ତେଲକୋଇ : ହାତୀଙ୍କ ଚଲାପଥରେ ଓହଳି ରହିଥିଲା ବିଦ୍ୟୁତ୍ ତାର। ଶୁକ୍ରବାର ସକାଳୁ ସକାଳୁ ସେହିରାସ୍ତାରେ ବିଦ୍ୟୁତ୍ ତାରକୁ ଘଷି ହୋଇ ୧୪ଟି ହାତୀ ଅତିକ୍ରମ କରିଥିଲେ। ସୌଭାଗ୍ୟକୁ ବିଦ୍ୟୁତ୍ ସଂଯୋଗ କଟିଥିବାରୁ ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଗଲେ ହାତୀପଲ। ଏକ ବଡ଼ ଅଘଟଣ ଟଳି ଯାଇଥିଲା। ପରେ ବିଦ୍ୟୁତ୍ ବିଭାଗ କର୍ମଚାରୀ ଯାଇ ଖୁଣ୍ଟ ପୋତି ସଜାଡ଼ିଥିଲେ। ଏହି ଘଟଣା ପରେ ପୁଣି ହାତୀ କରିଡର ପ୍ରସଙ୍ଗ ସାମ୍ନାକୁ ଆସିଛି।
ହାତୀଙ୍କ ଚଲାପଥରେ ଥିବା ବିଦ୍ୟୁତ୍ ତାରକୁ ହଟାଇ କେବୁଲିଂ କରିବାକୁ ଯୋଜନା ହୋଇଛି। ଏଥିପାଇଁ ୧୦୦କୋଟି ଟଙ୍କା ମଞ୍ଜୁର ହୋଇଛି। ହେଲେ କାମ ଆରମ୍ଭ ହୋଇପାରୁନାହିଁ। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ଗତକାଲି ଜିଲ୍ଲାପାଳ ଏକ ବୈଠକ ଡକାଇ ୭ ଦିନ ମଧ୍ୟରେ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରି ସୁଦ୍ଧା କାମ ଶେଷ ହେବ ବୋଲି ଟାଟା ପାୱାର ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ସ୍ଥିତିରେ ତେଲକୋଇରେ ଆଜି ଏକ ବଡ଼ଧରଣର ଅଘଟଣ ଟଳିଯାଇଛି।