ଖାଲରେ ପଡ଼ି ରାତିସାରା ଛଟପଟ ୨ ହାତୀ, ଧାନ ଖାଇବାକୁ ଆସି ଗଳି ପଡ଼ିଥିଲେ ୬ ହାତୀ

୪ ବାହାରି ଆସିଲେ, ୨ କାଦୁଅରେ ଲାଖି ରହିଲେ, ଜେସିବି ଲଗାଇ ଉଦ୍ଧାର କଲା ବନ ବିଭାଗ

ବାରିପଦା/କୁଳିଅଣା : ରାତିରେ ଫସଲ ଖାଇବା ବେଳେ ଧାନବିଲ ପାଖରେ ଥିବା ଏକ ଅଗଭୀର କୂଅ (ଖାଲ)ରେ ଗଳି ପଡ଼ିଥିଲେ ୬ଟି ହାତୀ। ସେଥିରୁ ୪ଟି ହାତୀ ବାହାରି ଆସିଥିବା ବେଳେ ୨ଟି ହାତୀ ବାହାରି ନ ପାରି ରାତିସାରା ପାଣିକାଦୁଅରେ ଛଟପଟ ହୋଇଥିଲେ। ଆଜି ସକାଳେ ଜେସିବି ମେସିନ୍‌ ଲଗାଇ ହାତୀ ଦୁଇଟିକୁ ଉଦ୍ଧାର କରିଛି ବନ ବିଭାଗ।

ଶିମିଳିପାଳ ଜାତୀୟ ଉଦ୍ୟାନରୁ ଖାଦ୍ୟ ଅନ୍ବେଷଣରେ ବାହାରି ଆସିଥିବା ୩୩ଟି ହାତୀଙ୍କୁ ଗତକାଲି ବାଙ୍ଗିରିପୋଷି ରେଞ୍ଜ୍‌ର ବନ କର୍ମଚାରୀମାନେ ଘଉଡ଼ାଇଥିଲେ। ଫଳରେ, ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର୍‌ ହୋଇ ବାରିପଦା ରେଞ୍ଜ ହଳଦୀବଣି ସେକ୍ସନ୍‌ ଅନ୍ତର୍ଗତ କାଠରମା ଜଙ୍ଗଲକୁ ପଳାଇଥିଲେ। ରାତିରେ ଜଙ୍ଗଲରୁ ବାହାରି ପାତିହିଞ୍ଜା ପଞ୍ଚାୟତର କାଠରମା, ଅଦାପାଳ, ମାଲୁଆପାଳ ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି କରିଥିଲେ। ମଧ୍ୟରାତ୍ରିରେ ବାରିଆଳ ମୁର୍ମୁଙ୍କ ଜମିରେ ପାଚିଲା ଧାନ ଖାଉଥିବା ବେଳେ ୬ଟି ହାତୀ ଜମି ପାଖରେ ଥିବା ଏକ ଅଗଭୀର କୂଅରେ ଗଳି ପଡ଼ିଥିଲେ। ୪ଟି ହାତୀ କୌଣସିପ୍ରକାର ବାହାରି ଆସିଥିଲେ ମଧ୍ୟ ଗୋଟିଏ ଦନ୍ତା ଓ ଗୋଟିଏ ମାଈହାତୀ କାଦୁଅରେ ଫସି ଯାଇଥିଲେ। ସେମାନଙ୍କ ଚିତ୍କାର ଆଖପାଖ ଗାଁରେ ଶୁଣିବାକୁ ମିଳିଥିଲା। ତେବେ, ଭୟରେ ଗ୍ରାମବାସୀ ପଦାକୁ ଗୋଡ଼ କାଢ଼ିନଥିଲେ। ପାଣି କାଦୁଅରେ ଫସି ରହିଥିବା ହାତୀଦୁଇଟିକୁ ଅନ୍ୟ ହାତୀଗୁଡ଼ିକ ସକାଳ ଯାଏ ଉଦ୍ଧାର କରିବାକୁ ଚେଷ୍ଟାକରି ବିଫଳ ହେବାରୁ ଜଙ୍ଗଲକୁ ଫେରି ଯାଇଥିଲେ। ପରେ ଗ୍ରାମବାସୀଙ୍କ ପାଖରୁ ଖବର ପାଇ ବାରିପଦା ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀଙ୍କ ତତ୍ତ୍ବାବଧାନରେ ବନବିଭାଗର ୨୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଶତାଧିକ ଗ୍ରାମବାସୀ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ଶେଷରେ, ଏକ ଜେସିବି ମେସିନ୍‌ ଦ୍ବାରା ୨ ଘଣ୍ଟାର ଉଦ୍ୟମ ପରେ ହାତୀ ଦୁଇଟିକୁ ଉଦ୍ଧାର କରାଯାଇଥିଲା। ପରେ, ସେମାନେ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ।

ଏପଟେ ମାସ ମାସ ଧରି ୨୨ଟି ହାତୀ ଏ ଅଞ୍ଚଳ ଛାଡ଼ି ଯାଉନଥିବା ବେଳେ ଏବେ ଆଉ ୧୧ଟି ହାତୀ ଏହି ଦଳରେ ମିଶିଛନ୍ତି। ବାରିପଦା ବନାଞ୍ଚଳ ଅଧିକାରୀ ଲଷ୍ମୀଧର ବେହେରାଙ୍କ କହିବାନୁଯାୟୀ, ଧାନ ଅମଳ ନ ସରିଲା ଯାଏ ହାତୀପଲ ଶିମିଳିପାଳକୁ ଫେରିବେନି। ସେମାନଙ୍କୁ ଘଉଡ଼ାଇବା ବି ସମ୍ଭବ ନୁହେଁ। କେବଳ ରାତିରେ ସେମାନଙ୍କ ଗତିବିଧି ନିରୀକ୍ଷଣ କରାଯାଇପାରିବ।

ସମ୍ବନ୍ଧିତ ଖବର