ପାଣି ପିଇବାକୁ ଯାଇ କୂଅରେ ପଡ଼ିଲେ ମା’ ହାତୀ ଓ ଛୁଆ, ଟ୍ରେଞ୍ଚ ଖୋଳି ୪ ଘଣ୍ଟା ପରେ ଉଦ୍ଧାର

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ କୁମେର ଗ୍ରାମରେ ଥିବା ଏକ ବାଇଗଣ ବାଡ଼ିର ଅଗଭୀର କୂଅକୁ ପାଣି ପିଇବାକୁ ଯାଇ ଶନିବାର ରାତିରେ ଏକ ମା’ ହାତୀ ଓ ଛୁଆ ପଡ଼ିଯାଇଥିଲେ। ରାତି ତମାମ୍‌ ଉଭୟେ ଗର୍ଜନ କରିଥିଲେ ହେଁ ହାତୀ ଭୟରେ କେହି ପାଖକୁ ଯାଇ ନଥିଲେ। ବନ କର୍ମଚାରୀଙ୍କଠାରୁ ସୂଚନା ପାଇ ସକାଳ ସାଢ଼େ ୫ଟାରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ଦ୍ବାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାୟ ୨ଘଣ୍ଟାର ପ୍ରଚେଷ୍ଟା ପରେ ଟ୍ରେଞ୍ଚ ଦ୍ବାରା ଉଭୟ ମା’ ଓ ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ତେବେ ଉଭୟ ହାତୀ କୂଅରୁ ବାହରି ଜଙ୍ଗଲ ଆଡ଼କୁ ମୁହାଁଇବା ବେଳେ ରାସ୍ତାରେ ଥିବା ୭ଟି ସାଇକେଲ ଓ ୩ଟି ମଟର ସାଇକେଲକୁ ଦଳି ଦେଇଥିଲେ। ପରେ ଛୁଆ ହାତୀ ଓ ମା’ ଅଲଗା ଅଲଗା ହୋଇ ଯାଇଥିଲେ। ଏନେଇ ସଦର ରେଞ୍ଜର ଗୌରୀ ଦାଶଙ୍କୁ ଯୋଗ‌ାଯୋଗ କରାଯିବାରେ, କୂଅଟି ଯଦିଓ ବିଶେଷ ଗଭୀର ନଥିଲା ସେଥିରେ ୪ ଫୁଟ ପାଣି ଓ ୨ ଫୁଟର କାଦୁଅ ରହିଥିବାରୁ ଛୁଆ ହାତୀଟି ବାହାରି ପାରି ନଥିଲା। ଫଳରେ ତାକୁ ରକ୍ଷା କରିବାକୁ ଯାଇ ମାଈ ହାତୀଟି ମଧ୍ୟ ସେଥିରେ ଫସି ଯାଇଥିଲା ବୋଲି ଶ୍ରୀ ଦାଶ କହିଛନ୍ତି। ରବିବାର ରାତି ସୁଦ୍ଧା ଏହି ହାତୀ ପଲ ବଳାରଙ୍ଗା ରେଞ୍ଜ ମୁଣ୍ଢେର ଜଙ୍ଗଲରେ ଥିବା ଜଣାପଡ଼ିଛି। ହାତୀଙ୍କୁ ଘଉଡ଼ାଇବା ପାଇଁ ୨୫ ଜଣ ବନ କର୍ମଚାରୀ, ବନ ସହାୟକ, ଏଲିଫ୍ୟାଣ୍ଟ ଟ୍ରାକରଙ୍କୁ ନିୟୋଜିତ କରାଯାଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର