ଜାତୀୟ ରାଜପଥରେ ୧୪ ହାତୀ

ଖୁଣ୍ଟୁଣୀ : ଖୁଣ୍ଟୁଣୀ ବନାଞ୍ଚଳରେ ବିଚରଣ କରୁଥିବା ହାତୀପଲ ଯୋଗୁ ଆଜି ୫୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ପ୍ରାୟ ଅଧଘଣ୍ଟା ଧରି ୧୪ଟି ହାତୀ ରାଜପଥ ସହ ରାସ୍ତାର ଉଭୟ ପାର୍ଶ୍ୱରେ ବୁଲିବାରୁ ଶହଶହ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ହାତୀପଲ ରାସ୍ତା ପାର୍‌ ହୋଇ ଜଙ୍ଗଲକୁ ଯିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଗତକାଲି ରାତିରେ ୧୪ଟି ହାତୀ ଖୁଣ୍ଟୁଣୀ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ କରି ଆଜି ସକାଳେ ବଉଳ ସଂରକ୍ଷିତ ଜଙ୍ଗଲକୁ ଆସିଥିଲେ। ଦିନସାରା ସେଠାରେ ରହିବା ପରେ ହାତୀପଲ ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ଖାଦ୍ୟ ଅନେ୍ଵଷଣରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବଉଳ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ରାଜପଥ ପାର୍‌ ହୋଇଥିଲେ। ଅଧଘଣ୍ଟାରୁ ଅଧିକ ସମୟ ଧରି ୪/୫ଟି ଛୁଆ ହାତୀଙ୍କ ସହ ଏହି ହାତୀପଲ ରାଜପଥରେ ବିଚରଣ କରୁଥିବା ଦେଖାଯାଇଥିଲା। ଖବର ପାଇ ଖୁଣ୍ଟୁଣୀ ବନ ବିଭାଗର ଏଲିଫ୍ୟାଣ୍ଟ୍‌ ଟ୍ରାକର୍‌ ଓ ପାରା ଷ୍ଟାଫ୍‌ ପହଞ୍ଚି ରାଜପଥରେ ଗାଡ଼ି ଚଳାଚଳ ବନ୍ଦ କରିଥିଲେ। ପରେ ବନ କର୍ମଚାରୀମାନେ ହାତୀପଲକୁ ବଉଳପାଟ ଓ ମଞ୍ଚେଶ୍ୱରପାଟ ମୁହାଁ କରାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର