ଆନ୍ଧ୍ର ସୀମାନ୍ତରେ ହାତୀପଲ, ବନ ବିଭାଗ ସଜାଗ; ସପ୍ତାହେ ହେଲା ଚକ୍କର୍ କାଟୁଛନ୍ତି

ରାୟଗଡ଼ା : ବର୍ଷକ ବ୍ୟବଧାନରେ ରାୟଗଡ଼ାକୁ ଫେରିଛନ୍ତି ହାତୀପଲ। ଓଡ଼ିଶା ସୀମାନ୍ତରୁ ୬ କିମି ଦୂର ବିଜୟନଗରମ ଫରେଷ୍ଟ୍ ଡିଭିଜନର ଦେବକଣା ଜଙ୍ଗଲରେ ୫ଟି ହାତୀ ସପ୍ତାହେ ହେଲା ଚକ୍କର୍ କାଟୁଛନ୍ତି। ଫଳରେ ଓଡ଼ିଶା-ଆନ୍ଧ୍ର ବନ ବିଭାଗ କର୍ତ୍ତୃପକ୍ଷ ହାତୀଙ୍କ ଗତିବିଧି ଉପରେ ତୀକ୍ଷଣ୍ ନଜର ରଖିଛନ୍ତି। ଫସଲ ନଷ୍ଟ ରୋକିବା ସହ କୌଣସି ଧନ ଜୀବନ ଯେପରି ହାନି ନ ହୁଏ ସେଥି ପ୍ରତି ରାୟଗଡ଼ା ଫରେଷ୍ଟ ଡିଭିଜନ୍ ସଜାଗ ରହିଛି ବୋଲି ସୂଚନା ଦେଇଛନ୍ତି ରାୟଗଡ଼ା ବନଖଣ୍ଡ ଅଧିକାରୀ ଅଶ୍ବିନୀ କୁମାର କର।

ଗତକାଲି ହାତୀପଲ ଓଡ଼ିଶାମୁହାଁ ହେବା ପରେ ସଜାଗ ହୋଇଥିଲା ରାୟଗଡ଼ା ବନ ବିଭାଗ। ରାୟଗଡ଼ା ରେଞ୍ଜର ଅଶୋକ ପ୍ରଧାନଙ୍କ ତତ୍ତ୍ବାବଧାନରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, ୱାଇଲଡ୍ ଲାଇଫ୍ ସ୍କ୍ବାର୍ଡ, ଏଲିଫ୍ୟାଣ୍ଟ୍ ଟ୍ରାକର୍ ସୀମାନ୍ତରେ ମୁତୟନ ହୋଇଛନ୍ତି। ଯେକୌଣସି ମୁହୂର୍ତ୍ତରେ ହାତୀ ପଲ ଓଡ଼ିଶା ଭିତରକୁ ପଶି ଆସିବାର ସମ୍ଭାବନା ଥିବାରୁ ରେଲୱେ ଓ ବିଦ୍ୟୁତ୍ ବିଭାଗ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ନେଇଛି ବନ ବିଭାଗ। ସୀମାନ୍ତବର୍ତ୍ତ ଗାଁ ଗୁଡ଼ିକରେ ଗତକାଲିଠାରୁ ବିଦ୍ୟୁତ୍ ସଂଯୋଗକୁ କାଟି ଦିଆଯାଇଛି। ହାତୀପଲଙ୍କ ମଧ୍ୟରେ ଗୋଟିଏ ଦନ୍ତା, ଗୋଟିଏ ମାଈ ହାତୀ ଓ ୩ଟି ଛୁଆ ହାତୀ ଥିବା ବନ ବିଭାଗ ସୂଚନା ଦେଇଛି। ଏବେ ଫସଲ ଅମଳ ସମୟ ହୋଇଥିବାରୁ ହାତୀପଲକୁ ନେଇ ସୀମାନ୍ତ ଗ୍ରାମବାସୀ ଛାନିଆ ହୋଇ ପଡିଛନ୍ତି। ସଂଧ୍ୟା ସୁଦ୍ଧା ହାତୀପଲ ଦେବକଣା ଜଙ୍ଗଲରେ ହିଁ ଥିବା ଜଣା ପଡିଛି। ରାତିରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ସୀମାନ୍ତରେ ବନ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ରାୟଗଡ଼ା ବ୍ଲକ୍ କେରେଡା ପଞ୍ଚାୟତର ଅନିଜା, ବୋରହଲୁଆ, ଏମ୍ପଲୱାଲାସା ଭଳି କିଛି ଗ୍ରାମକୁ ପ୍ରତି ବର୍ଷ ହାତୀ ପଲ ପଶି ଆସି ଫସଲ ନଷ୍ଟ କରୁଛନ୍ତି। ଗତ ବର୍ଷ ହାତୀ ପଲ ଏକ ମାସ ଧରି ସୀମାନ୍ତ ଗାଁ ଗୁଡ଼ିକରେ ଉପଦ୍ରବ ଜାରି ରଖିଥିଲେ। ବ୍ୟାପକ ଫସଲ ନଷ୍ଟ ହେବା ଯୋଗୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ପରେ ହାତୀ ଘଉଡାଇବା ପାଇଁ ଆନ୍ଧ୍ର-ଓଡ଼ିଶା ବନ ବିଭାଗ ମୁହାଁମୁହିଁ ହୋଇଥିଲେ।

ଗତ ବର୍ଷ ମାରିଥିଲେ, ମରିଥିଲେ…
ରାୟଗଡ଼ା : ଗତ ବର୍ଷ ୭ ଟିକିଆ ବଣୁଆ ହାତୀ ପଲକୁ ନେଇ ଓଡ଼ିଶା-ଆନ୍ଧ୍ର ଜଙ୍ଗଲ ବିଭାଗ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ଦେଇଥିଲା। ଦୁଇ ରାଜ୍ୟର ବନ କର୍ମଚାରୀ ହାତୀପଲକୁ ଘଉଡ଼ାଇବା ପରେ ହାତୀପଲ ଆନ୍ଧ୍ରର କିଛି ଗ୍ରାମ ଭିତରକୁ ପଶି ଯାଇଥିଲେ। ଏପରିକି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ଆନ୍ଧ୍ର ବନ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀ ହାତୀପଲ ଉପରକୁ ରକେଟ୍ ବାଣ ମାଡ଼ କରିଥିଲେ। ଫଳରେ ବାଣ ମାଡ଼ରେ ଘାଇଲା ହୋଇ ପୋଖରୀରେ ବୁଡ଼ି ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ବାଣ ଭୟରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ସିତମପେଟା ଜଙ୍ଗଲରୁ ଅନିଜା ଗାଁ ନିକଟ ଜଙ୍ଗଲକୁ ପଶି ଆସିଥିବା ହାତୀପଲକୁ ରାୟଗଡ଼ା ବନ କର୍ମଚାରୀ ପୁଣି ଘଉଡାଇବା ପରେ ଜଙ୍ଗଲ ରାସ୍ତାରେ ବିଜୟନଗରମ ବନଖଣ୍ଡ କୃପମ ବନ କର୍ମଚାରୀ ହାତୀକୁ ଘେରିଥିଲେ। ଆନ୍ଧ୍ରର ବନ ବିଭାଗ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ହାତୀ ଉପରକୁ ହାବେଳି ବାଣ ଛାଡ଼ିବା ପରେ ହାତୀ ଗୁଡ଼ିକ ସିତମପେଟା ଜଙ୍ଗଲରୁ ପାର୍ବତୀପୁର ଝଞ୍ଜାବତୀ ଡ୍ୟାମ ଦେଇ ରାମଭଦ୍ରମପୁରମ, ପାର୍ବତୀପୁରମ, ଚଲପୁରମ ଦେଇ ଅନିଜା, ବୋରହଲୁଆ, ଏମ୍ପଲୱାଲସାରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର