ବାଙ୍କୀ/ବଡ଼ମ୍ବା : ବାଙ୍କୀ ବ୍ଲକ୍ ବୈଦେଶ୍ବର ପଞ୍ଚାୟତ ନିକଟ ମହାନଦୀରେ ଶନିବାର ଦିନସାରା ଜଳବନ୍ଦି ହୋଇ ରହିଥିବା ଏକ ହାତୀ ସନ୍ଧ୍ୟାରେ ସହର ଉପକଣ୍ଠକୁ ଚାଲି ଆସିଛି। ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବନ ବିଭାଗ କର୍ମଚାରୀମାନେ ହାତୀର ଗତିବିଧି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି।
ପ୍ରକାଶଥାଉ କି, ଗତକାଲି ଅପରାହ୍ଣରେ ପ୍ରାୟ ଦୁଇ ବର୍ଷ ବୟସର ଏକ ହାତୀ ବାଙ୍କୀ ବ୍ଲକ୍ର ବୈଦେଶ୍ବର ପଞ୍ଚାୟତ ତଥା ବଡ଼ମ୍ବା ବ୍ଲକ୍ ବାଙ୍ଗେରିସିଂହା ପଞ୍ଚାୟତ ମଧ୍ୟବର୍ତ୍ତୀ ରାମନାଥ ମନ୍ଦିର ନିକଟ ନଦୀପଠାରେ ବୁଲୁଥିବା ଦେଖାଯାଇଥିଲା। ରାତିରେ ଅଚାନକ ମହାନଦୀରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ଜଳସ୍ତର ବୃଦ୍ଧି ପାଇବାରୁ ହାତୀଟି ନଦୀପଠାରେ ଅଟକି ରହି ଯାଇଥିଲା। ଦିନସାରା ନଦୀ ମଝିରେ ରହିଥିବା ଏହି ହାତୀ ସନ୍ଧ୍ୟା ପରେ ବାଙ୍କୀ ସହର ଉପକଣ୍ଠ ଚନ୍ଦ୍ରପା ପାହାଡ଼ ନିକଟକୁ ଚାଲି ଆସିଛି।
ବଡ଼ମ୍ବା ବନାଞ୍ଚଳ ଅଧିକାରୀ ସୀତାରାମ ଶବରଙ୍କ ସୂଚନା ମୁତାବକ, ବଡ଼ମ୍ବା ଗୋପୀନାଥପୁରରୁ ନଦୀପାର ହୋଇ ଆସିଥିବା ତିନିଟି ହାତୀଙ୍କ ଭିତରୁ ୨ଟି ହାତୀ ବାଙ୍କୀ ଅଞ୍ଚଳକୁ ଚାଲି ଯାଇଥିଲେ। ଗୋଟିଏ ହାତୀ ଗୋପୀନାଥପୁରରୁ ବାଙ୍ଗେରିସିଂହା ଆଡ଼କୁ ଚାଲି ଆସିଥିଲା। ବନ କର୍ମଚାରୀମାନେ ଘଉଡ଼ାଇବା ପରେ ହାତୀଟି ବାଙ୍କୀ ଅଞ୍ଚଳକୁ ଚାଲି ଯାଇଛି ବୋଲି ଶ୍ରୀ ଶବର ସୂଚନା ଦେଇଛନ୍ତି।