ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ। ଡାଳିଯୋଡ଼ା ସଂରକ୍ଷିତ ଜଙ୍ଗଲରୁ ଗଲା ୧୦ ଦିନ ହେବ ଚାଲି ଆସିଥିବା ୧୮ଟି ହାତୀ ଚୌଦ୍ବାର ସହର ଉପକଣ୍ଠକୁ ଆସି ଏଭଳି ଉତ୍ପାତ କରୁଛନ୍ତି। ଆଜି ସକାଳ ୭ଟା ସମୟରେ ରାଜପଥର କଜଳକଣାରୁ କୁସ୍ପଙ୍ଗି ମଧ୍ୟରେ ହାତୀ ଆତଙ୍କ ସୃଷ୍ଟି ହୋଇଛି। ହାତୀପଲ ଚୌଦ୍ବାର ଥାନା ଅନ୍ତର୍ଗତ ଆଗ୍ରାହାଟ, ବାଣୀପଦା, ଶଙ୍କରପୁର, ବଡସାମନ୍ତରାପୁର ଓ କୟଳପଡା ଆଦି ପଂଚାୟତର ବିଭିନ୍ନ ଗ୍ରାମରେ ପଶି ଧାନ ଓ ପରିବା ଫସଲ ନଷ୍ଟ କରିଛନ୍ତି। ୨ଟି ହାତୀ ଗତକାଲିଠାରୁ ଚୌଦ୍ବାର ଜାତୀୟ ରାଜପଥରେ ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଘୂରି ବୁଲିବା ସହ କୟଳପଡା, ବାଣୀପଦା ଓ ଇନ୍ଦ୍ରାଣୀ ପାଟଣା ପଂଚାୟତର ଚାଷୀଙ୍କ ଫସଲ ନଷ୍ଟ କରିଛନ୍ତି।

Advertisment

publive-image

ଏହି ୨ଟି ହାତୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହୋଇଛି ଚୌଦ୍ବାର ବନବିଭାଗ ଓ ପୁଲିସ। ହାତୀ ରବିବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ପାର ହୋଇ ଛତିଶା ପାଟର ଦକ୍ଷିଣ ପାର୍ଶ୍ବକୁ ଚାଲିଆସି ଧାନ ଫସଲ ନଷ୍ଟ କରିବା ସହ ରାଜପଥ କଡରେ ଥିବା ତୋସାଳି ସିମେଣ୍ଟ ନିକଟସ୍ଥ ଏକ ପରିବା ଫାର୍ମ ହାଉସକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିଲେ। ଚୌଦ୍ବାର ବନପାଳ ଜ୍ୟୋତି ରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଫରେଷ୍ଟ ଗାର୍ଡ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ହାତୀ ସ୍କ୍ବାଡର ବିଶ୍ବନାଥ ରାଉତରାୟ, ରାଜୀବ ପ୍ରଧାନ, ବିଜୟ ପରିଡା, ସୁବ୍ରତ ରାଉତ, ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଜାତୀୟ ରାଜପଥରେ ଆସୁଥିବା ଉଭୟ ପାର୍ଶ୍ବରେ ଗାଡିକୁ ଅଟକାଇବା ସହ ହାତୀଙ୍କୁ ଛତିଶା ପାଟ ଆଡକୁ ମୁହାଁଇବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ହାତୀ ଉତ୍ପାତ ଯୋଗୁଁ ଜାତୀୟ ରାଜପଥରେ ଦୁଇ ଘଣ୍ଟାରୁ ଅଧିକ ସମୟ ଗାଡି ଚଳାଚଳ ବନ୍ଦ ରହିଥିଲା। ଗତ ୧୭ତାରିଖ ଦିନ ଏହି ହାତୀପଲ ବାଣୀପଦା, ଆଗ୍ରାହାଟ, ବନ୍ଦାଳ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ସହ ଆଗ୍ରାହାଟ ମଙ୍ଗଳପୁର କାଜୁ ଜଙ୍ଗଲରେ ଲୁଚି ରହିଥିଲେ। ଏହି ହାତୀପଲର ୧୬ଟି ହାତୀ ଗୁରୁଡିଝାଟିଆ ନିକଟସ୍ଥ ସାରକୋଳି ଅ‌ଳକୁ ଚାଲିଯାଇଥିବାବେଳେ ଦଳ ମଧ୍ୟରୁ ଏହି ୨ଟି ହାତୀ ଚୌଦ୍ବାର କଜଳକଣା ନିକଟରେ ରହି ଯାଇଥିଲେ। ଆଜି ସନ୍ଧ୍ୟାରେ ପୁଲିସ ଓ ବନବିଭାଗ କର୍ମଚାରୀ ଲାଇଟ ଲଗାଇ, ବାଣ ଫୁଟାଇ ଛତିଶା ପାଟ ଦେଇ ସାରକୋଳି ଅଞ୍ଚଳକୁ ଏହି ୨ଟି ହାତୀଙ୍କୁ ଘଉଡାଇବାପାଇଁ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ହାତୀ ନଷ୍ଟ କରିଥିବା ଫସଲର କ୍ଷତିପୂରଣ ଚାଷୀଙ୍କୁ ଖୁବଶିଘ୍ର ପ୍ରଦାନ କରାଯିବ ବୋଲି ବନପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।