ସାରନଗରୀ: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାବ୍ଲକ୍‌ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ମାସ ମାସ ଧରି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଏ ନେଇ ବନ କର୍ମଚାରୀ ନା ପ୍ରଶାସନ କାହାରି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ। ଯାହାର ଫଳସ୍ୱରୂପ ଅକାରଣେ ନଷ୍ଟ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଫସଲ ଓ ଧନ ଜୀବନ। ଗୋଟିଏ ପଟେ ସରକାର ଚାଷ କରିବା ନିମନ୍ତେ ଚାଷୀ ଋଣ ଓ ଅନ୍ୟାନ୍ୟ ସୁବିଧା କରାଇ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେଉଥିବାବେଳେ ଅନ୍ୟପଟେ ସୋନାପର୍ବତ ଅଞ୍ଚଳର ଗ୍ରାମବାସୀ ଚାଷୀଋଣ ନେଇ ଏକର ଏକର ଜମିରେ କରିଥିବା ଚାଷକୁ ହାତୀ ନଷ୍ଟ କରିଦେବା ନେଇ ଏବେ ଚିନ୍ତାରେ ସୋନାପର୍ବତ ବାସିନ୍ଦା। ନିତି ସନ୍ଧ୍ୟାହେଲେ ହାତୀ ଭୟରେ ଗାଁ ର ଛୁଆ ଠାରୁ ଆରମ୍ଭ କରି ବୁଢାବୁଢ଼ୀ ହାତରେ ମଶାଲ ଧରି ଓ ରାସ୍ତା ଉପରେ ଟାୟାର ଜାଳିବା ସହିତ ଟର୍ଚ୍ଚ ମାରି ହାତୀ ଘୋଡାଉ ଥିବା ଦେଖିବାକୁ ମିଳୁଛି। ଏପରିକି ଗାଁ ଲୋକଙ୍କ ସାମ୍ନାରେ ହାତୀ ତାଙ୍କର ଫସଲ ନଷ୍ଟ କରୁଥିଲେ ମଧ୍ୟ ଗାଁ ଲୋକେ ହାତୀ ଘଉଡ଼ାଇବାରେ ସକ୍ଷମ ନ ହୋଇପାରି ବନ ବିଭାଗକୁ ଖବର ଦେଲେ ମଧ୍ୟ ବନବିଭାଗ କର୍ତ୍ତୃପକ୍ଷ ହାତୀ ଘୋଡାଇ ନପାରିବାରୁ ଦନ୍ତା ହାତୀ ୩ଟି, ଛୁଆ ହାତୀ ୩ଟି, ମାଈ ହାତୀ ୧୫ଟି ମାସ ମାସ ଧରି ସୋନାପର୍ବତ ଜଙ୍ଗଲ, ଗଞ୍ଜୁ ଟୋଲା, ଲୋହରା ବସ୍ତି ଆଦି ଅଂଚଳରେ ଘୁରି ବୁଲୁଥିବା ନେଇ ଗାଁ ଲୋକେ ଅଭିଯୋଗ କରିଛନ୍ତି।

Advertisment

ଗାଁ ଲୋକେ ନିତିଦିନ ଯାତାୟାତ କରୁଥିବା ମୁଖ୍ୟ ରାସ୍ତା ଗୁଡିକରେ ଆଲୋକ ବ୍ୟବସ୍ଥା ନରହିବା ହେତୁ ହାତୀ ମାନଙ୍କର ଉପଦ୍ରବ ବେଶୀ ଦେଖିବାକୁ ମିଳୁଛି। ଏହାସହିତ ସନ୍ଧ୍ୟା ସମୟରେ ହାତୀଙ୍କ ପାଇଁ ବିଜୁଳି କାଟ ହେଉଥିବାବେଳେ ଦିନ ସମୟରେ ବିଜୁଳି ନରହିବା ହେତୁ ପିଲାମାନେ ପାଠ ପଢିବା ଓ ଗାଁ ଲୋକଙ୍କୁ ଚଳପ୍ରଚଳ କରିବା ନେଇ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଗୋଟିଏ ପଟେ ହାତୀ ଅନ୍ୟପଟେ ବିଜୁଳି ସମସ୍ୟା ଗାଁ ଲୋକେ କାହାକୁ ଗୁହାରି କରିବେ ଏବେ ଏନେଇ ଚିନ୍ତାରେ ଗ୍ରାମବାସୀ। ଏ ନେଇ ଆମେ ପାନପୋଷ ବନବିଭାଗ ଅଧିକାରୀ ଜ୍ଞାନେନ୍ଦ୍ର ଲିମାଙ୍କ ମତାମତ ନେବାକୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଫୋନ ଉଠାଇ ନଥିଲେ।