ଯୁଯୁମୁରା: ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ସେକ୍ସନ ବଡ଼ସାହି ସେକ୍ସନ ବାନ୍ଦେର୍ ସଂରକ୍ଷିତ ଜଙ୍ଗଲର ଅରଖମୁଣ୍ଡା ଅଞ୍ଚଳ ବଲଣ୍ଡା ଗ୍ରାମର ହିରଞ୍ଜନ ପ୍ରଧାନ (୬୫ବର୍ଷ)ଙ୍କୁ ଦନ୍ତା କଚାଡ଼ି ମାରିଛି। ଶୁକ୍ରବାର ପୂର୍ବାହ୍‌ଣରେ ସେ ଗାଁ’ ନିକଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ମଧ୍ୟାହ୍ନ ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ଜଙ୍ଗଲରେ ଖୋଜାଖୋଜି କରି ତାଙ୍କ ମୃତଦେହ ଠାବ କରିଥିଲେ।

Advertisment

ପ୍ରକାଶଥାଉ କି, ଗତ ୧୦ ତାରିଖ‌ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ଅନ୍ତର୍ଗତ ମୁଣ୍ଢେର ଏଆରଏସଏସ ରାସ୍ତା ନିକଟରେ ହାତୀ ଆକ୍ରମଣରେ ମୁଣ୍ଢେର ଗ୍ରାମର ରାଜୁ ନାଏକ(୪୫ବର୍ଷ) ଆହତ ହୋଇଥିଲେ। ସେ ଏବେବି ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହା ପୂର୍ବରୁ ୭ ତାରିଖ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ କୁଢ଼େନିସା ବିଟ୍‌ ଅନ୍ତର୍ଗତ ଡୁମେରଚୁଆଁ-ମୁଣ୍ଢେର ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ କୁଢ଼େନିସା ଗାଁ’ର ନଟବର ମୁଣ୍ଡା(୫୫ବର୍ଷ)ଙ୍କର ମୃତ୍ୟୁ ହୋଇଥିଲା। ଗତବର୍ଷ ମେ’ ୯ ତାରିଖ ମଧ୍ୟ ପଡ଼ିଆବାହାଲ ରେଞ୍ଜ ବଡ଼ସାହି ସେକ୍ସନ ବୁରୋମାଲ ଅଞ୍ଚଳରେ ହାତୀ ଆକ୍ରମଣରେ ଜମନିକରା ଥାନା କୁଲୁଣ୍ଡି ପଞ୍ଚାୟତ ବାଙ୍କଟାଳ ଗ୍ରାମର ଉର୍ମିଳା ମିର୍ଦ୍ଧା (୫୨ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ସେହିବର୍ଷ ଅଗଷ୍ଟ ୨ ତାରିଖ ପଡ଼ିଆବାହାଲ ରେଞ୍ଜ ବଡ଼ସାହି ସେକ୍ସନ ସାପଲହରା ଶିବମନ୍ଦିର ପୂଜକ ମୁରଲୀଧର ପୂଜାରୀଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା।