ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ତିନିଦିନ ହେଲା ୨୬ଟିକିଆ ହାତୀପଲ ଘୂରି ବୁଲୁଛନ୍ତି। ଏହି ହାତୀପଲ ଆଜି ଅପରାହ୍ଣ ପ୍ରାୟ ୪ଟାବେଳେ ଡୁମୁରିଆସ୍ଥିତ ବୈତରଣୀ ନଦୀରେ ଜଳକ୍ରୀଡ଼ା କରିଛନ୍ତି। ହାତୀଙ୍କ ଜଳକ୍ରୀଡ଼ା ଦେଖିବା ପାଇଁ ନଦୀପଠାରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ସେହିପରି ହାତୀପଲ ଡୁମୁରିଆ, ତଣ୍ଡ, ଫୁଲପାହାଡ଼ି, ବଡ଼ଧନୁର୍ଜୟପୁର, କୁଣ୍ଡଳା, ମିରିଗିଖୋଜି ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏକର ଏକର ଧାନ ଫସଲକୁ ଦଳିଚକଟି ନଷ୍ଟ କରିଦେଇଛନ୍ତି।
ଫୁଲପାହାଡ଼ି ଗ୍ରାମର ବଗୁନ ମୁଣ୍ଡା, ବଡ଼ଧନୁର୍ଜୟପୁର ଗ୍ରାମର ଶ୍ରୀକାନ୍ତ ମହାନ୍ତ, କୁଣ୍ଡୁଳା ଗ୍ରାମର ଛତିଶ ନାଏକ, ନୂଆଗାଁର ହଳଧର ମହାନ୍ତ ଏବଂ ମିରିଗିଖୋଜି ଗ୍ରାମର ବାଳକୃଷ୍ଣ ମହାନ୍ତଙ୍କ ଘର ହାତୀପଲ ଭାଙ୍ଗି ଦେଇଛନ୍ତି। ବାରମ୍ବାର ହାତୀ ଉପଦ୍ରବର ଶିକାର ହେବା ଦ୍ବାରା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଉଛି। ବନ ବିଭାଗ ହାତୀଙ୍କ ଗିତିବିଧି ଉପରେ ନଜର ରଖି ସେମାନଙ୍କୁ ଅନ୍ୟତ୍ର ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।