ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା, ୪ରୁ ଅଧିକ ସ୍ଥାନରେ ବାଜିଛି ଗୁଳି

ନରସିଂହପୁର/କଟକ : ନରସିଂହପୁର ପଶ୍ଚିମ ବନାଞ୍ଚଳ ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲରେ ଏକ ୧୨ ବର୍ଷର ଦନ୍ତାହାତୀକୁ ଗୁଳିମାଡ଼ ହୋଇଛି। ହାତୀ ଶରୀରର ୪ରୁ ୫ଟି ସ୍ଥାନରେ ଗୁଳି ବାଜିଥିବା ସୂଚନା ମିଳିଛି। ଗୁଳିମାଡ଼ରେ ହାତୀର ଶୁଣ୍ଢ, ଡାହାଣ ଗୋଡ଼ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ନାଳ ଭିତରେ ଥିବା ଏକ ପଥର ଖୋଲରେ ହାତୀଟି ପଡ଼ି ରହିଛି। ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀମାନେ ଆହତ ହାତୀକୁ ଦେଖି ବନାଞ୍ଚଳ ଅଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀଙ୍କୁ ଖବର ଦେଇଥିଲେ। ବନାଧିକାରୀ ଶ୍ରୀ ଦେହୁରୀ ଓ ବନ କର୍ମଚାରୀଙ୍କ ସହ ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତି ପହଞ୍ଚି ହାତୀର ପ୍ରାଥମିକ ଚିକିତ୍ସା କରିଛନ୍ତି। ଚିକିତ୍ସା ପରେ ତାକୁ କଦଳୀ, ପଣସ ଆଦି ଖାଦ୍ୟ ଓ ପାଣି ଦିଆଯାଇଛି। ବନ ବିଭାଗ କର୍ମଚାରୀମାନେ ହାତୀ ଉପରେ ନଜର ରଖିଛନ୍ତି। ଚିକିତ୍ସା ଜାରି ରହିଲେ ଦୁଇଚାରି ଦିନ ଭିତରେ ହାତୀଟି ସୁସ୍ଥ ହୋଇଯିବ ବୋଲି ପ୍ରାଣୀ ଚିକିତ୍ସକ ଶ୍ରୀ ସେନାପତି କହିଛନ୍ତି। ଗୁଳିବିଦ୍ଧ ହାତୀର ଉତ୍ତମ ଚିକିତ୍ସା ନିମନ୍ତେ ନନ୍ଦନକାନନରୁ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ପଠାଇବା ଲାଗି ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଟ୍ୱିଟ୍‌ କରି ଜଣାଇଛନ୍ତି।

ଅପରପକ୍ଷରେ ଗୁଳିମାଡ଼ ଯୋଗୁଁ ଗତ ୧୫ ଦିନ ହେଲା ହାତୀଟି ଆହତ ହୋଇ ଏଣେତେଣେ ବିଚରଣ କରୁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ନରସିଂହପୁର ବନାଞ୍ଚଳରେ ହାତୀଦାନ୍ତ ଚୋରି ପାଇଁ ଶିକାରୀମାନେ ପୁଣି ସକ୍ରିୟ ହୋଇ ଉଠିଥିବା ସ୍ପଷ୍ଟ ହୋଇଛି। ଏଥିସହ ଶିକାରୀମାନେ ନରସିଂହପୁର ବନାଞ୍ଚଳରେ ବେଧଡ଼କ ହାତୀଙ୍କୁ ଗୁଳି କରି ଦାନ୍ତ ଲୁଟି ନେଉଥିବା ଆଶଙ୍କା ପ୍ରକାଶ ପାଇଛି।

ଏଭଳି ସ୍ଥିତିରେ ଏକଦା ହାତୀଙ୍କ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ଥିବା ଆଠଗଡ଼ ବନଖଣ୍ଡ ଏବେ ହାତୀ ମୃତ୍ୟୁର ଉପତ୍ୟାକା ପାଲଟିବାକୁ ବସିଛି। ଏହି ବନଖଣ୍ଡ ସହିତ ଚନ୍ଦକା, ହିନ୍ଦୋଳ, ଢେଙ୍କାନାଳ, ବାଙ୍କୀ-ଡମପଡା, ସାତକୋଶିଆ, କପିଳାସ, ଯାଜପୁର ଆଦି ବିଭିନ୍ନ ବନାଞ୍ଚଳ ରହିଛି। କିନ୍ତୁ ଦିନକୁ ଦିନ ଜଙ୍ଗଲ କ୍ଷୟ ଯୋଗୁଁ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଗଲା ୪ ବର୍ଷରେ ଆଠଗଡ଼ ବନଖଣ୍ଡରେ ସରକାରୀ ତଥ୍ୟ ଅନୁଯାୟୀ ୨୧ହାତୀଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଏହି ସଂଖ୍ୟା ୨୪ରୁ ଅଧିକ ହେବ ବୋଲି କୁହାଯାଉଛି। ନରସିଂହପୁର ଓ ବଡମ୍ବାରୁ ଯେଉଁ ତିନୋଟି ହାତୀଙ୍କ ମୃତଦେହ ଏସ୍‌ଟିଏଫ୍‌ ମାଟି ତଳୁ ଉଦ୍ଧାର କରିଛି ତାର ତଥ୍ୟ ସରକାରୀ ଖାତାରେ ନଥିବା ଜଣାପଡିଛି। ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସେମାନଙ୍କ ଜୀବନ ବିପନ୍ନ ହେବା ଉଦ୍‌ବେଗର କାରଣ ହୋଇଛି। ତଥ୍ୟ ଅନୁଯାୟୀ ୨୦୧୮ରୁ ୨୨ ମଧ୍ୟରେ ଆଠଗଡ଼ ରେଞ୍ଜରେ ୬, ଖୁଣ୍ଟୁଣୀ ରେଞ୍ଜରେ ୩, ବଡମ୍ବା ରେଞ୍ଜରେ ୨, ନରସିଂହପୁର ( ପୂର୍ବ) ରେଞ୍ଜରେ ୪, ନରସିଂହପୁର ( ପଶ୍ଚିମ) ରେଞ୍ଜରେ ୬ଟି ହାତୀଙ୍କ ଜୀବନ ଯାଇଛି। ବଡ଼ମ୍ବା ଚନ୍ଦ୍ରଗିରି ଜଙ୍ଗଲର ପାଦଦେଶରେ ଯେଉଁ ଦୁଇଟି ଗଳିତ ହାତୀର ମୃତଦେହ ମାଟି ତଳୁ ଉଦ୍ଧାର କରାଯାଇଥିଲା ସେଥିରୁ ଗୋଟିଏ ହାତୀକୁ ସରକାରୀ ଜମିରେ ଓ ଗୋଟିଏକୁ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିରେ ପୋତା ଯାଇଥିବା ଜଣାପଡିଛି। ବଡମ୍ବା ହାତୀ ମୃତଦେହ ଉଦ୍ଧାର ଘଟଣାରେ ରେଞ୍ଜର ସୁରେଶ ଷଡଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ବନବିଭାଗ ପକ୍ଷରୁ ଜଣାପଡିଛି। କିନ୍ତୁ ହାତୀଙ୍କ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର