନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି।

ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଯେଉଁ ସମୟରେ ହାତୀ ଗଣନା କରାଯିବା କଥା ସେତେବେଳେ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା। ତେଣୁ ସରକାରୀସ୍ତରରେ ସେଭଳି ଗୁରୁତ୍ବ ଦିଆଗଲା ନାହିଁ। ମେ’ ମାସରେ ନୂଆ ସରକାର ଗଠନ ହୋଇଥିଲେ ମଧ୍ୟ ହାତୀ ଗଣନା କଥା ସମସ୍ତେ ଭୁଲିଗଲେ। ସେପଟେ ବାଘ ଗଣନା ‌ରିପୋର୍ଟ ବି ବିଳମ୍ବରେ ପ୍ରକାଶ ପାଇଲା। ୨୦୧୮ରେ ଜାତୀୟସ୍ତରରେ ବାଘ ଗଣନା ରିପୋର୍ଟ ଗତ ଜୁଲାଇରେ ବାହାରିଲା। ଓଡ଼ିଶାରେ ବାଘଙ୍କ ସ୍ଥିତି ନେଇ ମାନସମନ୍ଥନ ହୋଇଥିଲା। ଏଭଳି ବିଭିନ୍ନ କାରଣ ଲାଗି ହାତୀ ଗଣନା ହୋଇପାରିନି। ଖୁବ୍‌ଶୀଘ୍ର ବୈଠକ ବସି ହାତୀ ଗଣନା ନେଇ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର