ଏସ୍‌ଟିଏଫ୍, ବନ ବିଭାଗ ଓ ପୁଲିସର ମିଳିତ ଚଢ଼ଉ: ଲକ୍ଷାଧିକ ଟଙ୍କାର ହାତୀଦାନ୍ତ ଜବତ, ୫ ଗିରଫ

ଔପଦା/ଖଇରା : ବାଲେଶ୍ବରର ଔପଦା ଅଞ୍ଚଳରେ ଏସ୍‌ଟିଏଫ୍‌, ବନବିଭାଗ ଓ ପୁଲିସର ମିଳିତ ଟିମ୍‌ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ହାତୀଦାନ୍ତ ଜବତ କରିଛନ୍ତି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ଏହି ମିଳିତ ଟିମ୍ ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ୧କେଜି ୩ ଶହ ଗ୍ରାମର ଅଣ୍ଡିରା ହାତୀଦାନ୍ତ ଓ ଦୁଇଟି କଳଦାନ୍ତ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ଜଣକୁ ଗିରଫ କରିଥିଲେ। ସେମ‌ାନେ ହେଲେ; ଔପଦା ଥାନା ଅଞ୍ଚଳ ମହୁଲଗଡ଼ିଆ ଗ୍ରାମର ବନମାଳୀ ସେଠୀ, ସୁଦର୍ଶନ ମହାରଣା, ଖଇରା ଥାନା ବଳଭଦ୍ରପୁର ଗ୍ରାମର ଅଜୟ ମୁଦୁଲି, ଜେମାଦେଈପୁରର ବାବୁରାମ ପୁଷ୍ଟି, ଭଦ୍ରକ କାଦବରାଙ୍ଗର ନଟବର ଦାସ। ଏ ସଂକ୍ରାନ୍ତରେ ବନ ବିଭାଗ ୨୨/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି। ଜବତ ହାତୀଦାନ୍ତର ଆନୁମାନିକ ମୁଲ୍ୟ ଏକଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ତେବେ ହାତୀ ଶିକାରୀମାନେ ମୟୂରଭଞ୍ଜ ଜିଲ୍ଲା ମାଙ୍କଡ଼ପଡ଼ା ଅଞ୍ଚଳର ବୋଲି କୁହାଯାଉଥିବାବେଳେ ସେମାନଙ୍କ ନାଁ ଜଣାପଡ଼ିନି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର