ଭୁବନେଶ୍ବର: ଅପରାହ୍ଣ ପ୍ରାୟ ୧ଟା ହେବ। ଟାଇଁ ଟାଇଁ ଖରାରେ ଶରୀର ଜଳିଯାଉଛି। ଅସମ୍ଭାଳ ହେଉଛି ସୂର୍ଯ୍ୟଙ୍କ କୋପ। ତେଣୁ ପାଣି ଭିତରେ ପଶି ଟିକିଏ ଆଶ୍ବସ୍ତ ହେବାକୁ ହାତୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଜଙ୍ଗଲ ଭିତରେ ଥିବା ଗୋଟିଏ ପୋଖରୀରେ ୩ରୁ ୪ ଫୁଟ୍ର ପାଣି ରହିଛି। ତାତିରୁ ରକ୍ଷା ପାଇବାକୁ ତା’ ଭିତରେ ୨୮ରୁ ୩୦ ହାତୀ ପଶିଛନ୍ତି। ସେମାନଙ୍କ ମଧ୍ୟରେ ୧୧ଟି ଛୋଟ ହାତୀ ମଧ୍ୟ ରହିଛନ୍ତି। କେବଳ ପାଣିରେ ପଶିଛନ୍ତି ତାହା ନୁହେଁ, ପାଣି ନିକଟରେ ଓ ଉପରେ ଆହୁରି ୧୭ଟି ହାତୀ ପାଣି ଭିତରକୁ ପ୍ରବେଶ ଅପେକ୍ଷାରେ ରହିଛନ୍ତି। କେତେବେଳେ ସେମାନେ ପଦାକୁ ଆସିବେ ଏବଂ ଏମାନେ ଭିତରକୁ ପ୍ରବେଶ କରିବେ, ତାହାକୁ ଚାହିଁ ରହିଛନ୍ତି। ଆଠଗଡ଼ ଜଙ୍ଗଲରୁ ଆଜି ଏଭଳି ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ତାତିରୁ ରକ୍ଷା ପାଇବାକୁ ହାତୀମାନେ କେଉଁଭଳି ଜଳ ଭିତରେ ବୁଡ଼ି ରହୁଛନ୍ତି ସେନେଇ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଆଜି ‘ଏକ୍ସ’ ମାଧ୍ୟମରେ ଏକ ଭିଡିଓ ସେୟାର କରିଛନ୍ତି।
ଗୋଟିଏ ପଟେ ସାରା ରାଜ୍ୟରେ ତାପମାତ୍ରା ଦିନକୁ ଦିନ ବଢ଼ୁଛି। ଅସହ୍ୟ ଗରମ ହେଉଛି। ଉପକୂଳ ଓଡ଼ିଶା ଏବେ ଟିକିଏ ଆଶ୍ବସ୍ତ ହୋଇଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ତାତି ବଢ଼ୁଥିବାରୁ ହାତୀଙ୍କ ପରି ଜନ୍ତୁ ଅଧିକ ଗରମ ସହ୍ୟ କରିପାରୁ ନାହାନ୍ତି। ଜଙ୍ଗଲରେ ଥିବା ଛାଇ ସ୍ଥାନରେ ଆଶ୍ରୟ ନେଉଛନ୍ତି। ନ ହେଲେ ଜୀବନ ବିକଳରେ ପାଣି ଭିତରେ ବୁଡ଼ି ରହୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି। ରାଜ୍ୟର ସମସ୍ତ ଅଭୟାରଣ୍ୟରେ ଏଭଳି ଚିତ୍ର ସାମ୍ନାକୁ ଆସିଥିବା ବେଳେ ପିସିସିଏଫ୍(ବନ୍ୟପ୍ରାଣୀ) ସେୟାର କରିଥିବା ଭିଡିଓଟି ଆଠଖଣ୍ଡ ବନଖଣ୍ଡର ହୋଇଥିବା ଜଣାପଡ଼ିଛି। ଆଠଗଡ଼-ବଡମ୍ବା-ସାତକୋଶିଆ ଅଭୟାରଣ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତୀମାନେ ତାତିରୁ ରକ୍ଷା ପାଇବାକୁ ଜଙ୍ଗଲ ଭିତରେ ଥିବା ଏକ ପୋଖରୀରେ ବୁଡ଼ିଥିବା ଜଣାପଡ଼ିଛି। ଆଠଗଡ଼ରେ ଏବେ ୪୭ ଟିକିଆ ହାତୀ ପଲ ରହିଛନ୍ତି। ପିସିସିଏଫ୍ ଶ୍ରୀ ନନ୍ଦ ଆହୁରି ଦର୍ଶାଇଛନ୍ତି ଯେ ହାତୀଙ୍କ ଶରୀରର ଆକାର ତୁଳନାରେ ଅଳ୍ପ ପରିମାଣର ଚର୍ମ ଆଚ୍ଛାଦନ ରହିଛି। ତେଣୁ ହାତୀମାନେ ଅତ୍ୟଧିକ ଗରମ ହୋଇଯାଆନ୍ତି। କାରଣ ସେମାନଙ୍କଠାରୁ ଉତ୍ପନ୍ନ ଆଭ୍ୟନ୍ତରୀଣ ଉତ୍ତାପ ବିସ୍ତାର ହୋଇପାରୁ ନାହିଁ। ଗ୍ରୀଷ୍ମ ସମୟରେ ସେମାନଙ୍କୁ ଅଧିକ ଗରମ ହୋଇଥାଏ।
ସେଥିପାଇଁ ସେମାନେ ଶରୀରକୁ ଥଣ୍ଡା ପାଇଁ ପାଣିର ବ୍ୟବହାର କରନ୍ତି।
ସେପଟେ ଓଡ଼ିଶାରେ ହାତୀଙ୍କ ଉପସ୍ଥିତି ଥିବା ୪୩ଟି ଡିଭିଜନ୍ରେ ହିଁ ହାତୀ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ମାନୁଆଲ ତଥା ସିଧାସଳଖ ଗଣନା କରାଯିବାକୁ ଥିବାରୁ ଓଡ଼ିଶା ଜଙ୍ଗଲରେ ୧,୧୩୬ଟି ମଞ୍ଚା ନିର୍ମାଣ ଚାଲିଛି। ଏହାବ୍ୟତୀତ ବାରାକ୍, ୱାଚ୍ ଟାୱାର ସମେତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଉଚ୍ଚା ସ୍ଥାନଗୁଡ଼ିକୁ ଗଣନା କାର୍ଯ୍ୟ ସମୟରେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଗତ ୧୫ ତାରିଖ ସୁଦ୍ଧା ହାତୀ ଗଣନା ସମ୍ପର୍କିତ ସମସ୍ତ ପ୍ରକାର ତାଲିମ ଶେଷ ହୋଇଛି। ଆସନ୍ତା ୨୧ ସୁଦ୍ଧା ଗଣନା କରିବାକୁ ଥିବା ଟିମ୍ ଜଙ୍ଗଲକୁ ଯିବେ। ମେ’ ୨୨ରୁ ୨୪ ତାରିଖ ମଧ୍ୟରେ ହାତୀ ଗଣନା ଅନୁଷ୍ଠିତ ହେବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhfhsfhfsh.jpg)