ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ହାତୀପଲଙ୍କ ଉତ୍ପାତ, ଗୃହଶୂନ୍ୟ ହୋଇଛନ୍ତି ୧୧୩୯ ପରିବାର

୧୨୩୭ ଘର ଆଂଶିକ କ୍ଷତିଗ୍ରସ୍ତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଳାରେ ଥମୁନି ହାତୀପଲଙ୍କ ଉତ୍ପାତ। ବସ୍ତିମୁହାଁ ହେଉଥିବା ହାତୀପଲଙ୍କୁ ‌ରୋକିବାକୁ ବନ ବିଭାଗ ସୋଲାର ଫେନ୍‌ସିଂ ଓ ଟ୍ରେଞ୍ଚ କାମ ଦେଉନି। ନିମ୍ନମାନର କାମ ଓ ଆବଶ୍ୟକ ରକ୍ଷଣାବେକ୍ଷ ଅଭାବରୁ ଅଧିକାଂଶ ସ୍ଥାନରେ ଏସବୁ ବ୍ୟବସ୍ଥା କାମରେ ଆସୁନି। ଖାଦ୍ୟ ଅନ୍ବେଷଣରେ ହାତୀପଲ ବର୍ଷ ତମାମ ବସ୍ତି ଓ ଗାଁ ମୁହାଁ ହେଉଛନ୍ତି। ଘର ଭାଙ୍ଗୁଛନ୍ତି। ଏକର ଏକର ଧାନ ଓ ପନିପରିବା ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ଅନେକ ହାତୀପଲଙ୍କ ଭୟରେ ଗାଁ ଛାଡି ବନ୍ଧୁ ଓ ପରିଜନଙ୍କ ଘରେ ଆଶ୍ରୟ ‌ନେଉଛନ୍ତି। ଶତାଧିକ ପରିବାର ଘର ମାଟିରେ ମିଶି ଯାଉଛି। ଅଧିକାଂଶଙ୍କ ଘର ଆଂଶିକ କ୍ଷତିଗ୍ରସ୍ତ ହେଉଛି। ସୁନ୍ଦରଗଡ଼ ଜିଲ୍ଲାରେ ହାତୀପଲ ଗତ ୫ ବର୍ଷ ( ୨୦୧୮ରୁ ୨୦୨୨) ମଧ୍ୟରେ ୧୧୩୯ ପରିବାର ଗୃହଶୂନ୍ୟ ହୋଇଛନ୍ତି। ୧୨୩୭ ପରିବାର ଘର ୨୦ରୁ ୫୦% ଭାଙ୍ଗିଯାଇଛି।

ସରକାରଙ୍କ ଘୋଷଣା ମୁତାବକ ବନ ବିଭାଗ କ୍ଷତିପୂରଣ ଦେଇ କାମ ସାରିଦେଉଛନ୍ତି। କିନ୍ତୁ ହାତୀପଲଙ୍କ ଦୌରାତ୍ମ୍ୟରୁ କିପରି ଗାଁ ଓ ବସ୍ତିବାସିନ୍ଦା ସୁରକ୍ଷିତ ରହିବ, ଆଜି ଯାଏ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ। ସୁନ୍ଦରଗଡ଼ ଜିଲ୍ଲାର ତିନିଟି ବନଖଣ୍ଡ ରାଉରକେଲା, ବଣାଇ ଓ ସୁନ୍ଦରଗଡରେ ଏମିତି ସାଂଘାତିକ ସ୍ଥିତି ଉପୁଜିଛି। ରାଉରକେଲା ବନଖଣ୍ଡରେ ଗତ ୫ ବର୍ଷରେ ହାତୀପଲ ୭୫୭ ଘର ଭାଙ୍ଗିଛନ୍ତି। ଗୃହଶୂନ୍ୟ ହୋଇଛନ୍ତି ୪୬୭ ପରିବାର। ଅବଶିଷ୍ଟ ୨୯୦ ପରିବାର ଘର ୩୦ରୁ ୭୦% ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି। ୨୦୧୯ରେ ୨୩୦, ୨୦୨୦ରେ ୧୦୯, ୨୦୨୨ (ଅଗଷ୍ଟ ମାସ ସୁଦ୍ଧା) ୧୮୨ ଘର ଭାଙ୍ଗିଛି। ସୁନ୍ଦରଗଡ଼ ବନଖଣ୍ଡରେ ଗତ ୫ ବର୍ଷରେ ମୋଟ ୬୪୪ ପରିବାର ଗୃହଶୂନ୍ୟ ହୋଇଛନ୍ତି। ୪୮୬ ପରିବାର ଘର ୨୦ରୁ ୮୦% କ୍ଷତିଗ୍ରସ୍ତ ହୋଇଛି। ୨୦୨୦ରେ ସୁନ୍ଦରଗଡ଼ ବନଖଣ୍ଡ ଅଧୀନରେ ସର୍ବାଧିକ ୪୦୮ ପରିବାର ଗୃହଶୂନ୍ୟ ହୋଇଥିଲେ।

୨୦୧୯ରେ ୧୮୦, ୨୦୨୧ରେ ୯ ଓ ୨୦୨୨ (ଅଗଷ୍ଟ ସୁଦ୍ଧା) ମାତ୍ର ଗୋଟିଏ ପରିବାର ଗୃ୍ହଶୂନ୍ୟ ହୋଇଛନ୍ତି। ସେମିତି ୨୦୨୦ରେ ଏହି ବନଖଣ୍ଡ ଅଧୀନରେ ହାତୀପଲଙ୍କ ଉତ୍ପାତରୁ ୩୪୯ ପରିବାର ଘର ୩୦ରୁ ୭୦% କ୍ଷତିଗ୍ରସ୍ତ ହୋଇଛି। ଅନୁରୂପ ଭାବେ ବଣାଇ ବନଖଣ୍ଡରେ ହାତୀମାନେ ଗତ ୫ ବର୍ଷରେ ମୋଟ ୪୮୫ ଘର ଭାଙ୍ଗିଛନ୍ତି। ଏଥି ମଧ୍ୟରୁ ୨୦୫ ପରିବାର ସମ୍ପୂର୍ଣ୍ଣ ଗୃହ ଶୂନ୍ୟ ହୋଇଛନ୍ତି। ଅର୍ଥାତ୍‌ ‌ଏମାନଙ୍କ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଗୃହଶୂନ୍ୟ ହୋଇଥିବା ପରିବାରଙ୍କୁ ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଯେତିକି ଟଙ୍କା ଦିଆଯାଇଛି, ତା’ ସମୁଦ୍ରକୁ ଶଙ୍ଖେ ପରି। ଅବଶ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା କ୍ଷତିପୂରଣ ଅର୍ଥରେ ପୁଣି ମୁଣ୍ଡ ଗେଞ୍ଜିବାକୁ ଘରଟି କରିଛନ୍ତି। ଆଉ କିଛି ପରିବାର ଜୀବନ ପ୍ରତି ବିପଦ ଥିବାରୁ ବସ୍ତି ଓ ଗାଁ ଛାଡି ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଛନ୍ତି। ନିଜ କ୍ଷେତରେ ଧାନ ଓ ପନିପରିବା ଚାଷ କରିବାକୁ ମଧ୍ୟ ଭୟ କରୁଛନ୍ତି।

ବର୍ଷ ବର୍ଷ ଧରି କିଛି ଚାଷୀଙ୍କ ଜମି ପଡିଆ ପଡୁଛି। ପରିବାର ପ୍ରତିପୋଷଣ କରିବାକୁ ସେମାନେ ଚାଷ ଛାଡି ଦିନ ମଜୁରିଆ କାମ କରୁଛନ୍ତି। ବାହାରକୁ ଦାଦନ ଖଟିବାକୁ ଯାଇ ଶୋଷଣର ଶିକାର ହେଉଛନ୍ତି। ହାତୀପଲଙ୍କ ଭୟରେ ନିରୀହ ପରିବାର ବର୍ଷ ବର୍ଷ ଧରି ଏଭଳି ଦୟନୀୟ ଜୀବନ ବିତାଉଥିଲେ ହେଁ ସରକାର ନା ବନ ବିଭାଗ, କାହାରି ପକ୍ଷରୁ ସେମିତି ଠୋସ୍‌ ପଦକ୍ଷେପ ନିଆଯାଇ ପାରୁନି। ବରଂ ବସ୍ତି ଓ ଗାଁ ମୁହାଁ ହାତୀପଲଙ୍କୁ ରୋକିବାକୁ ସୋଲାର ଫେନ୍‌ସିଂ ଓ ଟ୍ରେଞ୍ଚ ଖୋଳା ନାଁରେ ମିଳୁଥିବା ଅର୍ଥକୁ ମିଳିମିଶି ଚଳୁ କରୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ସୋଲାର ଫେନ୍‌ସିଂ ଓ ଟ୍ରେଞ୍ଚ ବାବଦରେ ଖର୍ଚ୍ଚ ଅର୍ଥର ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର