ମହାନଦୀରେ ଭାସିଗଲେ ହାତୀ ପଲ : ୧୨ ଘଣ୍ଟା ଜଳକ୍ରୀଡ଼ା ପରେ କୂଳକୁ ଫେରିଲେ

କିନିରି ମୁଣ୍ଡିଆରେ ବୁଲୁଛନ୍ତି ୩ ହାତୀ, ଦନ୍ତା ଆକ୍ରମଣରେ ମହିଳା ଗୁରୁତର

କଟକ/ବାରଙ୍ଗ/ଆଠଗଡ : ମହାନଦୀ ପାରି ହେବା ବେଳେ ସୁଅରେ ଭାସି ଯାଇଛନ୍ତି ହାତୀ ପଲ। ଦୀର୍ଘ ୧୨ଘଣ୍ଟା କାଳ ମହାନଦୀ ପାଣିରେ ଜଳକ୍ରୀଡ଼ା ପରେ ହାତୀପଲ କୂଳରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି।

ଆଜି ସକାଳୁ ଚନ୍ଦକା ଜଙ୍ଗଲରୁ ୫ଟି ହାତୀ (ହାତୀ ପଲରେ ଏକ ଦନ୍ତା ହାତୀ, ଏକ ଛୁଆ ଓ ୩ ମାଈ ହାତୀ) ଆଠଗଡ ବନଖଣ୍ତରୁ ଆସି ଅନନ୍ତପୁର ପାଖ ମହାନଦୀରେ ପ୍ରବେଶ କରିଥିଲେ। ମୁଖିଆ ବଡ ମାଈ ହାତୀ ଦଳର ନେତୃତ୍ବ ନେଉଥିଲା। ମହାନଦୀ ପାରି ହୋଇ ଡମପଡା ଅଭୟାରଣ୍ୟକୁ ପ୍ରବେଶ କରିବା ପାଇଁ ଯାଉଥିବାବେଳେ ମୁଣ୍ତଳୀ ଆନିକଟ ନିକଟର ସମସ୍ତ ଗେଟ୍‌ ଖୋଲାଥିବାରୁ ପାଣିର ‌େସ୍ରାତ‌େର ହାତୀମାନେ ମୁଣ୍ତଳୀ ଆନିକଟ ଆଡକୁ ଭାସି ଆସିଥିଲେ। ଅନନ୍ତପୁର ଠାରେ ଗୋଟିଏ ଦନ୍ତାହାତୀ ଏବଂ ବ୍ରଜବିହାରୀପୁର ପଠାରେ ଅନ୍ୟ ଏକ ହାତୀ ଲାଗିଥିବା ବନବିଭାଗ ସୂଚନା ଦେଇଛି।

ସେମାନେ ପ୍ରଥମେ ମୁଣ୍ତଳୀ ଗ୍ରାମ ପାଖରେ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ସେଠାରେ ଲୋକଙ୍କ ଗହଳି ଓ ହୋ’ହାଲ୍ଲା ଶୁଣି ପୁଣି ନଦୀ ମଝିରେ ତଳଗଡ ଗ୍ରାମ ନିକଟ ସିଦ୍ଧେଶ୍ବର ମୁଣ୍ତିଆ ଆଡକୁ ଆସିଥିଲେ। ସେଠାରେ ବି ଲୋକ ଭିଡ଼ ଦେଖି ପୁଣି ନଦୀ ମଝିରେ ପହଁରି ତଳ ମୁଣ୍ତକୁ ଚାଲି ଆସଥିଲେ। ନରାଜ ପୁରୁଣା ବନ୍ଧରେ ୫ଘଣ୍ଟା ଧରି ଛିଡା ହୋଇଥିଲେ ୩ଟି ହାତୀ। ବନବିଭାଗ ଖବରପାଇଲା ପରେ ମଧ୍ୟ ସକାଳ ୮ଟା ପର୍ଯ୍ୟନ୍ତ କୁହୁଡି ଯୋଗୁ ହାତୀଙ୍କ ଗତିପଥ ଅନୁଧ୍ୟାନ କରିପାରିନଥିଲେ ା ତେବେ ମୁଣ୍ଡଳୀ ବ୍ୟାରେଜକୁ ବନ୍ଦ କରାଯିବା ସହ ନରାଜ ଗେଟ୍‌କୁ ଖୋଲା ଯାଇଥିଲା। ଫଳରେ ପାଣିର ସ୍ରୋତ କମିଯାଇଥିଲା। ୩ଟି ହାତୀ ଜଳକ୍ରୀଡା କରିବା ସହ ‌ଅପରାହ୍ନ ବେଳକୁ ନରାଜ ଗାଁ ଶ୍ମଶାନ ନିକଟରେ ଉପରକୁ ଉଠିଥିଲେ। ବନବିଭାଗ ପକ୍ଷରୁ ହାତୀପଲଙ୍କୁ ଜଙ୍ଗଲ ଆଡ଼କୁ ଘଉଡାଇବା ପାଇଁ ବାଣ ଫୁଟାଯାଇଥିଲା। ତେବେ ଗୋଡିସାହିରେ ରାତି ପର୍ଯ୍ୟନ୍ତ ରହିବା ପରେ ସେମାନେ ଚନ୍ଦକା ଅଭୟାରଣ୍ୟ ଆଡକୁ ମୁହାଁଇଥିବା ଜଣାପଡିଛି। ଆଠଗଡ ‌ଏସିଏଫ୍ ରାଜେନ୍ଦ୍ର କୁମାର ଦାସ, ଆଠଗଡ ରେଞ୍ଜର ‌ରବିନ୍ଦ୍ର କୁମାର ନାଏକ, ଫରେଷ୍ଟର ପ୍ରଶାନ୍ତ ପରିଡା, ଗାର୍ଡ ସୁଶିଲ କୁମାର ଜେନା, ହାତୀ ସୁରକ୍ଷା ପାଇଁ ଥିବା ଗ୍ରୁପ୍‌ର ୨୦ ଜଣ ସଦସ୍ୟ ହାତୀ ପଲଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଉଦ୍ୟମ ଚଳାଇଛନ୍ତି।

ଅନ୍ୟପଟେ ଅନନ୍ତପୁରରେ ଲାଗିଥିବା ଦନ୍ତା ହାତୀଟି ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା। ଫଳରେ ସରୋଜିନୀ ସାହୁ (୪୮) ନାମକ ସେହି ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର