କେନ୍ଦୁଝରରେ ଅସୁରକ୍ଷିତ ଗଜରାଜ, ୫ ବର୍ଷରେ ମଲେଣି ୨୯

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ସମ୍ପଦର ଦ୍ରୁତ ଅବକ୍ଷୟ ଗଜରାଜଙ୍କ ପାଇଁ ବିପଦ ହୋଇଛି। ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଥିବା ବେଳେ ଅନେକ ସମୟରେ ହାତୀ-ମଣିଷ ଲଢ଼େଇ ହେଉଛି। ଅନ୍ୟପଟେ କେତେବେଳ ଟ୍ରେନ୍ ଧକ୍କାରେ ତ କେତେବେଳେ ବିଦ୍ୟୁତ୍ ଆଘାତରେ ହାତୀଙ୍କର ମୃତ୍ୟୁ ଘଟୁଛି। ଗତ ୫ ବର୍ଷରେ ୨୯ଟି ହାତୀଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟରୁ ଜଣାପଡିଛି, ଜିଲ୍ଲାରେ ୨୦୧୮-୧୯ ମସିହାରେ ୩ଟି ହାତୀ ମରିଥିବା ବେଳେ ୨୦୧୯-୨୦ ମସିହାରେ ୬ଟି ହାତୀ ଏବଂ ଓ ୨୦୨୦-୨୧ ମସିହାରେ ୭ଟି ହାତୀ ମରିଥିଲେ। ୨୦୨୧-୨୨ ମସିହାରେ ୭ ହାତୀ ଓ ଚଳିତ ବର୍ଷରେ ଆଜି ପର୍ଯ୍ୟନ୍ତ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୪୦ ବର୍ଷ ପୂର୍ବେ କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ଗଠିତ ହୋଇଥିବା ବେଳେ ୨୦୦୩ ଅକ୍ଟୋବର ୧ ତାରିଖରେ କେନ୍ଦୁଝର ବନଖଣ୍ଡ ଡିଭିଜନକୁ ଦୁଇଭାଗ କରି ନୂତନ ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ଗଠିତ ହୋଇଥିଲା। ଏହି ନୂତନ ଡିଭିଜନ ଅଧୀନରେ ଦୈତାରୀ, ଦେଓଗାଁ, ହଦଗଡ଼ ହସ୍ତୀ ଅଭୟାରଣ୍ୟ ଏବଂ ଆନନ୍ଦପୁର ରେଞ୍ଜ ରହିଛି। ସମୁଦାୟ ୯୬୮୨୪.୦୫୫୨ ହେକ୍ଟର ଜଙ୍ଗଲ ଅଞ୍ଚଳ ମଧ୍ୟରୁ ପ୍ରାୟ ୭୦୭୭୩ ହେକ୍ଟର ରିଜର୍ଭ ଜଙ୍ଗଲ ଓ ୨୧୪.୦୭ ହେକ୍ଟର ସୁରକ୍ଷିତ ରିଜର୍ଭ ଜଙ୍ଗଲ ରହିଛି । ଅବଶିଷ୍ଟ ରାଜସ୍ୱ ଗ୍ରାମ୍ୟ ଓ ଅନ୍ୟାନ୍ୟ ଶ୍ରେଣୀଭୁକ୍ତ ଜଙ୍ଗଲ ରହିଛି । ପ୍ରାୟ ୧୧,୦୦୦ ହେକ୍ଟର ପରିମିତ ହଦଗଡ଼ ଅଭୟାରଣ୍ୟ ପଡ଼ୋଶୀ ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ସୀମାକୁ ଲାଗି ରହିଛି । ଏହା ବ୍ୟତୀତ ହଦଗଡ଼ ଡ୍ୟାମ୍ ଏହି ଅଞ୍ଚଳରେ ରହିଛି । ଆନନ୍ଦପୁର ରେଞ୍ଜ୍‌ ଅଧୀନରେ ଥିବା ୧୩,୦୦୦ ହେକ୍ଟର ପରିମିତ ବରାଙ୍ଗ ଜଙ୍ଗଲ ହରିଣଙ୍କ ଆଶ୍ରୟସ୍ଥଳୀ ହୋଇଛି।

କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ ପରିସରରେ ହାତୀମାନେ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ଆସି ଧାନ ଫସଲ ଖାଇବା ସହ ନଷ୍ଟ କରିବା ଘଟଣା ପ୍ରତ୍ୟେକ ଦିନର ଖବର ହୋଇଛି । ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ଯୋଗୁଁ ଉଭୟ ମରୁଛନ୍ତି। ଏନେଇ ଆରସିସିଏଫ୍ ଉଦବେଗ ପ୍ରକାଶ କରିଛନ୍ତି। ଆର୍‌ସିସିଏଫ୍‌ ଅରୁଣ କୁମାର ମିଶ୍ର କହିଛନ୍ତି, ଜନବସତିରେ ଯେତେ‌ ଅସୁବିଧା ହେଲେ ମଧ୍ୟ ହାତୀଙ୍କ ଅଭ୍ୟାସ ବଦଳିବାରେ ଲାଗିଛି। କେନ୍ଦୁଝରରେ ଅନିୟନ୍ତ୍ରିତ ଖଣି ଖନନ ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। ଏହି କାରଣରୁ ହାତୀ ଜନବସତି ମୁହାଁ ହେଉଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କେନ୍ଦୁଝର ସହର ଉପକଣ୍ଠ ଜୁଡିଆ ଫାର୍ମରେ ଗତକାଲି ବିଦ୍ୟୁତ୍‌ ଆଘାତରେ ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର