ସହରରେ ବୁଲିଲେ ବଣୁଆ ହାତୀ

ଝାରସୁଗୁଡ଼ା : ଝାରସୁଗୁଡ଼ା ସହରରେ ଶନିବାର ରାତିରେ ହାତୀପଲ ବୁଲୁଥିବା ଦେଖିବାକୁ ମିଳିଥିଲା। ସହରର ରାସ୍ତାରେ ହାତୀମାନଙ୍କୁ ଅନାୟସରେ ବୁଲୁଥିବା ଦେଖି ସହରବାସୀ ଆତଙ୍କିତ ହୋଇପଡ଼ିଥିଲେ। ରାତି ଦେଢ଼ଟାରୁ ୪ଟା ପର୍ଯ୍ୟନ୍ତ ୧୨ଟି ହାତୀ ଥିବା ଏହି ପଲ ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା, ମଙ୍ଗଳବଜାର, ମୁଙ୍ଗାପଡ଼ା, ପୁରୁଣା ମୁଖ୍ୟ ଚିକିତ୍ସାଳୟଠାରେ ବୁଲିବା ପରେ ବୃନ୍ଦାମାଲ ଦେଇ କାତିକେଲା, ଭୁର୍କାମୁଣ୍ଡା ଅଞ୍ଚଳ ନିକଟ ଭାଗିପାଲି ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ। ଏବେ ବି ହାତୀମାନେ ଉକ୍ତ ଜଙ୍ଗଲରେ ଥିବା ଜଣାଯାଇଛି।

ଏହି ହାତୀପଲରେ ଦନ୍ତାହାତୀ ସହିତ ମାଈହାତୀ ଓ ଛୋଟ ହାତୀ ରହିଛନ୍ତି। ହାତୀପଲ ଇବ୍‌ ନଦୀ ‌କୂଳ ଦେଇ ସୁନ୍ଦରଗଡ଼ ବନାଞ୍ଚଳକୁ ବଡ଼ଯୋବ ହୋଇ ଗାନ୍ଧୀଛକ, ଇବ୍‌ ଷ୍ଟେସନ ନିକଟ ଜମାପାଲି ଡୁଙ୍ଗୁରି ହୋଇ ଗତ ରାତିରେ ଝାରସୁଗୁଡ଼ା ସହର ମଧ୍ୟରେ ପ୍ରବେଶ କରିଥିଲେ। ରାତି ସାଢ଼େ ୧ଟାରେ ରାମନବମୀ ପାଇଁ ପୋଷ୍ଟର ପତାକା ଲାଗାଉଥିବା କିଛି ବ୍ୟକ୍ତି ମୁଖ୍ୟ ରାସ୍ତାରେ ହାତୀ ମାଡ଼ି ଆସୁଥିବା ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ବନ ବିଭାଗକୁ ସୂଚନା ଦେଇଥିଲା। ବନ ବିଭାଗ କର୍ମଚାରୀମାନେ ଆସି ହାତୀଙ୍କୁ ଘଉଡ଼ାଇବା ଉଦ୍ୟମ କରିଥିଲେ। ହାତୀମାନେ ସହର ଠାରୁ ଅଳ୍ପ ଦୂରରେ ଏବେ ରହିଥିବା ବେଳେ ପୁଣି ସହର ଆଡ଼କୁ ଆସିବାର ସମ୍ଭାବନା ରହିଛି। ବନ ବିଭାଗ ଏଥିପାଇଁ ସଜାଗ ରହିଥିବା ବେଳେ ରାଉରକେଲାରୁ ଏକ ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଦଳ ମଧ୍ୟ ପହଞ୍ଚିଛନ୍ତି। ସୁରକ୍ଷିତ ଭାବେ ଏହି ହାତୀପଲ ଯେପରି ଜଙ୍ଗଲ ଭିତରକୁ ବାହୁଡ଼ି ଯିବେ ସେଥିପାଇଁ ବିଭଗ ସତର୍କ ଦୃଷ୍ଟି ରଖିଛି ବୋଲି ରେଞ୍ଜର ଆର୍‌.ସି. ନାଥ କହିଛନ୍ତି।

ସମ୍ବନ୍ଧିତ ଖବର