ଭଞ୍ଜନଗର: କିଛିଦିନର ବିରତି ପରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ତାରସିଂ ଓ ମୁଜାଗଡ଼ ବନାଞ୍ଚଳରେ ହାତୀପଲର ଗତିବିଧି ଲକ୍ଷ୍ୟ ରଖାଯାଇଛି। ଦିନତମାମ ପ୍ରଚଣ୍ଡ ରୌଦ୍ର ଓ ଗୁଳୁଗୁଳିରେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବା ହାତୀପଲ ସନ୍ଧ୍ୟା ହେଲେ ପାଣି ଓ ଖାଦ୍ୟ ପାଇଁ ରାଜରାସ୍ତା ପାର ହେଉଛନ୍ତି।
ସୂଚନା ଅନୁସାରେ,ଏହି ପଲରେ ଛୁଆ ଓ ବଡ଼ଙ୍କୁ ମିଶାଇ ୧୭ଟି ହାତୀ ଥିବା ଜଣାପଡ଼ିଛି। ହାତୀପଲ ରାସ୍ତା ପାର୍ ହେଉଥିବା ସମୟରେ ଉଭୟ ପାର୍ଶ୍ବରେ ବହୁସଂଖ୍ୟାରେ ଯାନବାହନ ଅଟକି ରହୁଛି। ଆଉ ବନ ବିଭାଗ ସେମାନଙ୍କ ଉପରେ ନଜର ରଖିଛି। ଏହି ହାତୀପଲ ମୁଜାଗଡ଼ ବନାଞ୍ଚଳର ଭଞ୍ଜନଗର-ଫୁଲବାଣୀ ମୁଖ୍ୟରାସ୍ତା ପାର୍ ହେଉଛନ୍ତି। ଗାଲେରୀ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଣ୍ଟ୍-୧୧ରୁ ବାହାରି ରାସ୍ତା ପାର ହେବାପରେ ରମ୍ଭା ବିଟ୍ରେ ରହିଥିବା ସୂଚନା ମିଳିଛି। ସେହିପରି, ତାରସିଂ ବନାଞ୍ଚଳର ତିନିଛକିଆ ରାସ୍ତା ତଥା ଭଞ୍ଜନଗର-ଦଶପଲ୍ଲା ମୁଖ୍ୟରାସ୍ତା ଦେଇ ହାତୀପଲ ଅତିକ୍ରମ କରୁଛନ୍ତି। ଗତକାଲି ସନ୍ଧ୍ୟାରେ ୨ଟି ହାତୀ ଚନ୍ଦ୍ରଗିରି ଜଙ୍ଗଲରୁ ବାହାରି ଦଲକମାଣପୁର ଢେପସାହିପଟକୁ ଯାଇଥିଲେ। ତିନିଛକିଆ ନିକଟରେ ଥିବା ଏକ ପୋଖରୀରେ ପାଣି ପିଇବା ସହ ଗାଧୋଉଥିବା ଦେଖିବାକୁ ମିଳିଥିଲା। ଅନେକସମୟରେ ହାତୀପଲ କୁଲାଡ଼ ସେକ୍ସନ୍ର ଲଟାପଲ୍ଲୀ ଓ ଗୁଡ଼ିପଲ୍ଲୀକୁ ଯାଉଛନ୍ତି। ପାଣି ଓ ଖାଦ୍ୟ ଅନ୍ବେଷଣରେ ହାତୀ ଆସୁଥିବା କାରଣରୁ ଲୋକଙ୍କୁ ସତର୍କ କରାଯାଉଥିବା ସୂଚନା ମିଳିଛି।