ହାତୀ ମୃତ୍ୟୁ ରୋକିବାକୁ ଅଭିନବ ପନ୍ଥା : ରେଳଧାରଣା କଡ଼ରେ ଲାଗିବ ମହୁମାଛି ଶବ୍ଦ କରୁଥିବା ଯନ୍ତ୍ର

ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ପାଇଲଟ୍‌ ପ୍ରୋଜେକ୍ଟ, ଝୁଲି ରହିଥିବା ବିଦ୍ୟୁତ୍‌ ତାରର ଉଚ୍ଚତା ତୁରନ୍ତ ବଢ଼ାଇବାକୁ ନିଷ୍ପତ୍ତି

ଭୁବନେଶ୍ବର : ହାତୀ ମୃତ୍ୟୁରେ ଓଡ଼ିଶା ପ୍ରଥମ। ଏଭଳି ଖବରକୁ ନେଇ ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଓଡ଼ିଶା ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏପରିକି ହାତୀ ମୃତ୍ୟୁ ରୋକିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ଦେଢ଼ ମାସ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ ଶକ୍ତି ଓ ବନ ବିଭାଗ ପକ୍ଷରୁ ବୈଠକ କରାଯାଇ ହାତୀଙ୍କ ଚଲାପଥରେ ଥିବା ବିଦ୍ୟୁତ୍‌ ତାରର ଉଚ୍ଚତା ବଢ଼ାଇବାକୁ କୁହାଯାଇଥିଲା। ନଭେମ୍ବର ମାସ ‌ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ନିର୍ଦେଶ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇପାରିନି। ବହୁ ସ୍ଥାନରେ ବିଦ୍ୟୁତ୍‌ ତାର କମ୍‌ ଉଚ୍ଚତାରେ ଝୁଲି ରହିଥିବାରୁ ହାତୀଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ହାତୀ ମୃତ୍ୟୁ ରୋକିବା ପାଇଁ ଆଜି ପୁଣିଥରେ ବନ ବିଭାଗ, ଶକ୍ତି ବିଭାଗ ଓ ରେଳ ବିଭାଗ ମିଳିତ ଭାବେ ମାନସମନ୍ଥନ କରି ଏକାଧିକ ନିଷ୍ପତ୍ତି ନେଇଛନ୍ତି।

ଟ୍ରେନ୍‌ ଧକ୍କାରେ ଓଡ଼ିଶା‌ରେ ବହୁ ହାତୀଙ୍କର ମୃତ୍ୟୁ ହେଉଛି। ତାହାକୁ ରୋକିବା ପାଇଁ ଏଣିକି ଅଭିନବ ପନ୍ଥା ଆପଣାଇବ ବନ ଓ ରେଳ ବିଭାଗ। ରେଳ ଧାରଣା ପର୍ଶ୍ବରେ ଲାଗିବ ମହୁମାଛିଙ୍କ ଭଳି ଶବ୍ଦ କରୁଥିବା ମେସିନ୍‌। ଟ୍ରେନ୍‌ ଆସିବା କ୍ଷଣି ସେହି ମେସିନ୍‌ରୁ ମହୁମାଛିଙ୍କ ଶବ୍ଦ ବାହାରିଲେ ହାତୀମାନେ ଆଉ ରେଳ ଧାରଣା ଆଡ଼କୁ ଆସିବେ ନାହିଁ। ଫଳରେ ହାତୀ ମୃତ୍ୟୁ ରୋକାଯାଇପାରିବ। ଏଥିପାଇଁ ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନ୍‌ରେ ଏକ ପାଇଲଟ୍‌ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ। ସେଠାରେ ସଫଳତା ମିଳିଲେ ସାରା ରାଜ୍ୟରେ ଏହି ମେସିନ୍‌ ଲଗାଇବାକୁ ସ୍ଥିର ହୋଇଛି। ଏହି ମେସିନ୍‌ କେଉଁ ସ୍ଥାନରେ ଲଗାଯିବ ଚିହ୍ନଟ କରିବା ଦାୟିତ୍ୱ ଝାରସୁଗୁଡ଼ା, କେନ୍ଦୁଝର ଓ ଢେଙ୍କାନାଳ ଡିଏଫ୍‌ଓଙ୍କୁ ଦିଆଯାଇଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ବିଦ୍ୟୁତ୍‌ ତାର ଲାଗି ଗତ ଅକ୍ଟୋବର ମାସରେ ୭ ହାତୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଆଉ ଏକ ହାତୀର ମୃତ୍ୟୁ ହେବା ପରେ ହାତୀ ଚଲାପଥରେ ବିଦ୍ୟୁତ୍‌ ତାର ଉଚ୍ଚତା ବଢ଼ାଇବାକୁ କୁହାଯାଇଥିଲା। ଡିସେମ୍ବର ଶେଷ ସୁଦ୍ଧା ହାତୀ କରିଡର୍‌ରେ ବିଦ୍ୟୁତ୍ ତାର କେବଲିଂ କରିବାକୁ ସ୍ଥିର ହୋଇଥିଲା। କିନ୍ତୁ ତାହା ହୋଇପାରି ନାହିଁ। ଝୁଲି ରହିଥିବା ବିଦ୍ୟୁତ୍‌ ତାର ଉଚ୍ଚତା ବୃଦ୍ଧି କରିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନି। ବହୁ ସ୍ଥାନରେ ତାର ଝୁଲି ରହିଥିବା ବନ ବିଭାଗ ଅଧିକାରୀମାନେ ବୈଠକରେ ମତ ଦେଇଥିଲେ। ତେଣୁ ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି। ଏଥିସହ ଜାନୁଆରି ଶେଷ ସୁଦ୍ଧା କେବଲିଂ ପ୍ରକ୍ରିୟା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି।

ଅନ୍ୟପକ୍ଷରେ ଶକ୍ତି ଓ ବନ ବିଭାଗ ମଧ୍ୟରେ ସମନ୍ବୟ ରଖିବାକୁ ନିଷ୍ପତ୍ତି ହୋଇଛି। ହାତୀ ଚଳପ୍ରଚଳ କରୁଥିବା ନଜରକୁ ଆସିବା କ୍ଷଣି ଶକ୍ତି ବିଭାଗ ଅଧିକାରୀଙ୍କ ଖବର ଦେବାକୁ କୁହାଯାଇଛି। ପ୍ରତି ଜିଲ୍ଲାରେ ଜଣେ ଲେଖାଏ ଅଧିକାରୀ ଏଥିପାଇଁ ସ୍ବତନ୍ତ୍ର ଭାବେ ନିଯୁକ୍ତ ହେବେ। ସେମାନେ ଉଭୟ ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟକ୍ରମ ହାତକୁ ନେବେ। ଯେତେଶୀଘ୍ର ସମ୍ଭବ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ବୈଠକରେ ସ୍ଥିର ହୋଇଛି।

ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ସୁଦ୍ଧା ଦେଶରେ ୨୫୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୨୨ଟି ହାତୀଙ୍କର ବିଷକ୍ରିୟାରେ ମୃତ୍ୟୁ ହୋଇଥିବା ବେଳେ ୫୨ଟି ବିଦ୍ୟୁତ୍‌ ଆଘାତରେ, ୨୫ଟିଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ସର୍ବାଧିକ ୬୫ଟି ହାତୀଙ୍କର ମୃତ୍ୟୁ ହୋଇଛି। ଆଜି ସୁଦ୍ଧା ୭୨ରୁ ଅଧିକ ହାତୀଙ୍କ ମୃତ୍ୟୁ ‌ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର