ଓଡ଼ିଶାରେ ବି ସୁରକ୍ଷିତ ନୁହନ୍ତି ହାତୀ, ଅପ୍ରାକୃତିକ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ

ଭୁବନେଶ୍ବର : କେରଳରେ ଅତି ଅମାନୁଷିକ ଭାବେ ଗର୍ଭିଣୀ ହାତୀକୁ ହତ୍ୟା କରାଯିବା ପରେ ସାରା ‌ଦେଶରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟ୍‌ଙ୍କ ପର୍ଯ୍ୟନ୍ତ, ସମସ୍ତେ ଏଥିରେ ସାମିଲ ହୋଇ ହାତୀ ବଂଶ ବୃଦ୍ଧି, ସେମାନଙ୍କ ପାଇଁ ଜଙ୍ଗଲ ସୃଷ୍ଟି, ଖାଦ୍ୟ ଲାଗି ବ୍ୟାପକ ବୃକ୍ଷରୋପଣ କରିବାକୁ ପ୍ରସ୍ତାବମାନ ଦେଉଛନ୍ତି। କେବଳ ଯେ ‌କେରଳରେ ହାତୀଙ୍କୁ ହତ୍ୟା କରାଗଲା ତାହା ନୁହେଁ, ଦେଶର କୋଣ ଅନୁକୋଣରେ ପ୍ରତିବର୍ଷ ଶତାଧିକ ହାତୀ ମଣିଷ ଦ୍ବାରା ଶିକାର ହେଉଛନ୍ତି। ଓଡ଼ିଶାରେ ମଧ୍ୟ ପ୍ରତିବର୍ଷ ଉଦ୍‌ବେଗଜକ ଭାବେ ହାତୀଙ୍କ ମୃତ୍ୟୁ ଘଟୁଛି।

କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୧୯୭୬ଟି ହାତୀ ରହିଥିବା ବେଳେ ୨୦୧୮-୧୯ରେ ଓଡ଼ିଶାରେ ୯୧ଟି ହାତୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ହାତୀଙ୍କ ମଧ୍ୟରୁ ୩୬ଟିର ଅସ୍ୱାଭାବିକ ଓ ୨୭ ହାତୀ ମୃତ୍ୟୁର କାରଣ ଜଣା ପଡ଼ି ନ ଥିଲା। ୨୦୧୮ ଏପ୍ରିଲ ପହିଲାରୁ ୨୦୧୯ ‌ଫେବ୍ରୁଆରି ୧୧ ମଧ୍ୟରେ ରାଜ୍ୟରେ ୮୦ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ୭୭ଟି ହାତୀଙ୍କର ଅପ୍ରାକୃତିକ ଭାବେ ଜୀବନ ଯାଇଥିଲା। ଅର୍ଥାତ ଏମାନେ ମୁଖ୍ୟତଃ ଟ୍ରେନ୍‌ ଧକ୍କା, ବିଦ୍ୟୁତ୍‌ ଆଘାତ କିମ୍ବା ଶିକାରୀଙ୍କ ଦ୍ବାରା ଶିକାର ହୋଇ ପ୍ରାଣ ହରାଇଛନ୍ତି। ୨୦୧୭-୧୮ରେ ଦେଶରେ ମୋଟ ୧୦୫ଟି ହାତୀ ଅପ୍ରାକୃତିକ ଘଟଣାରେ ପ୍ରାଣ ହରାଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାର କେବଳ ୭୪ଟି ରହିଥିଲେ।

ଓଡ଼ିଶା ବନ୍ୟାପ୍ରାଣୀ ବିଭାଗର ତଥ୍ୟ ଅନୁସାରେ, ବିଭିନ୍ନ କାରଣ ପାଇଁ ହାତୀ ମୃତ୍ୟୁ ହେଉଛି। ୨୦୧୯ରେ ବିଦ୍ୟୁତ୍‌ ଆଘାତରେ ୧୩ଟି ହାତୀ ମରିଛନ୍ତି। ସେଥିମଧ୍ୟରୁ ୯ଟି ହାତୀକୁ ଉଦ୍ଦେଶ୍ୟମୂଳକ ଭାବେ ବିଦ୍ୟୁତ୍‌ ଆଘାତରେ ହତ୍ୟା କରାଯାଇଛି। ୭ଟି ହାତୀ ଟ୍ରେନ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି। ନିଜ ନିଜ ଭିତରେ ସଂଘର୍ଷ, ଦଳାଚକଟା, କୂଅ/ଖାଇରେ ପଡ଼ି ବି ହାତୀଙ୍କର ମୃତ୍ୟୁ ହୋଇଛି। ଢେଙ୍କାନାଳ ବନଖଣ୍ଡରେ ସବାଧିକ ୧୬ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଏଥିରୁ ଟ୍ରେନ୍ ଧକ୍କାରେ ୧୦ଟି ମରିଥିଲେ।

ହାତୀ-ମଣିଷ ଲଢ଼େଇ ବି ଓଡ଼ିଶାରେ ଶୀର୍ଷରେ ରହିଛି। ୨୦୧୮-୧୯ରେ ୯୧ଟି ହାତୀ ମରିଥିବା ବେଳେ ହାତୀ ଆକ୍ରମଣରେ ୯୨ଜଣଙ୍କ ପ୍ରାଣ ଯାଇଛି। ବିଦ୍ୟୁତ୍‌ ଆଘାତରେ ୨୪ଟି ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୧୨ଟି ହାତୀ ଝୁଲନ୍ତା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଅବଶିଷ୍ଟ ହାତୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଯୋଗୁଁ ପ୍ରାଣ ହରାଇଛନ୍ତି। ଢେଙ୍କାନାଳର କମଳାଙ୍ଗ ନିକଟରେ ୭ଟି ହାତୀ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଥିଲେ। ଭାରତର ବନ୍ୟପ୍ରାଣୀ ଇତିହାସରେ ଏହା ସବୁଠାରୁ ବଡ଼ ଘଟଣା ଥିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଉପଲବ୍ଧ ତଥ୍ୟ ଅନୁଯାୟୀ, ଗତ ୧୦ବର୍ଷ ମଧ୍ୟରେ ୮୦୦ରୁ ଅଧିକ ହାତୀ ଓଡ଼ିଶାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅପ୍ରାକୃ୍ତିକ ଭାବେ ମୃତ୍ୟୁ ଘଟିଛି। ହାତୀ ମୃତ୍ୟୁ ରୋକିବାକୁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେବାକୁ ଯୋଜନା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆଶାତୀତ ସଫଳତା ମିଳିପାରିନି। ୨୦୧୯-୨୦ରେ ହାତୀ ମୃତ୍ୟୁ ନେଇ ଏ ପର୍ଯ୍ୟନ୍ତ ରିପୋର୍ଟ ଆସି ନ ଥିଲେ ମଧ୍ୟ ୮୦ରୁ ଅଧିକ ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେଥିରୁ ଅପ୍ରାକୃତିକ ଭାବେ ୪୮ଟି ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦୧୯ ଶେଷ ଆଡ଼କୁ ହର୍ପିସ୍‌ ଭୂତାଣୁ ଆକ୍ରାନ୍ତରେ କେବଳ ନନ୍ଦନକାନନରେ ୫ଟି ହାତୀଙ୍କ ଜୀବନ ଯାଇଥିଲା।

ସମ୍ବନ୍ଧିତ ଖବର