ରାସ୍ତାରେ ହାତୀପଲ, ଦେଢ଼ଘଣ୍ଟା ଗାଡ଼ି ଚଳାଚଳ ବନ୍ଦ

ଆଠଗଡ଼ : ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ ମେଘା ପଞ୍ଚାୟତ ନିକଟ ଆଠଗଡ଼-ମୁଣ୍ଡଳୀ ରାସ୍ତାକୁ ଆଜି ହାତୀପଲ ପ୍ରାୟ ଦେଢ଼ଘଣ୍ଟା ଧରି ଅବରୋଧ କରି ରଖିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ସନ୍ଧ୍ୟା ପ୍ରାୟ ୬ଟାରେ ବଉଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରୁ ୧୫ରୁ ଅଧିକ ହାତୀ ମେଘା ଗ୍ରାମ୍ୟ ଜଙ୍ଗଲ ନିକଟ ରାସ୍ତା ଉପରକୁ ଉଠି ଆସିଥିଲେ। ଦୀର୍ଘସମୟ ପର୍ଯ୍ୟନ୍ତ ହାତୀପଲ ରାସ୍ତାରେ ବିଚରଣ କରୁଥିବା ଦେଖାଯାଇଥିଲା। ଫଳରେ ଗ୍ରାମବାସୀ ଓ ଯାତ୍ରୀମାନେ ଭୟଭୀତ ‌ଅବସ୍ଥାରେ ରହିଥିଲେ। ତେବେ ବନ ବିଭାଗ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ବାଣ ଫୁଟାଇ ହାତୀପଲକୁ ଘଉଡ଼ାଇ ଦେଇଥିବା ଜଣାଯାଇଛି। ଏହାପରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଦୀର୍ଘଦିନର ବ୍ୟବଧାନ ପରେ ହାତୀପଲ ପୁନର୍ବାର ଆଠଗଡ଼ମୁହାଁ ହୋଇଥିବାରୁ ଜନସାଧାରଣ ଆଶଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ କର୍ତ୍ତୃପକ୍ଷ ତୁରନ୍ତ ହାତୀଙ୍କୁ ଘଉଡ଼ାଇବା ସହ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧିତ ଖବର