ମହଙ୍ଗା ପଡ଼ିଲା ହାତୀ ସହ ସେଲ୍‌ଫି: ଆକ୍ରମଣରେ ଯୁବକ ଗୁରୁତର

ବସ୍ତା-୨/ଗାନ୍ଧିଛକ: ବିପଦକୁ ବରଣ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ସରଡ଼ିହା ଜଙ୍ଗଲ ଉପକଣ୍ଠରେ ହାତୀ ସହିତ ସେଲଫି ନେବା ବେଳେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପାଦରେ ଦଳି ଦେଇଥିଲା ହାତୀ। ଗୁରୁତର ଅବସ୍ଥାରେ ତାଙ୍କୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଧାନ ଓ ପନିପରିବା ଫସଲ ଖାଇବା ପାଇଁ ଗତ କିଛଦିନ ଧରି ୭୦ଟି ଝାଡ଼ଖଣ୍ଡୀ ହାତୀ ଆସି ରାସଗୋବିନ୍ଦପୁର ଥାନା ପୁରୁଣାପାଣି, ବେତନାସିଆ ଆଦି ଜଙ୍ଗଲରେ ଘୂରି ବୁଲୁଛନ୍ତି। ପୁରୁଣାପାଣି ଦେଇ ବସ୍ତା ଈଶ୍ୱରପୁର, ବିଦ୍ୟାଧରପୁର, ମହାଦେବସରାଇ, ଅମର୍ଦ୍ଦାରୋଡ, ନାରାୟଣପୁର, ବସନ୍ତପୁର, ସଦାନନ୍ଦପୁର ଆଦି ଅଞ୍ଚଳରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଆଜି ପୂର୍ବାହ୍ନ ୧୧ଟା ବେଳେ ଗୋଟିଏ ହାତୀ ବସ୍ତା ସରଡ଼ିହା ଜଙ୍ଗଲରେ ଥିବା ବେଳେ ରାସଗୋବିନ୍ଦପୁର ଥାନା ପୁରୁଣାପାଣି ଗ୍ରାମର ଯୁବକମାନେ ସାଙ୍ଗହୋଇ ତାକୁ ଦେଖିବାକୁ ଆସିଥିଲେ। ହାତୀ ଜଙ୍ଗଲରେ ଡାଳ ଖାଉଥିବା ଦେଖି ସେମାନଙ୍କ ମନରେ କୌତୂହଳ ଜାତ ହୋଇଥିଲା ଓ ଲକ୍ଷ୍ମୀନାରାୟଣ କିସ୍କୁ ହାତୀ ସହିତ ସେଲଫି ନେଇଥିଲେ। ଏହି ସମୟରେ ହାତୀଟି ଉତକ୍ଷିପ୍ତ ହୋଇ ତାଙ୍କୁ ଗୋଡ଼ାଇଥିଲା। ଲକ୍ଷ୍ମୀନାରାୟଣ ପ୍ରାଣବିକଳରେ ଦୌଡ଼ୁଥିବା ବେଳେ ଲଟାବୁଦାରେ ଛନ୍ଦି ହୋଇ ତଳେ ପଡ଼ି ଯାଇଥିଲେ। ଫଳରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ତେବେ ସେ କୌଣସି ପ୍ରକାରେ ସେଠାରୁ ଜୀବନ ବଞ୍ଚାଇଥିବା ବେଳେ ଖବର ପାଇ ବସ୍ତା ଅଗ୍ନିଶମ ବିଭାଗ କର୍ମଚାରୀ ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

ଝାଡ଼ଖଣ୍ଡୀ ହାତୀ ଆସି ବସ୍ତା ଅଞ୍ଚଳରେ ଉତ୍ପାତ କରିବା ସହ ବ୍ୟାପକ ଫସଲ ନଷ୍ଟ କରିଥିବା ବେଳେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ସଞ୍ଜ ହେଉ ହେଉ ତାଟିକବାଟ ପଡ଼ିଯାଇଛି। ସେପଟେ ବନ ବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର