ଭଞ୍ଜନଗର : ରାଜ୍ୟର ବୃହତ୍ତମ ବନଖଣ୍ଡ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଗତବର୍ଷ ହାତୀପଲଙ୍କ ଦୌରାତ୍ମ୍ୟ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଆତଙ୍କ ସଂପର୍କିତ ଅନେକ ଘଟଣା ସାମ୍ନାକୁ ଆସିଥିଲା। ଏପରିକି ହାତୀ ଓ ମଣିଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାମଧ୍ୟରେ ଦକ୍ଷିଣ ଘୁମୁସର ବନଖଣ୍ଡରେ ୪ଟି ହାତୀ ପ୍ରାଣ ହରାଇଥିଲେ। ତେବେ ସଂପ୍ରତି ଜଙ୍ଗଲ ଓ ଜନବସତି ମଧ୍ୟରେ ଦୂରତା କମିବାରେ ଲାଗିଥିବାରୁ ହାତୀଠୁ ମଣିଷଙ୍କୁ ସୁରକ୍ଷା ଓ ମଣିଷକୁ ହାତୀଙ୍କଠୁ ସୁରକ୍ଷା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି। ତଥାପି ହାତୀପଲଙ୍କ ଦୌରାତ୍ମ୍ୟ ଚିନ୍ତାର କାରଣ ପାଲଟିଛି। ବିଶେଷକରି ଧାନ ଅମଳ ସମୟରେ ଗତ ଏକମାସ ହେଲା ଉତ୍ତର ଘୁମୁସର ବନଖଣ୍ଡର ସବୁ ଇଲାକାରେ ହାତୀପଲ ଘୂରି ବୁଲିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇସାରିଛନ୍ତି। ଫଳରେ ସୁରକ୍ଷା ପାଇଁ ଚାଷୀ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ ହେଁ, କୌଣସି ସୁଫଳ ମିଳୁନି। ଏଭଳି ସ୍ଥିତିରେ ଫସଲ କ୍ଷୟକ୍ଷତି ସହ ବନ୍ୟଜନ୍ତୁର ଆକ୍ରମଣରେ ଆହତ ଓ ମୃତ୍ୟୁ ହେଲେ ଏବଂ ବନ୍ୟଜନ୍ତୁ ବାଛୁରିକୁ ମାରିଲେ ବନ ବିଭାଗର କମ୍ପାସ୍ ୟୁନିଟ୍ ଗ୍ରାଣ୍ଟ୍ ଦ୍ବାରା କ୍ଷତିପୂରଣ ରାଶି ପ୍ରଦାନ କରାଯାଉଛି। କିନ୍ତୁ ଫସଲ ନଷ୍ଟ ତୁଳନାରେ ମିଳୁଥିବା କ୍ଷୟକ୍ଷତି ରାଶି ବହୁତ କମ୍ ବୋଲି ଚାଷୀ ପ୍ରକାଶ କରିଛନ୍ତି।
‘ଅନୁକମ୍ପା’ ଆପ୍ ଜରିଆରେ କ୍ଷତିଗ୍ରସ୍ତ ଚାଷୀ ଆବେଦନ କରିବା ପରେ ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ ସହ କ୍ଷତିପୂରଣ ପ୍ରଦାନ କରାଯାଉଛି। ହାତୀ କିମ୍ବା ବନ୍ୟଜନ୍ତୁ ଦ୍ବାରା ଆକ୍ରମଣରେ ମୃତ୍ୟୁ ଘଟିଲେ ବନ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା ଦିଆଯାଉଛି। ଦିବ୍ୟାଙ୍ଗ ପାଲଟିଲେ ୧ ଲକ୍ଷ ଟଙ୍କା ଓ ଆହତ ହେଲେ ୫ ହଜାର ଟଙ୍କା ଦିଆଯାଉଛି। ସେହିପରି ଘର ଅଧା ଭାଙ୍ଗିଲେ ୨ ହଜାର ଟଙ୍କା ଓ ସଂପୂର୍ଣ୍ଣ ଭାଙ୍ଗିଲେ ୧୦ ହଜାର ଟଙ୍କା କ୍ଷତିପୂରଣ ସହ ବିଜୁ ପକ୍କା ଘର ପାଇଁ ପ୍ରସ୍ତାବ ଦିଆଯାଉଛି। ଗୃହପାଳିତ ପଶୁର ଛେଳି ମୃତ୍ୟୁ ପାଇଁ ୧୫ ହଜାର ଟଙ୍କା ଏବଂ ଗାଈ ମଇଁଷିଙ୍କ ମୃତ୍ୟୁ ପାଇଁ ୫ ହଜାର ଓ ବାଛୁରୀର ମୃତ୍ୟୁରେ ୨୫ ଶହ ଟଙ୍କା କ୍ଷତିପୂରଣ ଦିଆଯାଉଛି।
ଏହିକ୍ରମରେ ଗତବର୍ଷ ମାର୍ଚ୍ଚ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଜଣଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଫସଲ କ୍ଷୟକ୍ଷତି ପାଇଁ ୩୩ ଲକ୍ଷ ୯୪ ହଜାର ୮୫୮ ଟଙ୍କା ଦିଆଯାଇଛି। ସେଥିମଧ୍ୟରୁ ହାତୀ ଦ୍ବାରା ଫସଲ ନଷ୍ଟର ଶିକାର ହୋଇଥିବା ୪୮୧ ଜଣଙ୍କୁ ୧୫ ଲକ୍ଷ ୪୬ ହଜାର ୬୩୦ ଟଙ୍କା, ବାର୍ହା ଦ୍ବାରା କ୍ଷତିଗ୍ରସ୍ତ ୬୬୩ ଜଣଙ୍କୁ ୧୮ ଲକ୍ଷ ୨୦ ହଜାର ୮୨୨ ଟଙ୍କା ଓ ଅନ୍ୟ ବନ୍ୟଜନ୍ତୁ ଦ୍ବାରା କ୍ଷତି ପାଇଁ ୨୭ ହଜାର ୪୦୬ ଟଙ୍କା କ୍ଷତିପୂରଣ ଦିଆଯାଇଛି। କଲରାପତରିଆ ଗୋଟିଏ ଗୃହପାଳିତ ପଶୁକୁ ମାରିଥିବା ଯୋଗୁଁ ମାଲିକଙ୍କୁ ୫ ହଜାର ଟଙ୍କା ଏବଂ ହାତୀ ଓ ଭାଲୁ ଆକ୍ରମଣରେ ୨ ଆହତଙ୍କୁ ୫ ହଜାର ଟଙ୍କା ଲେଖାଏଁ ଓ ବାର୍ହା ଆକ୍ରମଣରେ ଆହତ ଜଣକୁ ୨୫ହଜାର ଟଙ୍କା ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ହାତୀ ଘର ଭାଙ୍ଗିଥିବାରୁ ୫ ଜଣଙ୍କୁ ୧୨ ହଜାର ଟଙ୍କା ଦିଆଯାଇଛି। ହାତୀପଲଙ୍କୁ ଜନବସତିରୁ ଘଉଡ଼ାଇବା ସହ ସଠିକ୍ ସମୟରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ବିଭାଗ ତତ୍ପର ରହିଥିବା ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍ଓ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ବନ୍ୟଜନ୍ତୁ ଦ୍ବାରା ଫସଲ କ୍ଷୟକ୍ଷତି ପାଇଁ ୯୩ ଜଣ ଚାଷୀଙ୍କୁ ୨ ଲକ୍ଷ ୨୧ ହଜାର ୨୭୦ ଟଙ୍କା ଏବଂ ବନ୍ୟଜନ୍ତୁ ଆକ୍ରମଣରେ ଆହତ ୩ ଜଣଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଡିଏଫ୍ଓ ଦିଲ୍ଲୀପ୍ କୁମାର ରାଉତ ପ୍ରକାଶ କରିଛନ୍ତି।